• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଭୁଲିପାରୁନଥିବା ଝାରସୁଗୁଡ଼ା ବାସୀଙ୍କ ପାଇଁ ଆଉ ଏକ ଲୋମଟାଙ୍କୁରା ଏବଂ ଦୁଃଖଦ ଖବର । ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୫ ବର୍ଷର ପିଲାକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜଣେ ବ୍ୟବସାୟୀଙ୍କ ପୁଅକୁ ୩ ଦିନ ତଳେ ପ୍ରଥମେ ଝାରସୁଗୁଡାରୁ ଅପହରଣ ଓ ପରେ ହତ୍ୟା କରି ବରଗଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରିଛି । ଏଥିରେ ଏକାଧିକ ବ୍ୟକ୍ତି ସଂପୃକ୍ତ ଥିବା ଆଶଙ୍କା କରାଯାଉଥିବାବେଳେ ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ । ଯେଉଁ ପୁଅକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ, ସେହି ପୁଅ ସହ ଘଟିଯାଇଥିବା ଅଘଟଣ ପରେ ଦମ୍ଭ ରହୁନି ବାପାଙ୍କର।

କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଇଲାକା । ଝାରସୁଗୁଡ଼ା ସରବାହାଲର ସୁନୀତ ଅଗ୍ରୱାଲଙ୍କ ୧୫ ବର୍ଷିୟ ପୁଅ ସମର୍ଥ । ବୀଭତ୍ସ ଭାବେ ହତ୍ୟା ସହ ଜାଳି ଦିଆଯାଇଛି ସାରା ଶରୀରକୁ । ନା ଦେଖିହେବ ନା ଦେଖାଇହେବ । ଗତ ୨୭ ତାରିଖରେ ଅପହରଣ କରିଥିବା ଦୁର୍ବୃତ୍ତ ସମର୍ଥଙ୍କୁ ମରଣଶେଯରେ  ଶୁଆଇଦେଇଛନ୍ତି । ଦୁର୍ବୃତ୍ତମାନେ ହେଉଛନ୍ତି ଅମିତ କୁମାର ଶର୍ମା ଓ ଦିନେଶ ଅଗ୍ରୱାଲ । ଅମିତ ଝାରସୁଗୁଡା ବିଜୁନଗର ଅଞ୍ଚଳର ହୋଇଥିବାବେଳେ ଦିନେଶ ଅଗ୍ରୱାଲ ହେଉଛି ବ୍ରଜରାଜନଗରର । ପୋଲିସ ବର୍ତ୍ତମାନ ସୁଦ୍ଧା ଏହି ୨ ଜଣଙ୍କୁ ଗିରଫ କରିଛି । 

ସେଦିନ ଥିଲା ମାର୍ଚ୍ଚ ୨୭ ତାରିଖ । ସମୟ ଅପରାହ୍ନ ପ୍ରାୟ ୪ଟା । ମିଳିଥିବା ସୂଚନା ଅନୁଯାୟୀ, ସମର୍ଥ ଅଗ୍ରୱାଲ ଘରୁ ଏକ ସ୍କୁଟର୍ ଧରି କ୍ରିକେଟ ଖେଳିବାକୁ ଯାଉଥିଲେ । ଠିକ୍ ଏହି ସମୟରେ ଘରଠୁ କିଛି ଦୂରକୁ ଗଲାବେଳେ ପୂର୍ବରୁ ପରିଚିତ ଥିବା ଅମିତ ଶର୍ମା ପାଖକୁ ଡାକିବା ସହ ସ୍କୁଟର୍ ପଛରେ ବସିଥିଲେ। ପୋଲିସ ପକ୍ଷରୁ ଦିଆଯାଇଥିବା ସିସିଟିଭି ଫୁଟେଜରେ ରହିଛି ଏସବୁ ଦୃଶ୍ୟ ।

ଉଭୟ କିଛି ଦୂରକୁ ଗଲା ପରେ ଦିନେଶ ଅଗ୍ରୱାଲ ସହ ଦେଖାହେଲା ଏବଂ ସମର୍ଥକୁ ଅମିତ ଏହି କାରରେ ବସାଇ ନେଇଯାଇଥିଲା ଅଜଣାସ୍ଥାନକୁ । ସେଠାରୁ ସଂଧ୍ୟାରେ ସମର୍ଥଙ୍କ ବାପାଙ୍କୁ ଫୋନ କରିବା ସହ ଦୁଇ ଅଭିଯୁକ୍ତ ମୁଣ୍ଡ ଜାମିନ ସ୍ୱରୁପ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ । ଏ ସଂପର୍କରେ ସମର୍ଥଙ୍କ ବାପା ସୁନିତ ଝାରସୁଗୁଡା ପୋଲିସକୁ ଜଣାଇବା ପରେ ପୋଲିସ ମାମଲା ରୁଜୁ କରି ତନାଘନା ଜାରି ରଖିଥିଲା । ଆଉ ଫୋନକୁ ଟ୍ରାପ୍ କରି ଦୁଇ ଅଭିଯୁକ୍ତଙ୍କୁ ପ୍ରଥମେ ଥରିଥିଲା ଝାରସୁଗୁଡ଼ା ପୋଲିସ । ସେମାନଙ୍କ ସୂଚନା ଆଧାରରେ ବରଗଡ଼ ଭେଡେନ ପୋଲିସ ସହାୟତାରେ ଦେଶଭଟଲି ନିକଟ ନଈ ପାଖରୁ ସମର୍ଥଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । 

ବର୍ତ୍ତମାନ ଏହି ଘଟଣାର ଖୋଳତାଡ଼ ଜାରି ରହିଥିବାବେଳେ ଏହା ପଛରେ ଆଉ କାହାର ହାତ ରହିଛି ? ଟଙ୍କା ପାଇଁ ହତ୍ୟା ନା ଆଉ କୌଣସି ଲିଙ୍କ ରହିଛି ? ଅପହରଣ ଅଭିଯୋଗ ହେଲା କ୍ଷଣି ଦୁର୍ବୃତ୍ତଙ୍କୁ ତୁରନ୍ତ ଟ୍ରାପ୍ କରିପାରିବାରେ ବିଫଳ ହେଲା କି ପୋଲିସ ? ଏବେ ଏଭଳି ନାନା ପ୍ରଶ୍ନର ଘେରରେ ଝାରସୁଗୁଡ଼ା ପୋଲିସ ।

(ରିପୋର୍ଟର- ବରଗଡ଼ରୁ ଦୀପକ ଶର୍ମା ଓ ଝାରସୁଗୁଡାରୁ ଭାଗିରାଥୀ ସାହୁ)