• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

420 ଡାକ୍ତର ରମେଶ ସ୍ୱାଇଁଙ୍କ ନୂଆ କାହାଣୀ । ଧନ ସମ୍ପତ୍ତି ଲୁଟ୍ ପାଇଁ ନକଲି ଡାକ୍ତର ରମେଶ ସ୍ୱାଇଁ କେମିିତି ୧୮ ମହିଳାଙ୍କୁ ବିବାହ କରିଥିଲେ, ତାହା ତ ଆପଣ ଜାଣିଛନ୍ତି । ହେଲେ ଏହି ଠକ ଡାକ୍ତରଙ୍କ କ୍ରାଇମ ସିଣ୍ଡିକେଟ୍‌ରେ ଆଉ କେଉଁମାନେ ଅଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ । କାରଣ ସେମାନେ ମିଛି ମିଛିକା ବିବାହ କରାଉଥିଲେ, ଟଙ୍କା ସୁନା ଲୁଟ୍ ଚକ୍କରରେ ବୋହୂ ଆଣୁଥିଲେ । ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି । ଏଭଳି ଅଭିଯୋଗ ପରେ କମିଶନରେଟ୍ ପୋଲିସ ନକଲି ଡାକ୍ତରଙ୍କ ଭଉଣୀକୁ ଧରି ତଦନ୍ତ କରୁଥିବା ବେଳେ ଠକେଇ ଅଭିଯୋଗର ତାଲିକା ବି ଲମ୍ବି ଚାଲିଛି । 

ମିଛି ମିଛିକା ଭାଉଜ, ସତ ସତିକା ନଣନ୍ଦ ପୁଟୁଳିର ଉଠିଲା ଅଭିଯୋଗ । ୧୮ ଭାଉଜକୁ ଜଣେ ନଣନ୍ଦ ରମେଶ ସ୍ୱାଇଁଙ୍କ ଭଉଣୀ । ଯାହାଙ୍କ ନାଁ ରଶ୍ମିତା ବେଉରା । ଅଭିଯୋଗ ହୋଇଛି, ଭାଇ ସହ ହାତ ମିଳାଇ, ଚଳାଇଥିଲେ ବିବାହ ଆଳରେ ଲୁଟ୍‌ପାଟ ଖେଳ । ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ଅଠରଟି ବିବାହ ମାମଲାରେ ରଶ୍ମିତା ଅନ୍ୟତମ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ଉଠିଛି । ଯିଏ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଭଉଣୀ ତଥା ଏକମାତ୍ର ନଣନ୍ଦ ଦର୍ଶାଇ ନୂଆ ଭାଉଜଙ୍କଠୁ ଆଦାୟ କରୁଥିଲେ ନଣନ୍ଦ ପୁଟୁଳି । ଯେଉଁଥିରେ ସୁନା, ଟଙ୍କା ସହ ରହିଥିଲା ଦାମୀ ସାମଗ୍ରୀ ।

ରମେଶଙ୍କ ଏଭଳି କ୍ରାଇମ ସିଣ୍ଡିକେଟ୍‌ରେ ରହିଛନ୍ତି ଚାରି ଚାରି ଜଣ ସଦସ୍ୟ । ଭଉଣୀ ସହ ଭିଣୋଇ, ଡ୍ରାଇଭର ଏବଂ ୧୮ ପତ୍ନୀଙ୍କ ମଧ୍ୟରୁ ଜଣେ ପତ୍ନୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଉଠିିଛି । ଯେଉଁମାନେ ଜଣଙ୍କ ପରେ ଜଣଙ୍କ ସହ ବିବାହ କରାଉଥିଲେ, ନବ ବିବାହିତାଙ୍କଠୁ ଠକେଇ ଟଙ୍କା, ସୁନା ଉପରେ ଭାଗ ବସାଉଥିଲେ । ଏ ସମ୍ପର୍କରେ ଠକାମୀର ଶିକାର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ କମିଶନରେଟ୍ ପୋଲିସ ରମେଶଙ୍କ ଭଉଣୀ ରଶ୍ମିତାଙ୍କୁ କଟକ ଅସୁରେଶ୍ୱରରୁ ଉଠାଇ ଆଣି ଖୋଳତାଡ଼ କରୁଛି । ଅନ୍ୟ ମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି ।

୧୮ ରାଣୀଙ୍କ ରାଜା ସାଜିଥିବା ଠକ ସମ୍ରାଟ ରମେଶ ସ୍ୱାଇଁର କଳା କାହାଣୀ ଏତିକିରେ ସରିନି । ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀର ବ୍ୟବସାୟୀ ଭେଙ୍କଟ ରମଣ ବି ବାଦ୍ ପଡ଼ିନାହାଁନ୍ତି ରମେଶଙ୍କ ଠକେଇ ପଞ୍ଝାରୁ । ଚାରା ପାଇଁ ୪ ଲକ୍ଷର ଚୁନା ଲଗାଇଛନ୍ତି ରମେଶ । କିଛିବର୍ଷ ତଳେ ନିଜକୁ ମେଡ଼ିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଅଧିକାରୀ ଦର୍ଶାଇ ରମେଶ ୪ ଲକ୍ଷ ଟଙ୍କାର ଚାରା ନେଇ ଚେକ୍ ଦେଇଥିଲେ । କିନ୍ତୁ ଚେକ୍‌ଟି ବାଉନ୍ସ ହୋଇଯାଇଥିଲା । ଶେଷରେ ଏବେ ସେ ଭୁବନେଶ୍ୱର ଆସି ଅଭିଯୋଗ କରିଛନ୍ତି । ମହିଳାଙ୍କୁ ବିବାହ ନାଁରେ ଠକେଇ ମାମଲାର ତଦନ୍ତ ମହିଳା ଥାନା କରୁଥିବାରୁ ସେଠାରେ ସେ ଏତଲା ଦେଇଛନ୍ତି ।

କମିଶନରେଟ୍ ପୋଲିସ କହିବା କଥା, କେବଳ ଏତିକି ନୁହେଁ । ବର୍ତ୍ତମାନ ସୁଦ୍ଧା ୮ ପ୍ରକାର ଠକେଇ ମାମଲା ସାମ୍ନାକୁ ଆସିଲାଣି । ଜଗତସିଂହପୁରର ଏକ ଦମ୍ପତ୍ତିଙ୍କୁ ପ୍ରତିଷ୍ଠିତ ମେଡ଼ିକାଲ୍ ପ୍ରତିଷ୍ଠାନରେ ଏମ୍‌ବିବିଏସ୍ କରାଇଦେବା ନାଁରେ ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଉଠିଛି । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇ ରମେଶଙ୍କ ଭିଣୋଇ ଡିଲ୍ କରିଥିବା ଦର୍ଶାଇଛନ୍ତି ସଂପୃକ୍ତ ଦଂପତ୍ତି । ଏଭଳି ଏକାଧିକ ମାମଲାର ତଦନ୍ତ ପାଇଁ ୮ ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଥିବା ଡିସିପି କହିଛନ୍ତି ।