Advertisment

ଟଏଲେଟ୍ ଫ୍ଲସରେ ଟଙ୍କା ବିଡା.. ଆଲିସାନ୍ ବଙ୍ଗଳାରୁ ବାହାରିଲା ହୀରା ହାର !

ରେଡ୍ ବେଳେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ବିପୁଳ ସଂପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

author-image
Satyendu Shekher Mishra
undefined

Vigilance Raid

ଢେଙ୍କାନାଳ, ଆଠଗଡ଼, ଭୁବନେଶ୍ୱର ସମେତ ଏକସଙ୍ଗରେ ୮ଟି ସ୍ଥାନରେ ରେଡ୍ । କୁବେର ରେଞ୍ଜରଙ୍କ ଆଖି ଖୋସା ସଂପତ୍ତି ଓ ବିଳାଶୀ ସଉକ ଦେଖି ଅବାକ୍ ଭିଜିଲାନ୍ସ। ଆୟ ବହିର୍ଭୁତ ଅସତ୍ ଅର୍ଜନ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବନ ବିଭାଗ ଅଧିକାରୀ-ଢେଙ୍କାନାଳର ରେଞ୍ଜ ଅଫିସର ବିଭୁଦାନନ୍ଦ ମିଶ୍ର।

Advertisment

ବାବୁଙ୍କ ଅସତ୍ ଅର୍ଜନ ଭିଜିଲାନ୍ସ ଅଖିରେ ପଡ଼ିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଢେଙ୍କାନାଳ ସ୍ଥିତ ଘର ଟଏଲେଟ୍ ଫ୍ଲସ୍ ଭିତରୁ ବାହାରିଲା ପାଣି ଭିଜା ଦୁଇ ବିଡ଼ା ୫ ଶହ ଟଙ୍କିଆ ନୋଟ୍। ତେବେ ଏତିକିରେ କଥା ସରିନାହିଁ, ଆଗକୁ ଆହୁରି କେତେ କ’ଣ ଅଛି । ତାଙ୍କର ମାସିକ ଦରମା ୬୦ ହଜାର । ହେଲେ ରାଜ ଉଆସ ଠାଣିରେ ବାବୁଙ୍କ ଢେଙ୍କାନାଳ ରତ୍ନ ବଜାରରେ ରହିଛି ଦ୍ୱିତଳ ପ୍ରାସାଦ । ଆଉ ଚଢ଼ାଉ ବେଳେ ତା ଭିତରୁ ମିଳିଛି ବିଡ଼ା ବିଡ଼ା ଟଙ୍କା, ହୀରା ହାର, ସୁନା ଗହଣା ସହ ସୁନା ବିସ୍କୁଟ ଓ ଦୁଇଟି ଦାମୀ କାର ।

ଏତିକି ନୁହେଁ, ଆହୁରି ଅଛି । ଆଠଗଡ଼ ରାହାଙ୍ଗୋଳରେ ବାବୁଙ୍କର ୮ ଏକର ପରିମିତ ଅଞ୍ଚଳରେ ଏକ ଫାର୍ମ ହାଉସ ରହିଛି । କଣ ନାହିଁ ଏଠି । ସେ ବନ ବିଭାଗ ଅଧିକାରୀ, ତେଣୁ ଅବସର ବିନୋଦନ ପାଇଁ ସଉକ ବି ସେଇ ଭଳିଆ ଥିଲା । ମୟୂର, ଠେକୁଆ, ଶୁଆ, ବତକ ଭଳି ଅନେକ ଜୀବଜନ୍ତୁ ଆଛନ୍ତି ଫାର୍ମ ହାଉସ୍‌ରେ । ଅବସର ବିନୋଦନ ପାଇଁ ପାର୍କ ମଝିରେ ଭିୟୁ ପଏଣ୍ଟ ବି ରହିଛି । ଥକ୍କାପଣ ମେଣ୍ଟାଇବାକୁ ଆକର୍ଷଣୀୟ ଦୋଳି, ପିଲାଙ୍କ ଖେଳିବା ପାଇଁ କାହିଁ କେତେ ଉପକରଣ, ମର୍ଣ୍ଣିୱାକ୍ ପାଇଁ ସୁନ୍ଦର ରାସ୍ତା, ତା ଧାରରେ ସୁନ୍ଦର ସୁନ୍ଦର ମାର୍ବଲ ମୂର୍ତ୍ତି, ଏମିତି କେତେ କ'ଣ ରହିଛି । ଏଇ ୮ ଏକର ଫାର୍ମ ହାଉସ ବାଦ୍ ଆହୁରି କିଛି ଜମି କିିଣି ଏଠି ଏକ ଫିଲ୍ମସିଟିର ପରିକଳ୍ପନାରେ ଥିଲେ ବିଭୁଦାନନ୍ଦ। ହେଲେ ସବୁ ଫସର ଫାଟିଗଲା ।

Advertisment

ତେବେ ରେଞ୍ଜର ବାବୁଙ୍କ ଫାର୍ମ ହାଉସ କଥା ତ ଜାଣିଲେ, ତାପରେ ବାକି କୋଠା ବାଡ଼ି ଭିତରୁ ଭୁବନେଶ୍ୱର ଜିଜିପି କଲୋନି ସ୍ଥିତ ବିନ୍ଦ୍ରା ବସେରା ଆପାର୍ଟମେଣ୍ଟ କଥା କହିବା ଯଦି, ଏଠି ତାଙ୍କ ପୁଅ ରହୁଛନ୍ତି । ଏଇ ଫ୍ଲାଟ ବି କିଛି କମ୍‌ ନୁହେଁ । ବିଭୁଦାନନ୍ଦଙ୍କ ପୁଅ ରହୁଥିବା ସେଇ ଫ୍ଲାଟ୍‌ରୁ ମିଳିଛି ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ଘଣ୍ଟା, ଭୁବନେଶ୍ୱରରେ ଥିବା ଦୁଇଟି ପ୍ଲଟର କାଗଜପତ୍ର, ଏକାଧିକ ବ୍ୟାଙ୍କ ପାସବୁକ୍।

ଏକାବେଳକେ ୮ ସ୍ଥାନରେ ୭ ଡିଏସପିଙ୍କ ସମେତ ମୋଟ୍ ୨୦ ଅଫିସର ଆଜି ଭୋର ୪ଟାରୁ ସାମିଲ ହୋଇଥିଲେ ଏହି ରେଡରେ । ଏପର୍ଯ୍ୟନ୍ତ ବିଭୁଦାନନ୍ଦଙ୍କ ପାଖରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାବାଦ୍ ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଭୁବନେଶ୍ୱର ଓ ଢେଙ୍କାନାଳର ପ୍ରମୁଖ ସ୍ଥାନରେ ୮ଟି ପ୍ଲଟ୍ ପାଇଛି । ହାଇଦ୍ରାବାଦ୍ ନାନାକ୍ରାମଗୁଡ଼ାରେ ୨ଟି ଫ୍ଲାଟ୍ ସଂପର୍କରେ ସୁରାକ ବି ପାଇଛି ଭିଜିଲାନ୍ସ।

ପ୍ରଶ୍ନ ଉଠୁଛି ମାତ୍ର ୬୦ ହଜାର ଟଙ୍କା ପାଖାପାଖି ପାଉଥିବା ଜଣେ ବେତନଭୋଗୀ କର୍ମଚାରୀ ଏତେ ସଂପତ୍ତି ଠୁଳ କଲେ କେମିତି? ଯାହା ଭିଜିଲାନ୍ସ ଅଧିକାରୀଙ୍କୁ ବି ତାଜୁବ୍ କରିଛି। ହେଲେ ଏନେଇ ବିଭୁଦାନନ୍ଦଙ୍କ ପ୍ରତିକ୍ରିୟା ମିଳିପାରିନି। ଚଢ଼ାଉ ଏବେ ବି ଜାରି ରହିଥିବାରୁ ସଂପତ୍ତିର ତାଲିକା ଆଗକୁ ଆହୁରି ଲମ୍ବିବାର ସମ୍ଭାବନା ରହିଛି।

Vigilance Raid Raid
Advertisment
Advertisment