• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହନିଟ୍ରାପ.. ପୁଣି ମନିଟ୍ରାପ୍.. ମହଙ୍ଗା ପଡ଼ିଲା ପାକିସ୍ତାନୀ ଯୁବତୀଙ୍କ ମାୟାଜାଲ । ଚିନ୍ତା ବଢ଼ାଇଥିଲା ଡିଆରଡିଓ ଭଳି ପ୍ରତିରକ୍ଷା ଗବେଷଣା କେନ୍ଦ୍ରର ତଥ୍ୟ ଲିକ୍ ଆଶଙ୍କା । ଦୀର୍ଘଦିନର ନୀରବତା ପରେ ସାମ୍ନାକୁ ଆସିଛନ୍ତି ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିର ଆଉ ଜଣେ କର୍ମଚାରୀ । ଯାହାଙ୍କ ନାଁ ବାବୁରାମ ଦେ । ଯିଏ ITRର ତଥା କ୍ଷେପଣାସ୍ତ୍ର ଘାଟିର ଜଣେ ବରିଷ୍ଠ ଟେକ୍ନିକାଲ୍ ଅଧିକାରୀ । ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି ।

ପୋଲିସର କହିବା କଥା, ଦୀର୍ଘ ବର୍ଷେ ଧରି ପୋଲିସ ସର୍ଭେଲାନ୍ସରେ ରହିଥିଲେ ସଂପୃକ୍ତ ଅଧିକାରୀ ଜଣକ । ତଦନ୍ତରୁ ଜଣାପଡିଛି, ସୋସିଆଲ୍ ମିଡ଼ିଆରୁ ପରିଚୟ ପରେ ଅଶ୍ଲୀଳ ଭିଡିଓ ସବୁ ଦେଖାଉଥିଲେ ପାକିସ୍ତାନୀ ଯୁବତୀ । ସେହି ମାୟାରେ ବାୟା ହୋଇ କିଛି ITRର ଗୋପନୀୟ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି । ଏହାପରେ କେନ୍ଦ୍ରୀୟ ଗୁଇନ୍ଦା ନିକଟରୁ ଖବର ପାଇବା ପରେ ଓଡ଼ିଶା ପୋଲିସ ସଂପୃକ୍ତ ଟେକ୍ନିକାଲ ଅଧିକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏହି ଘଟଣାରେ ଆଉ କାହାର ଲିଙ୍କ୍ ରହିଛି, ସେଦିଗକୁ ବି ତଦନ୍ତ କରୁଛି ପୋଲିସ ।

ବାଲେଶ୍ୱର ଚାନ୍ଦିପୁର ଘାଟିର କର୍ମଚାରୀଙ୍କୁ ଯୁବତୀଙ୍କ ଏଭଳି ମୋହରା ନୂଆ ନୁହେଁ । ୨୦୧୪ରେ କ୍ଷେପଣାସ୍ତ୍ର ଘାଟିର ତଥ୍ୟ ଲିକ୍ ଅଭିଯୋଗରେ ଆଜୀବନ ସଜ୍ଜା କାଟୁଛନ୍ତି ଠିକା ଫଟୋଗ୍ରାଫର ଈଶ୍ୱର ବେହେରା । ୨୦୨୧ ସେପ୍ଟେମ୍ବର ୧୪ରେ ଆଉ ଜଣେ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପ ମାୟାରେ ପଡ଼ି ଡିଆରଡିଓ ତଥ୍ୟ ଲିକ୍ କରିଥିଲେ ୫ କର୍ମଚାରୀ । ତେବେ ଏହି ଅଭିଯୁକ୍ତଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ ଆକ୍ଟ ୩.୪.୫ ଅନୁଯାୟୀ ତଥ୍ୟ ପ୍ରମାଣ ଦାଖଲ କରିନପାରିବାରୁ ଏହି ଦଫାରୁ ଅଭିଯୁକ୍ତଙ୍କୁ ଛାଡ଼ ମିଳିଛି । କିନ୍ତୁ ଦେଶଦ୍ରୋହ ମାମଲାରେ ଏବେବି ୫ଜଣ ଜେଲରେ ଅଛନ୍ତି ।

ତେବେ କାହିଁକି ବାରମ୍ବାର ହନିଟ୍ରାପ୍ ଶିକାର ହେଉଛନ୍ତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର କର୍ମଚାରୀ ? କର୍ମଚାରୀଙ୍କ ଗତିବିଧି ଉପରେ କାହିଁକି ନଜର ରଖୁନାହାଁନ୍ତି ଡିଆରଡିଓ କତ୍ତୃର୍ପକ୍ଷ ? ସେନେଇ ଚିନ୍ତା ବଢିଥିବାବେଳେ ଡିଆରଡିଓ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।