• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଗୋଟିଏ କିଡନୀରେ ବଞ୍ଚିଛି ପୂରା ଗାଁ । ଦାରିଦ୍ର୍ୟରୁ ମୁକୁଳିବା ପାଇଁ ବିକି ଦେଉଛନ୍ତି କିଡନୀ । ଗରିବୀର ଫାଇଦା ନେଉଛନ୍ତି ଦଲାଲ । ଟଙ୍କା ଲୋଭ ଦେଖାଇ କାଢ଼ି ନେଉଛନ୍ତି କିଡନୀ । ଦଲାଲଙ୍କ ଷଡଯନ୍ତ୍ରର ଶିକାର ହେଉଛନ୍ତି ସରଳ ନିଷ୍କପଟ ମଣିଷ । ଦାରିଦ୍ର୍ୟ ଓ ଋଣ ବୋଝରୁ ମୁକୁଳିବା ପାଇଁ ଏମାନେ ପଡୁଛନ୍ତି ଦଲାଲଙ୍କ ଫାସରେ । ଆଉ ବାଂଲାଦେଶରୁ ଭାରତ ଆସି ବିକି ଦେଉଛନ୍ତି କିଡ୍‌ନୀ । କିଡନୀ ଚୋରି ରାକେଟ୍‌ ଏମିତି ଫନ୍ଦି କରି ଲୋକଙ୍କୁ ଜାଲରେ ଛନ୍ଦୁଛନ୍ତି ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ । 

ବାଂଲାଦେଶ ଉତ୍ତରପଶ୍ଚିମ ଜିଲ୍ଲା ଜୟପୁରହାଟ ସ୍ଥିତ ବାଝଗୁନୀ ଗାଁ । ଏଠାକର ୪୫ ବର୍ଷୀୟ ସଫିରୁଦ୍ଦିନ୍‌ । ସେ ଅଙ୍ଗ ତସ୍କରୀ ରାକେଟର ଶିକାର ହୋଇଛନ୍ତି । ଅଙ୍ଗଦାନ ବେଶ୍ ସହଜ । ଏଥିରେ କୌଣସି ଅସୁବିଧା ହେବ ନାହିଁ । ଗୋଟିଏ କିଡ୍‌ନୀରେ ମଧ୍ୟ ସାରା ଜୀବନ ବଞ୍ଚି ହେବ । ଦଲାଲଙ୍କ ଏ କଥାରେ ପଡି ସେ ନେଇଥିଲେ ବଡ଼ ପଦକ୍ଷେପ ।  

ଗତ ବର୍ଷ ଭାରତ ଆସି ଅଢ଼େଇ ଲକ୍ଷରେ ନିଜ କିଡ୍‌ନୀ ବିକ୍ରି କରିଥିଲେ ସଫିରୁଦ୍ଦିନ୍‌ । ଦାରିଦ୍ର୍ୟରୁ ମକୁଳିବା ପାଇଁ ଓ ନିଜ ଘର ତୋଳିବାକୁ ଏହି ପଦକ୍ଷେପ ନେଇଥିଲେ । କିନ୍ତୁ ତାଙ୍କର ଏହି ପଦକ୍ଷେପ ତାଙ୍କୁ ମହଙ୍ଗା ପଡିଛି । ତାଙ୍କ ଦେହ ଲଗାତାର ଅସୁସ୍ଥ ହେବା ସହ ସେ କାମ କରିବା ସାମର୍ଥ୍ୟ ହରାଇ ବସିଛନ୍ତି । ଅସ୍ତ୍ରୋପଚାର ପରେ ତାଙ୍କ ପାସ୍‌ପୋର୍ଟ, ମେଡିକାଲ ଚିଠା ଓ ଔଷଧ ବି କେଉଁଆଡେ ଗାଏବ୍‌ ହୋଇଯାଇଥିବା ସେ କହିଛନ୍ତି । 

ତେବେ କେବଳ ସଫିରୁଦ୍ଦିନ ନୁହନ୍ତି ଗାଁର ୩୫ ଜଣଙ୍କ ମଧ୍ୟରୁ ଜଣେ ଜଣେ କିଡନୀ ବିକି ଦେଇଛନ୍ତି । ପୂରା ଗାଁ କିଡ୍‌ନୀ ତସ୍କରୀର ଶିକାର ହୋଇଛି । ଅନେକଙ୍କୁ ଅଧା ଟଙ୍କା ମିଳିଥିବା ବେଳେ ଆଉ କିଛି ଟଙ୍କା ପାଇବା ଆଶାରେ ଅଛନ୍ତି । ଏହି ଗାଁ ଏବେ ୱାନ୍‌ କିଡନୀ ଭିଲେଜ୍‌ ନାଁରେ ପ୍ରସିଦ୍ଧ । ସେପଟେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିବା ପରେ ବାଂଲାଦେଶ ପୋଲିସ ଆକ୍ସନ ମୁଡ୍କୁ ଆସିଛି । ଅଙ୍ଗ ତସ୍କରୀ ନେଟୱର୍କ ଉପରେ ଚଢ଼ାଉ ଜୋରଦର କରିଛି । ଅନେକ ଦଲାଲ ଗିରଫ ହୋଇଛନ୍ତି ।

ଭାରତରେ ମାନବ ଅଙ୍ଗ ପ୍ରତିରୋପଣ ଆଇନ୍ ୧୯୯୪ ମୁତାବକ କିଡନୀ ଦାନ କେବଳ ନିକଟ ସମ୍ପର୍କୀୟ କିମ୍ବା ସରକାରଙ୍କ ଅନୁମତିରେ ହିଁ କରାଯାଇପାରିବ । କିନ୍ତୁ ଦଲାଲମାନେ ଖୋଲିଖୋଲି ଭାବେ ଏହି ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ନକଲି ଦସ୍ତାବିଜ ଓ ସମ୍ପର୍କୀୟଙ୍କ ଜାଲ୍‌ ପ୍ରମାଣପତ୍ର ଜରିଆରେ ଚକ୍‌ମା ଦେଇ ଲୁଟୁଛନ୍ତି ପୁଳା ପୁଳା ଟଙ୍କା ।