Advertisment

ଓଟିପି ସେୟାରିଂ ମାମଲାରେ ଚାଞ୍ଚଲ୍ୟକର ସୁରାଗ୍

ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।

author-image
Chandan Shishu
undefined

CB STF gets new evidence OTP sharing case

ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ ଆତଙ୍କୀ ଲିଙ୍କର ଖୋଳତାଡ଼ କରୁ କରୁ ପୁଣେରୁ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଯାହାକୁ କ୍ରାଇମବ୍ରାଞ୍ଚ STF ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା ମାରାଥନ ଜେରା କରୁଛନ୍ତି। ଆଶଙ୍କା ରହୁଛି, ଆଗକୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିପାରେ।

Advertisment

ଓଟିପି ସେୟାରିଂ ମାମଲାରେ ଚାଞ୍ଚଲ୍ୟକର ସୁରାଗ୍। ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା। ସେହି ସନ୍ଦିଗ୍ଧ ଯୁବକ ଅଭିଜିତ ସଞ୍ଜୟ ଜମ୍ବୁରେ। ପୁଣେରୁ ଗିରଫ ଅଭିଜିତକୁ କାଲି ଓଡ଼ିଶାକୁ ଆଣି କ୍ରାଇମବ୍ରାଞ୍ଚ ଅଫିସରେ ଘନ ଘନ ଜେରା କରୁଛି ATS ଏବଂ IB।

ସୂଚନା ଅନୁଯାୟୀ, ଅଭିଜିତ ପୁଣେ ନିବାସୀ। ସେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲା। କିନ୍ତୁ ଆମେରିକାର ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ଜରିଆରେ ଟଙ୍କା ରୋଜଗାର କରି ISI ଏଜେଣ୍ଟଙ୍କୁ ୨୦୧୮ରୁ ଫଣ୍ଡିଂ କରୁଥିଲା। ତେବେ ଓଟିପି ସେୟାରିଂ ମାମଲାରେ ପୂର୍ବରୁ ଗିରଫ କିଛି ଓଡ଼ିଆ ଯୁବକଙ୍କ ସହ ଲିଙ୍କ ଥିବା ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ପହଞ୍ଚିଥିଲା ଅଭିଜିତ ପାଖରେ। ଆଉ ତାକୁ ପୁଣେରେ ଗିରଫ ପରେ ଭୁବନେଶ୍ବରକୁ ଆଣି ATS ଓ IB ଘାଣ୍ଟୁଛି।

Advertisment

କୁହାଯାଉଛି, ISIର ବରିଷ୍ଠ ଅଧିକାରୀ ଅବଦୁଲ୍ ହମିଦ ଖୁରାମ୍ ସହ ଲିଙ୍କରେ ରହିଛି ଅଭିଯୁକ୍ତ ଅଭିଜିତ୍। ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଓଡ଼ିଶାର ସିମକୁ ଅପରେଟ୍ କରୁଛି ଅବଦୁଲ୍। ଅବଦୁଲ୍ ହେଉଛି, ସେହି ବ୍ୟକ୍ତି ଯିଏ ବିସ୍ଫୋରଣ କରିବା ଏବଂ ଆତଙ୍କ ଖେଳାଇବା ଆଦି ହିଂସାତ୍ମକ କାର୍ଯ୍ୟର ମାଷ୍ଟରମାଇଣ୍ଡ। ଓଟିପି ସେୟାରିଂ ମାମଲାର ଖୋଳତାଡ଼ କରୁ କରୁ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏଭଳି ତଥ୍ୟ। ଅଭିଜିତ ପୂର୍ବରୁ ଓଟିପି ସେୟାରିଂ ମାମଲାରେ ପଠାଣୀ ସାମନ୍ତ ଲେଙ୍କା, ନୂର୍ ଫତିମା ସହ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ଲିଙ୍କରେ ଥିଲା। ଯେଉଁମାନେ ଓଟିପି ଜେନେରେଟ୍ କରି ଡିଆକଟିଭେଟେଡ୍ ସିମ୍କୁ ଆକଟିଭ୍ କରି ଅନ୍ୟତ୍ର ପଠାଇବା ସହ ଟଙ୍କା ରୋଜଗାର କରୁଥିଲେ। ଏ ବାବଦକୁ ଅଭିଜିତ ସଂପୃକ୍ତ ଓଡ଼ିଆ ଅଭିଯୁକ୍ତଙ୍କୁ କିଛି ଟଙ୍କା ବି ପଠାଉଥିଲା।

ଖାଲି ସେତିକି ନୁହେଁ, ପଠାଣୀ ଜରିଆରେ ଗଞ୍ଜାମରୁ ଅବଦୁଲ୍ ପାଖକୁ ପଠାଇଥିଲା ଆକଟିଭେଟେଡ୍ ସିମ୍। ଏପରିକି ଓଡ଼ିଶାରୁ ଯାଇଥିବା ସିମ୍କୁ ୨୦୨୨ ମାଙ୍ଗାଳୁରୁ ବିସ୍ଫୋରଣରେ ବ୍ୟବହାର କରାଯାଇଥିବା ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। କେବଳ ଏତିକି ନୁହେଁ, ଅବଦୁଲ୍ ସମେତ ISIର ଇକବାଲ୍ ଓ ଦାନିସ୍ ଭଳି ୪ ଶହରୁ ୫ ଶହ ଏଜେଣ୍ଟଙ୍କୁ ଅଭିଜିତ ଟଙ୍କା ପଠାଇଥିବା କୁହାଯାଉଛି। ତେବେ ସାମାନ୍ୟ କେଇଟା ଟଙ୍କା ପାଇଁ ଓଡ଼ିଆ ଯୁବକ ବି ଫସିଯାଉଛନ୍ତି କି ISI ଲିଙ୍କରେ ? ନା ସୁଚିନ୍ତିତ ଏବଂ ଯୋଜନାବଦ୍ଧ ଭାବେ ନିର୍ଦ୍ଧିଷ୍ଟ ଓଡ଼ିୖଆ ଯୁବକ ସ୍ଲପରସେଲ୍ ଭାବେ କାମ କରୁଛନ୍ତି ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି। ମଙ୍ଗଳବାର ଯାଏଁ ରିମାଣ୍ଡରେ ଥିବା ଅଭିଜିତକୁ ଜେରା ପାଇଁ ଆସନ୍ତାକାଲି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି-NIA ଆସୁଥିବା କୁହାଯାଉଛି।

Crime Branch STF
Advertisment
Advertisment