• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାରୀ ଗାଡ଼ି ଧକ୍କାରେ ଚାଲିଗଲା ମଣିଷ ଜୀବନ । ଖବର ପାଇ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ଗାଁ ଲୋକ । ରାଗରେ ତମତମ ହୋଇ ଜାଳିଦେଲେ ଗାଡ଼ି । ଏଭଳି ଏକ ଦୁର୍ଘଟଣା ଘଟିଛି ବ୍ରହ୍ମପୁର ଖଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଲଂଗଳେଶ୍ୱର ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ । ବିଳମ୍ବିତ ରାତି ପ୍ରାୟ ୧୨ଟା ବେଳେ ଘଟିଛି ଏଭଳି ଦୁର୍ଘଟଣା । ଏଥିରେ ଜଣେ ମୃତ ଜଣେ ଗୁରୁତର ହୋଇଥିବା ସୂଚନା ।

ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ପୁର୍ତ୍ତବିଭାଗର ଏକ ବୋଲେରୋ, ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟିକୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ଦୁଇ ସ୍କୁଟି ଆରୋହୀ ଗାଡ଼ିରୁ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁଇ ସ୍କୁଟି ଆରୋହୀ ହେଲେ ବାକୁଟୁ ଗାଁର ଶିବରାମ ସାହୁ ଓ ପ୍ରମୋଦ ସାହୁ । ସେମାନେ ନାରାୟଣି ଛକ ଠାରୁ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ପୂର୍ତ୍ତ ବିଭାଗର ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ପ୍ରମୋଦ ସାହୁ ଛିଟିକି ଯାଇ ଦୂରରେ ପଡିଥିବା ବେଳେ ଶିବରାମ ସାହୁ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଗୁରୁତର ଅବସ୍ଥାରେ ପ୍ରମୋଦ ସାହୁଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଲୁଗାଁ ମେଡ଼ିକାଲ ପରେ ଭୁବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାର ଖବର ପାଇ ତୁରନ୍ତ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ହୋହଲ୍ଲା କରିଥିଲେ । ସେମାନଙ୍କ ହୋ-ହଲ୍ଲା ଦେଖି ବୋଲେରୋରେ ଥିବା ସମସ୍ତ ବ୍ୟକ୍ତି ଭୟରେ ସେଠାରୁ ଫେରାର ହୋଇଯାଇଥିଲେ । ପରେ ଉତ୍ତ୍ୟକ୍ତ ଲୋକେ ସରକାରୀ ବୋଲେରେଟିକୁ ସେଠାରେ ଜାଳି ଦେଇଥିଲେ । ବୋଲେରୋଟି ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ଅତିରିକ୍ତ ଆଇଆଇସି ତଥା ଭେଜିପୁଟ ଫାଣ୍ଡି ଅଧିକାରୀ ପି.ସ୍ୱରୂପ କିଷାନ, ଖଲ୍ଲିକୋଟ ଥାନା ଏସଆଇ ଅମ୍ବିକା ବେଣିଆ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପୂର୍ତ୍ତବିଭାଗ ବୋଲେରୋରେ କେତେ ଜଣ କର୍ମଚାରୀ ଥିଲେ ତାହା ଜଣାପଡିନାହିଁ ।