/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697553284.jpg)
CCTV captures burglary in Bhubaneswar appartment
ପାର୍ବଣବେଳେ ରାଜଧାନୀରେ ପୋଲିସର ସେଫ୍ ଡ୍ରାଇଭ୍ ଅଭିଯାନ, ରାସ୍ତାରେ ପାଟ୍ରୋଲିଂ ଭ୍ୟାନର ଘନ ଘନ ପଇଁତରା । ଆଉ ଏପଟେ ପୋଲିସର ନାକ ତଳେ ଲୁଟ୍, ଆପାର୍ଟମେଣ୍ଟରେ ପଶି କଳାକନା ବୁଲାଇଲେ ଲୁଟେରା ଦଳ ।
ଇନଫୋସିଟି ଥାନାଠୁ ମାତ୍ର ୧୦୦ ମିଟର ଦୂର । ସ୍ଥାନୀୟ ରାଜବାଟୀ ଆପାର୍ଟମେଣ୍ଟରୁ ରାତି ଅଧରେ ଅନାୟାସରେ ଲୁଟ୍ କରି ଫେରାର ମାରିଛନ୍ତି ଲୁଟେରା ଦଳ । ସୋମବାର ରାତି ପ୍ରାୟ ୨ଟା । ସିସିଟିଭି କ୍ୟାମେରାରେ କଏଦ ହେଲା ଲୁଟେରାଙ୍କ ଚିତ୍ର । କୁହାଯାଉଛି, ଶିଖରଚଣ୍ଡି ପାହାଡ଼ ପଟୁ ରାଜବାଟୀ ଆପାର୍ଟମେଣ୍ଟର ସୁରକ୍ଷା ପାଚେରୀ ଡେଇଁ ଭିତରକୁ ପ୍ରବେଶ ରିଥିଲେ ଚୋର ଦଳ ।
ପରେ ଟାର୍ଗେଟ୍ କରିଥିଲେ ଗୋଟିଏ ପରେ ଗୋଟିଏ ଘର । ସେମାନଙ୍କ ଫୋକସରେ ଥିଲା ବାହାରୁ ତାଲା ପଡ଼ିଥିବା ଘର । ଘରର ମୁଖ୍ୟ ତାଲା ଭାଙ୍ଗିବା ପରେ ଲୁଟି ନେଇଥିଲେ ସବୁ କିଛି । ଗତକାଲି ରାତିରେ ଏ ଆପାର୍ଟମେଣ୍ଟର ୪ଟି ଘରର ତାଲା ଭାଙ୍ଗି ସମ୍ପୂର୍ଣ୍ଣ କଳାକାନା ବୁଲାଇବା ପରେ ଆରାମରେ ଫେରାର ମାରିଥିଲେ । ଚୋରଦଳ ୪ଟି ଘରୁ ସୁନା, ରୁପା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କାକୁ ମିଶାଇ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟ୍ କରିଥିବା ଅନୁମାନ କରାଯାଉଛି ।
ଆଜି ସକାଳେ ଆପାର୍ଟମେଣ୍ଟ ଲୁଟ୍ ଅଭିଯୋଗ ପରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ୱାର୍ଡ ପହଞ୍ଚି ଛାନଭିନ କରିଛି । ଲୁଟେରାମାନେ କେମିତି ପ୍ରବେଶ କଲେ, କେଉଁ ଢଙ୍ଗରେ ଚୋରି କରିଛନ୍ତି ଏବଂ ସେମାନଙ୍କ ପ୍ଲାନ୍ କିଭଳି ଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରୁଛି ପୋଲିସ । ହେଲେ ସେ ମୁଖାପିନ୍ଧା ଲୁଟେରା ଦଳଙ୍କ ସମ୍ପର୍କରେ କିଛି ବି ଟେର୍ ପାଇନି । ଆଉ ଏପଟେ ଏ ଘଟଣା ପରେ ଆତଙ୍କରେ ରହିଛନ୍ତି ରାଜବାଟୀ ଓ ଏହାର ଆଖପାଖରେ ରହୁଥିବା ଆପାର୍ଟମେଣ୍ଟ ବାସିନ୍ଦା । ତେବେ ରାଜବାଟି ଆପାର୍ଟମେଣ୍ଟ ଲୁଟ ପାଇଁ ସ୍ଥାନୀୟ ଲୋକେ ଶିଖରଚଣ୍ଡୀ ପ୍ରକଳ୍ପକୁ ଦାୟୀ କରିଛନ୍ତି ।
ରାଜଧାନୀରେ ସାଧାରଣ ଘର ଅପେକ୍ଷା ଲୋକେ ଆପାର୍ଟମେଣ୍ଟକୁ ଅଧିକ ସୁରକ୍ଷିତ ମଣିବା ସହ ଅଧିକ ମୂଲ୍ୟ ଦେଇ ଭଡ଼ା କିମ୍ବା ମାଲିକାନାରେ ରୁହନ୍ତି । ହେଲେ ଗତକାଲିର ଏ ଘଟଣା, ଲୋକଙ୍କ ମନରୁ ସେ ଧାରଣା ଦୂରେଇ ଦେଇଛି । ଏପଟେ ପାର୍ବଣ ବେଳେ ଚନ୍ଦକା ଓ ଇନଫୋସିଟି ଓ ୟୁନିଟ ୮ ଭଳି ଅଞ୍ଚଳରେ ଏକାଧିକ ଲୁଟ୍ ଘଟଣା ରାଜଧାନୀବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ସେପଟେ ଏ ନେଇ କମିଶନରେଟ୍ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)