• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ମାନସ ମର୍ଡର ମିଷ୍ଟ୍ରି ପଛରେ ଯେଉଁ ମେମୋରିଚିପ୍ କଥା କୁହାଯାଉଥିଲା, ତାର ହିଁ ତଥ୍ୟ ପାଇଲା ପୋଲିସ । ଅପହରଣ ଆଉ ହତ୍ୟା ପଛରେ ପ୍ରଭାବଶାଳୀଙ୍କ ଯେଉଁ ସଂପୃକ୍ତି ଆଶଙ୍କା କରାଯାଉଥିଲା, ତାହା ହିଁ ଆସିଲା ସାମ୍ନାକୁ । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ମହାଖୁଲାସା । ସାମ୍ନାକୁ ଆସିଲା ସାଂଘାତିକ ଷଡ଼ଯନ୍ତ୍ରର ପ୍ରମାଣ । କ୍ଷମତା କେନ୍ଦ୍ରର ପ୍ରଭାବଶାଳୀ ତଥା ପୂର୍ବତନ OIS ନିରଂଜନ ସେଠୀ ବନ୍ଧା ହୋଇଛନ୍ତି ଏହି ସମ୍ବେଦନଶୀଳ ମାମଲାରେ । ଯାହାଙ୍କ ସହ ୱେବ ଚାନେଲ ମାଲିକାଣି ଶର୍ମିଷ୍ଠା ରାଉତଙ୍କ ରହିଛି ଘନିଷ୍ଠ ସମ୍ପର୍କ । ଏକ ମେମୋରି ଚିପ୍ ପାଇଁ ଅପହରଣ ପରେ ମାନସଙ୍କୁ ଆକ୍ରମଣଠୁ ଡେଡ୍‌ବଡି ପୋତିବା ଯାଏଁ, ନିରଞ୍ଜନଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସାମ୍ନାକୁ ଆସିଛି । ମାମଲାର ମାସେ ପରେ ଆଜି ନିରଂଜନ ଓ ଆଉ ଜଣେ ଅଭିଯୁକ୍ତକୁ ଗିରଫ ପରେ ଖୁଲାସା କରିଛି ପୋଲିସ ।

ଗିରଫ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଛି । ତାଙ୍କୁ ଚାନ୍ଦବାଲି JMFC କୋର୍ଟ ଜାମିନ ଦେବାକୁ ମନା କରିଛନ୍ତି । ଏବେ ପୂର୍ବତନ OIS ନିରଞ୍ଜନ ସେଠୀ ଜେଲ୍‌ରେ କାଟିବେ ରାତି । ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଭଦ୍ରକ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । 

ତେବେ ଯେଉଁ ଚିପ୍‌ ପାଇଁ ମାନସଙ୍କୁ ମାରିଦିଆଗଲା, ସେଥିରେ କ’ଣ ଥିଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍‌ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ ।

ନୟାଗଡ଼ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି କ୍ଷମତା କେନ୍ଦ୍ରର ଜଣେ ପ୍ରଭାବଶାଳୀଙ୍କ ଚେହେରା ଏବେ ପଦାକୁ ଆସିଛି । ଯାହାଙ୍କ ନାଁ ନିରଂଜନ ସେଠୀ । ପୂର୍ବତନ ଓଆଇଏସ୍ ଅଧିକାରୀ ତଥା ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଗିରଫ ହୋଇଛନ୍ତି ଚାନ୍ଦବାଲି ପୋଲିସ ହାତରେ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି ଯେ, ମାନସଙ୍କୁ ହତ୍ୟା ଯୋଜନାଠୁ ମାଡ଼ ମାରିବା ଏବଂ ଶବ ପୋତିବା ଯାଏଁ ରହିଛି ନିରଂଜନଙ୍କ ହାତ । ଅବଶ୍ୟ ଅପହରଣ ପାଇଁ ଚାନ୍ଦବାଲି ଯାଇନଥିଲେ ନିରଂଜନ । ହେଲେ ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚିବା ପରେ ମାନସଙ୍କୁ ହାତରେ ଓ ଘାତକ ଅସ୍ତ୍ରରେ ମାଡ଼ ମାରିଥିଲେ । ଆଉ ମାନସଙ୍କ ମୃତ୍ୟୁ ପରେ ନୟାଗଡ଼ ନେଇ ଶବ ପୋତିବାରେ ବି ପ୍ରମୁଖ ଭୂମିକା ନେଇଥିଲେ ।

ନିରଂଜନଙ୍କ ଗିରଫଦାରୀ ପରେ ଏବେ ଗୁମର ଖୋଲୁଛି ୱେବ ଚାନେଲ୍ ମାଲିକାଣି ଶର୍ମିଷ୍ଠା ରାଉତ ଓ ନିରଂଜନଙ୍କ ଲିଙ୍କ୍ । ଅନେକ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ଘନିଷ୍ଠ ସମ୍ପର୍କ ଥିଲା । ତେବେ ସମାଜସେବୀ ତଥା ସାମ୍ବାଦିକା ଶର୍ମିଷ୍ଠାଙ୍କ ପ୍ରତି କେମିତି ଅହେତୁକ ଅନୁକମ୍ପା ଦେଖାଇଥିଲେ ନିରଂଜନ, ତାହାର ଏକ XCLUSIVE ତଥ୍ୟ ଲାଗିଛି ଓଟିଭି ହାତରେ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଥିଲେ ନିରଂଜନ । ଗତ ଫେବ୍ରୁୟାରୀ ୨୮ରେ ଚାକିରୀରୁ ଅବସର ନେଇଥିଲେ । କିନ୍ତୁ ଯେଉଁଦିନ ଅବସର ନେଲେ, ସେଦିନ ହିିଁଁ ଶର୍ମିଷ୍ଠାଙ୍କ ଦ୍ୱାରା ପରିଚାଳିତ ପାକ୍ଷିକ ସମ୍ବାଦପତ୍ର ସମ୍ପୂର୍ଣ୍ଣାକୁ ସରକାରୀ ବିଜ୍ଞାପନ ଦେବାକୁ ତାଲିକାଭୂକ୍ତ କରାଇଥିଲେ । ଓଟିଭିର ହସ୍ତଗତ ହୋଇଥିବା ଏକ ଚିଠି ଏହା ସ୍ପଷ୍ଟ ବୟାନ କରୁଛି । ସମ୍ପୂର୍ଣ୍ଣା ନାମକ ଖବରକାଗଜର ପ୍ରସାରଣ ସଂଖ୍ୟା ଦର୍ଶାଯାଇଛି ୧୫ ହଜାରରୁ ଅଧିକ । ଆଉ ୨୦୧୭ରେ ଶର୍ମିଷ୍ଠା କରିଥିବା ଆବେଦନକୁ ଗ୍ରହଣ କରି ସରକାରୀ ବିଜ୍ଞାପନ ଦେବା ପାଇଁ ତାଲିକାଭୁକ୍ତ କରିଥିଲେ ନିରଂଜନ ।

କେବଳ ଏତିକି ନୁହେଁ, ପୁଅର ନିଖୋଜ ନେଇ ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଶର୍ମିଷ୍ଠାଙ୍କ ବିରୋଧରେ ଏତଲା ଦେଇଥିଲେ ମାନସଙ୍କ ବାପା । ଏହା ଜାଣିବା ସତ୍ତ୍ୱେ ଅବସର ଦିନ ଶର୍ମିଷ୍ଠାଙ୍କ ପତ୍ରିକାକୁ ତାଲିକାଭୂକ୍ତ କରାଇଥିଲେ ନିରଞ୍ଜନ । ତେବେ ଶର୍ମିଷ୍ଠାଙ୍କୁ କାହିଁକି ଏତେ ଅନୁକମ୍ପା ? କେଉଁ ଆଧାରରେ ଆଶ୍ରମକୁ ଯାଉଥିଲେ ନିରଂଜନ ? ହତ୍ୟା ପଛରେ ଯେଉଁ ମେମୋରିଚିପ୍ କଥା କୁହାଯାଉଥିଲା, କଣ ରହିଛି ସେହି ଚିପ୍‌ରେ ? କାହା ପାଖରେ ଅଛି ସେହି ଚିପ୍ ? ଏସବୁ ଦିଗରେ ଅନୁସନ୍ଧାନ ଜାରି ରହିିଥିବା କହିଛନ୍ତି ଅତିରିକ୍ତ ଏସ୍‌ପି ।

ଫେବ୍ରୁୟାରୀ ୬, ୨୦୨୨ । ଭଦ୍ରକ ପଳାସପୁରକୁ ବାହାଘର ସୁଟିଂ ପାଇଁ ଯାଇଥିବାବେଳେ ମେମୋରିଚିପ୍ ପାଇଁ ମାନସଙ୍କୁ ଶର୍ମିଷ୍ଠା ସମେତ ୫ ଜଣ କାରରେ ଭୁବନେଶ୍ୱରକୁ ଅପହରଣ କରି ଆଣିଥିଲେ । ଆଉ ଆଶ୍ରମରେ ମାନସଙ୍କୁ ହତ୍ୟା କରି ନୟାଗଡ଼ ଅଞ୍ଚଳକୁ ନେଇ ପୋତି ଦେଇଥିଲେ । ତେଣେ ପୁଅର ପତ୍ତା ନମିଳିବାରୁ ପ୍ରଥମେ ନୟାଗଡ଼ ପୋଲିସ ଓ ପରେ ଫେବୃୟାରୀ ୧୪ରେ ଚାନ୍ଦବାଲି ଥାନାରେ ଏତଲା ଦେଇଥିଲେ ମାନସଙ୍କ ବାପା । ଏତଲା ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ମୃତଦେହ ଉଦ୍ଧାର କରିଥିଲା । ଆଉ ଏବେ ନିରଂଜନ ଓ ରଂଜନ ନାୟକ ଓରଫ୍ ରାଜ୍‌କୁ ଗିରଫ କରିଛି ପୋଲିସ । ତେବେ କୁଆଡ଼େ ଗଲେ ୱେବ ଚାନେଲ୍‌ର ମାଲିକାଣି ଶର୍ମିଷ୍ଠା ରାଉତ ? ଯେଉଁ ମହିଳା ନିଖୋଜ ବୋଲି ଅଭିଯୋଗ ଆଣିଥିଲେ ତାଙ୍କ ସ୍ୱାମୀ ଅରୁଣ ଭୋଇ, ସେହି ମହିଳା ଏବେ କେଉଁଠି ? ସମସ୍ତଙ୍କୁ ଖୋଜାଯାଉଥିବା କହିଛି ଚାନ୍ଦବାଲି ପୋଲିସ ।