• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ମୁମ୍ବାଇ ପୋଲିସ ଦେଢ଼ ବର୍ଷ ପୁରୁଣା ଏକ ମାମଲାର ଚାର୍ଜସିଟ୍ ଦାଖଲ କରି ସମସ୍ତଙ୍କୁ ଚକିତ କରି ଦେଇଛି । ଚାର୍ଜସିଟ୍‌ରେ ଯାହା ଲେଖାଯାଇଛି ତାକୁ କେହି କଳ୍ପନା ବି କରିପାରିବେ ନାହିଁ । ଜଣେ ମହିଳା ଜଣଙ୍କୁ ଫସାଇବା ପାଇଁ କେବେ ଏଭଳି କରିପାରିବେ ତାହା ସାଧାରଣ ଲୋକଙ୍କ ପାଇଁ ବିରଳ । ଦେଢ଼ ବର୍ଷ କାଳ ତଦନ୍ତ କରିବା ପରେ ପୋଲିସ ଏହି ଚାର୍ଜସିଟ୍‌ ଦାଖଲ କରିଛି ।

ତେବେ ପୁରା ଘଟଣାଟି ହେଲା, ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲ୍‌ରେ ଜଣେ ୬୪ ବର୍ଷିୟ ଚାଇନିଜ୍‌ ବ୍ୟବସାୟୀ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ନିଜେ ଏହି ଅଭିଯୋଗ କରିଥିଲେ। ସେ ଅଭିଯୋଗରେ ଦର୍ଶାଇଥିଲେ ଯେ, ଚାଇନିଜ୍‌ ବ୍ୟବସାୟୀ ଜଣକ ପଞ୍ଚତାରକା ହୋଟେଲ୍‌ରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଏହାକୁ ସେ ବିରୋଧ କରିଥିଲେ । ଯାହାଫଳରେ ସେ କ୍ଷତାକ୍ତ ମଧ୍ୟ ହୋଇଥିଲେ । ଏମିତିକି ତାଙ୍କ ହାତରୁ ରକ୍ତ ବାହାରିଥିଲା ବୋଲି ଅଭିଯୋଗରେ ଦର୍ଶାଇଥିଲେ ।

ତେବେ ଏହି ଘଟଣାର ଦେଢ଼ ବର୍ଷ ପରେ ଏବେ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରିବା ପରେ ଚାର୍ଜସିଟ୍‌ ଦାଖଲ କରିଛି । ଆଉ ସେଥିରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ, ମହିଳା ଜଣକ ମିଛ କହୁଥିଲେ । ସେ ଦୁର୍ବ୍ୟବହାରର ଶିକାର ହୋଇଥିବା ନାଟକ କରୁଥିଲେ । ଏମିତିକି ତାଙ୍କ ହାତରେ ଲାଗିଥିବା ରକ୍ତ କୌଣସି ମଣିଷର ନୁହେଁ, ବରଂ ତାହା ଚିକେନ୍‌ ବା କୁକୁଡ଼ାର ରକ୍ତ ବୋଲି ପୋଲିସ ଚାର୍ଜସିଟ୍‌ରେ ତଥ୍ୟ ଦେଇଛି । ମୁମ୍ବାଇ ପୋଲିସର ସ୍ପେସାଲ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଏହି ତଦନ୍ତ ଚାର୍ଜସିଟ୍ ଦାଖଲ କରିଛି ।

ପୋଲିସ ନିଜ ଚାର୍ଜସିଟ୍‌ରେ ଆହୁରି କହିଛି ଯେ, ମୋନିକ ଚୌଧୁରୀ ନାମକ ମହିଳା ଓ ତାଙ୍କର ତିନି ଜଣ ସହଯୋଗୀ ବ୍ୟବସାୟୀଙ୍କ ସହ ହନିଟ୍ରାପ୍‌ ଖେଳ ଖେଳିଥିଲେ । ମୋନିକା ବ୍ୟବସାୟୀଙ୍କୁ ଫସାଇ ତାଙ୍କଠାରୁ ୩ କୋଟି ଟଙ୍କା ହଡ଼ପ ମଧ୍ୟ କରିଥିଲେ ।

କ୍ରାଇମ୍‌ବ୍ରାଞ୍ଚର ସିଟି ପୋଲିସ ୟୁନିଟ୍‌ ଗତ ସପ୍ତାହରେ ମୋନିକା ଚୌଧୁରୀ ଏବଂ ଦୁଇ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଅଭିଯୁକ୍ତମାନେ ଏବେ ଜେଲ୍‌ରେ ଅଛନ୍ତି । ନଭେମ୍ବର ୨୦୨୧ରେ ଚାଇନିଜ ବ୍ୟବସାୟୀଙ୍କ ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲା । ଫଳରେ ସାଙ୍ଗେ ସାଙ୍ଗେ ଦୁଇ ସହଯୋଗୀ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପରେ ୨୦୨୨ ମସିହାରେ ମୋନିକାଙ୍କୁ ଗିରଫ କରିଥିଲା ।

ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ ଯେ, ୪ ଜଣ ଦୁର୍ବୁତ୍ତ ମିଶି ତାଙ୍କୁ ବ୍ଲାକ୍‌ମେଲ୍‌ କରୁଛନ୍ତି । ଏକ ଫାଇଭ୍‌ଷ୍ଟାର ହୋଟେଲ୍‌ରେ ହନିଟ୍ରାପ୍‌ର ଜାଲ ବିଛାଇ ମୋତେ ବ୍ଲାକ୍‌ମେଲ୍‌ କରି ୩.୨୫ କୋଟି ଟଙ୍କା ନେଇସାରିଲେଣି । ପୁଣି ଆହୁରି ଦୁଇ କୋଟି ଟଙ୍କା ମାଗୁଛନ୍ତି ।

ତେବେ ଏହି ବ୍ଲାକ୍‌ମେଲିଂର ପ୍ଲାନ୍‌ ବା ହନିଟ୍ରାପ୍‌ ପ୍ଲାନ୍‌ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲା । ପ୍ରଥମେ ୨୦୧୬ରେ ମୋନିକାଙ୍କ ଏକ ସହଯୋଗୀ ଅନିଲ ଚୌଧୁରୀଙ୍କ ସହ ଗୋଆରେ ଉକ୍ତ ବ୍ୟବସାୟୀଙ୍କର ଭେଟ ହୋଇଥିଲା । ସେମାନେ ପ୍ରଥମେ ବ୍ୟବସାୟୀ ଦୃଷ୍ଟି କୋଣରୁ ମିଳା ମିଶା କରୁଥିଲେ । ଧିରେ ଧିରେ ସେମାନଙ୍କ ମଧ୍ୟରେ ଏତେ ଘନିଷ୍ଟ ସମ୍ପର୍କ ହେଲା ଯେ, ବ୍ୟବସାୟୀ ଜଣକ ଯେତେବେଳେ ବି ମୁମ୍ବାଇ ଆସନ୍ତି ସେତେବେଳେ ଅନିଲ ଚୌଧୁରୀଙ୍କୁ ଭେଟ ହୁଅନ୍ତି । ସେମାନେ ମିଶି ହୋଟେଲରେ ମସ୍ତି କରନ୍ତି ।

୨୦୧୭ରେ ପରଠାରୁ ଅନୀଲ ତାଙ୍କୁ ଫସାଇବା ପାଇଁ ଯୋଜନା ଆରମ୍ଭ କରିଥିଲା । ପ୍ରଥମେ ଅନୀଲ ଓ ତାଙ୍କ ଗ୍ରୁପ୍‌, ବ୍ୟବସାୟୀଙ୍କ ସମ୍ପତ୍ତି ମାପିବାକୁ ଚେଷ୍ଟା କରିଥିଲେ । ପରେ ପ୍ଲାନ୍‌ ଅନୁଯାୟୀ କାମ ଆରମ୍ଭ ହୋଇଥିଲା । ୨୦୧୯ରେ ବ୍ୟବସାୟୀ ଜଣକ ଯେତେବେଳେ ମୁମ୍ବାଇ ଆସିଥିଲେ ସେତେବେଳେ ଅନୀଲଙ୍କୁ ଡିନର୍ ପାଇଁ ଫୋନ୍ କରିଥିଲେ । ଅନୀଲ ନିଜ ସହ ମୋନିକା ଓ ମନିସ ସୋଦିଙ୍କୁ ସାଙ୍ଗରେ ନେଇ ଆସିଥିଲେ ।

ଡିନର କରୁଥିବା ବେଳେ ହଠାତ୍‌ କୌଣସି ଏକ ବାହାନା କରି ଅନୀଲ ହୋଟେଲ ବାହାରକୁ ଚାଲିଯାଇଥିଲେ । ଆଉ ଏହାର କିଛି ସମୟ ପରେ ମୋନିକା ଚିତ୍କାର କରିବାକୁ ଲାଗିଲେ । ତାଙ୍କ ସହ ଥିବା ମନିଷ ମଧ୍ୟ ଚିତ୍କାର କରିଥିଲେ । ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ ଯେ, ବ୍ୟବସାୟୀ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ମନିଷଙ୍କୁ ମାରପିଟ୍ କରିଥିଲେ । ଏହି ପାଟିତୁଣ୍ଡ ସମୟରେ ଏକ ଭିଡିଓ ମଧ୍ୟ ସେମାନେ ସୁଟ୍‌ କରିଥିଲେ । ଆଉ ପ୍ଲାନ୍‌ ଅନୁଯାୟୀ ମୋନିକା ନିଜ ହାତରେ ଚିକେନ୍‌ ରକ୍ତ ପକାଇ ପୋଲିସକୁ ଅଭିଯୋଗ କରିଥିଲେ । ଏବେ ସମସ୍ତ ଅଭିଯୁକ୍ତ ଜେଲ୍‌ରେ ଦିନ କାଟୁଛନ୍ତି ।