• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଟିକଟକ୍ ପରେ ଏବେ ରିଲସ୍ କବଳରେ ଯୁବପିଢି । ସୋସିଆଲ ମିଡିଆରେ ରିଲସ୍ କରି ରାତାରାତିଫେମସ୍ ହେବା ନିଶା ଘାରିଛି । ଏତେ ମତୁଆଲା ଯେ ଜୀବନକୁ ପାଣି ଛଡାଇବାକୁ ପଛାଉ ନାହାନ୍ତିରିଲସ୍ ମେକର । ଆଉ ରିଲସ୍ କରୁ କରୁ ଅସାବଧାନତା ଯୋଗୁ ଯାଉଛି ଅନେକ ଜୀବନ । ଗତକାଲି ଗଞ୍ଜାମ ଆସିକା ଅଂଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟ ଘଟିଥିଲା । ତେବେ ଏହାର କିଛି ସମୟ ପୂର୍ବରୁ ରିଲସ୍ ଭାଇରାଲ ହେବା ସହ ଦୁର୍ଘଟଣା ପଛର କାରଣ ରିଲ୍ସ ବୋଲି ଜଣାପଡିଛି ।

ମନୋରଞ୍ଜନର ମାଧ୍ୟମ ସାଜିଛି କି ମରଣଯନ୍ତା ? ରିଲ୍ସ ବା ସର୍ଟ ଭିଡିଓ ନେଉଛି କି ଜୀବନ ? ଯୁବପିଢିଙ୍କ ପାଇଁ ସର୍ଟ ଭିଡିଓ ସାଜିଛି କି ସାଇଲଣ୍ଟ କିଲର ? ଭିଡିଓ ସୁଟ୍ ବେଳେ ଆସାବଧାନତା ସାଜୁଛି କି କାଳ ? କାର୍ଗିଲ ବିଜୟ ଦିବସରେ ଜଣେ ଯବାନଙ୍କ ଅକାଳ ମୃତ୍ୟୁ ଘଟିଛି ଏଭଳି ରିଲସ୍ ନିଶା ଯୋଗୁଁ । ବୁଧବାର ଗଞ୍ଜାମ ଧରାକୋଟ ଥାନା ବରଡାବିଲ ଠାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏ ବିଏସଏଫ ଯବାନ ହେଉଛନ୍ତି ଜିତେନ୍ଦ୍ର କୁମାର ପାଢୀ । ଦୁର୍ଘଟଣା ପଛରେ ରିଲ୍ସ ହିଁ କାରଣ ବୋଲି କୁହାଯାଉଛି ।

କାହିଁକିନା ଦୁର୍ଘଟଣାର କିଛି କ୍ଷଣ ପୂର୍ବରୁ ବାଇକ ଚଳାଉଥିବା ବେଳେ କରିଥିବା ରିଲ୍ସ ଏବେ ଭାଇରାଲ ହେଉଛି । ଗୋଟେ ହାତରେ ବାଇକର ହାଣ୍ଡେଲ ଆଉ ଗୋଟେ ହାତରେ ମୋବାଇଲ ଧରି ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତରେ ରିଲ୍ସ କରି ପୋଷ୍ଟ କରିଛନ୍ତି ଜିତେନ୍ଦ୍ର । ତେଣୁ ରିଲ୍ସ କରୁଥିବାରୁ ବସ୍ ସହ ଧକ୍କା ହୋଇ ଦୁର୍ଘଟଣା ସ୍ଥାନୀୟ ଲୋକ କହୁଛନ୍ତି ।

ଖାଲି ସଡ଼କ ଦୁର୍ଘଟଣା ନୁହେଁ ରିଲ୍ସ ବେଳେ ଅସାବଧନତା ଯୋଗୁଁ ଅନେକ ପ୍ରାଣ ଯାଇଥିବା ଦେଖିବାକୁ ମିଳିଛି । କିଛି ମାସ ତଳେ ମୟୂରଭଞ୍ଜ ବାଲିଡିହା ଡ୍ୟାମରେ ରିଲ୍ସ କରୁଥିବା ବେଳେ ଜଣଙ୍କର ପାଣିରେ ବୁଡି ମୃତ୍ୟ ହୋଇଥିଲା । ସେହପରି ଫେବ୍ରୁଆରୀ ୨୩ରେ ନବରଙ୍ଗପୁର ରାଇଘର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ରିଲ୍ସ ନିଶାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡେଇଁବାକୁ ଉଦ୍ୟମ ବେଳେ ଆଜବେଷ୍ଟ ଛାତ ଭାଙ୍ଗି ଯାଇଥିଲା । ତେବେ ଅଳ୍ପକେ ବଞ୍ଚି ଯାଇଥିଲେ ଛାତ୍ର ଜଣକ । ୧୯ ମାର୍ଚ୍ଚ ୨୦୨୨ରେ ବିଳାସପୁରର ଜଣେ ୨୦ ବର୍ଷୀୟ ଛାତ୍ର କଲେଜ ପରିସରରେ ରିଲ୍ସ କରୁଥିବା ବେଳେ ଛାତରୁ ଗଳି ପ୍ରାଣ ହରାଇଥିଲେ । ସେହିପରି ୬ ମେ’ ୨୦୨୨ରେ ହାଇଦ୍ରାବଦରେ ଚଳନ୍ତା ଟ୍ରେନ ଆଗରେ ରିଲ୍ସ କରୁଥିବା ବେଳେ ସରଫରାଜ ନାମକ ଜଣେ ଯୁବକର ଜୀବନ ଯାଇଥିଲା । ତେବେ କାହିଁକି ରିଲ୍ସ ନିଶାରୁ ବାହାରି ପାରୁନାହାନ୍ତି ଯୁବ ପିଢି । ମନସ୍ତତ୍ୱବିତଙ୍କ ମତରେ ବଦଳୁଛି ଲୋକଙ୍କ ଜୀବନଶୈଳୀ । ପ୍ରତି ମୁହୂର୍ତ୍ତରେ ମନୋରଞ୍ଜନକୁ ପସନ୍ଦ କରୁଛନ୍ତି ଯୁବପିଢି । ଏହା ସହ ରାତାରାତି ଫେମସ ପାଇଁ ପ୍ଲାଟଫର୍ମ ଏବଂ ଆୟର ଉତ୍ସ ହେଉଥିବାରୁ ରିଲ୍ସ ପ୍ରତି ବଢୁଛି ଦୁର୍ବଳତା । ତେଣୁ ଏହା ପ୍ରତି ଥିବା ନିଶାକୁ କମାଇବାକୁ ପରାମର୍ଶ ଦେଇଛନ୍ତି ।

ଆସିକାରୁ ମନୋଜ ମୁନ୍ନୀ, ଭୁବନେଶ୍ବରରୁ କ୍ୟାମେରାପର୍ସନ ସନ୍ତୋଷ ତରାଇଙ୍କ ସହ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ, ଓଟିଭି

  • Reported by:
  • SOUMYA RANJAN SAHOO , Manoj Muni