• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜଧାନୀରେ ଆପାର୍ଟମେଣ୍ଟରେ ରହିବା ସଉକ ଏବେ ଲୋକଙ୍କୁ ମହଙ୍ଗା ପଡ଼ିଛି । କାରଣ ଆପାର୍ଟମେଣ୍ଟର ସମସ୍ତ ସିକ୍ୟୁରିଟି ବ୍ୟବସ୍ଥା ଏବଂ ପୋଲିସକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଲୁଟପାଟ୍ କରୁଛନ୍ତି ଲୁଟେରା । ଗତ ୨ଦିନ ଭିତରେ ତିନି ତିନିଟି ଲୁଟ୍ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ନିଦ ହଜାଇ ଦେଇଥିବାବେଳେ କମିଶନରେଟ୍ ପୋଲିସର ସେହି ଘୋଷା ପାଠ ଆମେ ଲୁଟେରାଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛୁ ।

ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି । ଗତରାତିରେ ମଞ୍ଚେଶ୍ୱର ଅଂଚଳର ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଦୁର୍ବୃତ୍ତ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଚୋରଙ୍କ କଳା କାରନାମା । ଏ ଫ୍ଲାଟରୁ ସେ ଫ୍ଲାଟକୁ ବୁଲି ପ୍ରଥମେ ରେକି କରିଛନ୍ତି ଏଭଳି ଆଉ ତାଲା ପଡ଼ିଥିବା ଫ୍ଲାଟକୁ ଟାର୍ଗେଟ କରି ବୁଲାଇଛନ୍ତି କଳାକନା । କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଗତ ୩୦ ତାରିଖ ରାତିରେ ପାହାଳ ଥାନା ଭୀମପୁରରେ ଥିବା କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟ ଏବଂ ପଟିଆସ୍ଥିତ ରୟାଲ୍ ଗାର୍ଡେନ୍ ରେସିଡେନ୍ସିଆଲ ଅଞ୍ଚଳରୁ ଚୋରି କରି ଚମ୍ପଟ ମାରିଛନ୍ତି ଲୁଟେରା ।

ଆପାର୍ଟମେଣ୍ଟରେ ପଶି ଲୁଟେରାଙ୍କ ଏଭଳି ଆତଙ୍କରାଜ ରାଜଧାନୀରେ ନୁଆ ନୁହେଁ । ଗତ କିଛି ମାସ ହେଲା ଚାଲିଛି ଏହି ଲୁଟତରାଜ ଟ୍ରେଣ୍ଡ । ଗତ ମାସେ ଭିତରେ ଭୁବନେଶ୍ୱରର ୩ଟି ଆପାର୍ଟମେଣ୍ଟରୁ ଚୋରି ହୋଇଥିବାବେଳେ ୪ ମାସ ମଧ୍ୟରେ ୯ଟି ଆପାର୍ଟମେଣ୍ଟର ୨୨ଟି ଫ୍ଲାଟକୁ ଟାର୍ଗେଟ କରିଛନ୍ତି ଲୁଟେରା । ପୋଲିସର ନିଦ ହଜାଇଥିବା ଏହି ଲୁଟେରାଙ୍କୁ ଧରିବାକୁ ପୋଲିସ ପ୍ଲାନ ପରେ ପ୍ଲାନ ଖଞ୍ଜିଚାଲିଛି ।

ଏପରିକି କିଛି ଦିନ ତଳେ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଆପାର୍ଟମେଣ୍ଟ ଲୁଟେରାଙ୍କ ପୋଷ୍ଟର ମାରିବା ସହ ତଥ୍ୟ ପ୍ରଦାନକାରୀଙ୍କୁ ପୁରସ୍କାରର ଲୋଭ ମଧ୍ୟ ଦେଖାଇଥିଲା । ଏପରିକି ଆପାର୍ଟମେଣ୍ଟ ଗୁଡ଼ିକୁ ଯାଇ ସେଠାରେ ନିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଭେଟି ସୁରକ୍ଷା ବ୍ୟବସ୍ଥା ନେଇ ପରାମର୍ଶ ବି ଦେଇଥିଲା । କିନ୍ତୁ ପୋଲିସର ସବୁ ଫନ୍ଦିକୁ ଫୁ’କରି ଆପାର୍ଟମେଣ୍ଟରେ ଲୁଟେରା ବୁଲାଇ ଚାଲିଛନ୍ତି କଳାକନା ।

ଧନଜୀବନର ସୁରକ୍ଷା ପାଇଁ ଲୋକେ ଆପାର୍ଟମେଣ୍ଟ କଲଚରକୁ ଆପଣାଉଛନ୍ତି । ଏଭଳି ସ୍ଥିତିରେ ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟରେ ପଶି ଲୁଟେରା ଲୁଟପାଟ୍ କରୁଥିବାବେଳେ କମିଶନରେଟ୍ ପୋଲିସର ଦାୟିତ୍ୱପଣିଆ ଏବଂ ଆପାର୍ଟମେଣ୍ଟରେ ନିଯୁକ୍ତ ଥିବା ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି ।

  • Reported by:
  • CHANDAN PAIKRAY