ଏସିଏଫ ମୃତ୍ୟୁ ରହସ୍ୟ
ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲାରେ ପଶିଲା କ୍ରାଇମବ୍ରାଞ୍ଚ। ପୁଣିଥରେ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କୁ ହେବ ଜେରା। ଅଭିଯୋଗ ଫର୍ଦ୍ଦରେ ନାଁ ଥିବା ସମସ୍ତେ ସ୍କାନରରେ। ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ମୃତ୍ୟୁର ମାସେ ପରେ ବି ଘଟଣା ଉପରୁ ପରଦା ହଟାଇବାରେ ପାରଳାଖେମୁଣ୍ଡି ପୋଲିସ୍ ଏକପ୍ରକାର ବିଫଳ ହେବାପରେ ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ। ଅର୍ଡର ପାଇବା ପରେ ସିଧାସଳଖ କ୍ରାଇମ୍ ସ୍ପଟ୍ରେ ତଦନ୍ତକାରୀ ଟିମ୍।
ଡିଏସପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ଆଜି ସୌମ୍ୟଙ୍କ ସରକାରୀ କ୍ୱାର୍ଟରରେ ପହଞ୍ଚି ଆରମ୍ଭ କରିଛି ଯାଞ୍ଚ। ତଦନ୍ତରେ ସହାୟତା ପାଇଁ ରହିଛି ଏକ ୬ ଜଣିଆ ବିଶେଷଜ୍ଞ ଟିମ୍। ଯେଉଁଥିରେ ଅଛନ୍ତି ଫିଙ୍ଗର୍ ପ୍ରିଣ୍ଟ ଏକ୍ସପର୍ଟ, ଫିଜିକ୍ସ, କେମେଷ୍ଟ୍ରି, ଭିଡିଓ ଓ ଷ୍ଟିଲ୍ ଫଟୋଗ୍ରାଫି ଏକ୍ସପର୍ଟ ଏବଂ ଅଗ୍ନିଶମ ବାହିନୀର ଫାୟାର ଏକ୍ସପର୍ଟ।
ଏହି ଟିମ୍ ଆଜି ସୌମ୍ୟଙ୍କ ମୃତଦେହ ମିଳିଥିବା କୋଠରୀରେ ତନ୍ନତନ୍ନ ଯାଞ୍ଚ କରି ନମୁନା ସଂଗ୍ରହ କରିଛି। ପ୍ରାୟ ୨ ଘଣ୍ଟା ଧରି ଏକ୍ସପର୍ଟ ଟିମ୍ ସେଠାରେ ଯାଞ୍ଚ କରିଥିଲା। ଯାଞ୍ଚ ପରେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଏଫ୍ଆଇଆର୍ରେ ନାଁ ଥିବା ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପୁଣିଥରେ ଜେରା ହେବ ଖାଲି ସେତିକି ନୁହେଁ, ଯେଉଁମାନଙ୍କ ନାଁ ପୂର୍ବରୁ ଉଠିଥିଲା ସେମାନେ ସମସ୍ତେ ସ୍କାନରରେ ରହିବେ।
ଏପଟେ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ମାସେ ପରେ ବି କାହାରିକୁ ଏଯାଏଁ ଗିରଫ କରାଯାଇନଥିବାରୁ ସୌମ୍ୟଙ୍କ ଭାଇ ଅସନ୍ତୋଷ ପ୍ରକାଶ କରିବା ସହ ତଦନ୍ତକୁ ନେଇ କିଛି ପ୍ରଶ୍ନ ଉଠାଇଛନ୍ତି। ଏସବୁ ପ୍ରଶ୍ନ ଉଠାଇବା ସହ ଦୋଷୀଙ୍କୁ ଶୀଘ୍ର ଦଣ୍ଡ ଦେବାଲାଗି ସୌମ୍ୟଙ୍କ ଭାଇ ପୁଣିଥରେ ଦାବି କରିଛନ୍ତି। ପଚାରିଛନ୍ତି-
- ନିଆଁ ଯଦି ଦୁର୍ଘଟଣା ବଶତଃ ଲାଗିଥିଲା, ତାହାଲେ ଏସିଏଫ୍ ଟ୍ରେନିଂ ବେଳେ ନିଆଁରୁ ବର୍ତ୍ତିବା କୌଶଳ ଶିଖିଥିବା ସୌମ୍ୟ କିପରି ଜଳିଗଲେ?
- ଯଦି ଏହା ଦୁର୍ଘଟଣା ନଥାଇ ଆତ୍ମହତ୍ୟା ଥିଲା, ତାହେଲେ ୯୦ ପ୍ରତିଶତ ପୋଡ଼ିବା ଯାଏଁ ପତ୍ନୀ ବିଦ୍ୟା ଭାରତୀ କଣ କରୁଥିଲେ?
- ପାରଳାଖେମୁଣ୍ଡି ହସ୍ପିଟାଲ୍ରେ ବର୍ଣ୍ଣ ଓ୍ୱାର୍ଡ ନଥିବା ସତ୍ତ୍ୱେ ଗୁରୁତର ସୌମ୍ୟଙ୍କୁ କାହିଁକି ରାତି ୯ଟାରୁ ୧୨, ତିନି ଘଣ୍ଟା ଯାଏଁ ସେଠାରେ ପକାଇ ରଖାଗଲା ?
- ସୌମ୍ୟଙ୍କୁ କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା ଦିଆଯାଉଥିବା ବି ପରିବାର ଲୋକେ ଅଭିଯୋଗ କରିଥିଲେ ଏ ସବୁ ଦିଗ ଉପରେ ତଦନ୍ତ କାହିଁକି କରାଯାଉନି?
ଜୁଲାଇ ୧୨ ତାରିଖ ସଂଧ୍ୟାରେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର ନିଆଁରେ ପୋଡ଼ି ହୋଇଯାଇଥିବା ବେଳେ ତା ପରଦିନ ସକାଳେ କଟକସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ପ୍ରାଣ ହରାଇଥିଲେ। ପରବର୍ତ୍ତୀ ସମୟରେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ବହୁ ହାତଲେଖା ଚିଠାରୁ ଉଭୟଙ୍କ ମଧ୍ୟରେ ବୈବାହିକ ସଂପର୍କ ଭଲ ନଥିବା ଜଣାପଡ଼ିଥିଲା। ଏବେ ଦେଖିବାର କଥା କ୍ରାଇମବ୍ରାଞ୍ଚ କେତେ ଶୀଘ୍ର ଏହି ବହୁଚର୍ଚ୍ଚିତ ଘଟଣା ଉପରୁ ପରଦା ହଟାଇ ପାରୁଛି।
ରିପୋର୍ଟ: ଆଦର୍ଶ ଦାସ, ନିରଂଜନ ବେହେରା, ଗୌତମ ପଣ୍ଡା, ଆଲୋକ ମହାନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)