Advertisment

ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍; ଏଠି ସେଠି ସବୁଠି ଫ୍ଲାଟ୍‌, ବ୍ୟାଙ୍କରେ କୋଟି କୋଟି

ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Vigilance scanner

ବୌଦ୍ଧ RTO ବସନ୍ତ ମହାପାତ୍ରଙ୍କର ଅମାପ ସଂପତି ଦେଖି ଭିଜିଲାନ୍ସ ତାଜୁବ୍ । ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ଫ୍ଳାଟ୍ ସହ ରହିଛି ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ । ତା’ ସହ ଏଯାଏଁ ମିଳିଲାଣି ୩ କୋଟି ୭୫ ଲକ୍ଷ ଟଙ୍କାର ଫିକସ୍ ଡିପୋଜିଟ୍ । ଭୁବନେଶ୍ୱରର ବିଭିନ୍ନ ଫ୍ଳାଟ୍ ସମେତ ଆଜି ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

Advertisment

ରାଜାଧନୀ ଭୁବନେଶ୍ୱର ଠାରୁ ଆଇଟି ସିଟି ବେଙ୍ଗାଳୁରୁ । ଯେଉଁଠି ଦେଖ, ସେଇଠି ରହିଛି ଦାମୀ ଆପାର୍ଟମେଣ୍ଟ ଆଉ ଘର । ଭୁବନେଶ୍ୱରର ଏମିତି କୌଣସି ଦାମୀ ଆପାର୍ଟମେଣ୍ଟ ନାହିଁ ଯେଉଁଠି ବସନ୍ତଙ୍କ ଫ୍ଲାଟ୍ ନଥିବ । ପାହାଳରେ ଥିବା ଉତ୍କଳ ସିଗ୍ନେଚର । ଏଠି ରହିଛି ୩ ହଜାର ବର୍ଗ ଫୁଟର ଗୋଟିଏ ଆପାର୍ଟମେଣ୍ଟ, ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା । ସେହିଭଳି କଳାରାହାଙ୍ଗରେ ଥିବା ନାମୀଦାମୀ Z-1 ଇଷ୍ଟେଟରେ ୧୭୭୬ ବର୍ଗଫୁଟର ଏକ 5 BHK ଆପାର୍ଟମେଣ୍ଟ ପାଇଁ ଦିଆଯାଇଛି କୋଟିଏ ୩୫ ଲକ୍ଷ ଟଙ୍କାର ଆଡଭାନ୍ସ ।

ଶୈଳଶ୍ରୀ ବିହାରରେ ଥିବା ୱେଷ୍ଟ ଏଣ୍ଡ୍ ଆର୍ପାର୍ଟମେଣ୍ଟରେ ରହିଛି ଏକ 2BHK ଫ୍ଳାଟ୍ । କଳ୍ପନା ଛକରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ପ୍ରାୟ କୋଟିଏ ଟଙ୍କାର ଏକ 3BHK ଫ୍ଲାଟ୍ । ଭୁବନେଶ୍ୱରେ ଥିବା ସଂପତ୍ତିର ତାଲିକା ଏତିକିରେ ସରୁନି । କଳ୍ପନାରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨ କୋଟି ଟଙ୍କାର ୨ଟି ସପିଂ ଆଉଟଲେଟ୍ । ସେହିପରି ବେଙ୍ଗାଳୁରରେ ମଧ୍ୟ ଏକ ଦାମୀ ଆପାର୍ଟମେଣ୍ଟକୁ କିଣିବା ଲାଗି ସେ ୮୮ ଲକ୍ଷ ଆଡଭାନ୍ସ ଦେଇଥିବା ଜଣାପଡ଼ିଛି ।

Advertisment

ବାବୁ ବସନ୍ତ ମହାପାତ୍ରଙ୍କ ସଂପତ୍ତି ତାଲିକା ଏତିକିରେ ସରୁ ନାହିଁ । ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କାର ଜମା । ତା’ ଛଡ଼ା ଭିଜିଲାନ୍ସ ଚଢ଼ାଉବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର । ତେବେ ଚଢ଼ଉ ସରିନଥିବାରୁ ଏହି ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି ।

ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ଏକାଧିକ ଅଭିଯୋଗ ମିଳିବା ପରେ ବୌଦ୍ଧ ଅଫିସ୍ ସମେତ. ଗଞ୍ଜାମ ଭଞ୍ଜନଗର ସ୍ଥିତି ତାଙ୍କ ପୈତୃକ ଘର, ବ୍ରହ୍ମପୁର କମାପଲ୍ଲୀସ୍ଥିତ ସଂପର୍କୀୟଙ୍କ ବାସଭବନ ଆଦି ୧୦ଟି ସ୍ଥାନରେ ଏକାକାଳୀନ ଚଢାଉ କରିଛି ଭିଜିଲାନ୍ସ ।

ବସନ୍ତଙ୍କ ଏଭଳି ଆଖି ଖୋସିଦେବା ଭଳି ସଂପତି ପଦାକୁ ଆସିବା ପରେ ପରିବହନ ବିଭାଗରେ ଆଉ ଏଭଳି କେତେ କୁବେର ଅଫିସର ଅଛନ୍ତି ତାହାକୁ ନେଇ ଆଲୋଚନା । ଆଜି ଭୋର ସମୟରୁ ଆରମ୍ଭ ହୋଇଥିବା ଏହି ଚଢଉ ଜାରି ରହିଥିବାରୁ ବସନ୍ତଙ୍କର ସଂପତ୍ତି ତାଲିକା ଆହୁରି ଲମ୍ବିବାର ସମ୍ଭାବନା ରହିଛି ।

Vigilance Scanner
Advertisment
Advertisment