• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜବତ ଟଙ୍କାରେ ପୋଲିସ୍ ଜାଲିଆତି କରିଥିବା ଅଭିଯୋଗ । କଣ୍ଟାବାଞ୍ଜିର ଏକ ଲଜ୍‌ରୁ ଟଙ୍କା ଜବତ ମାମଲାରେ ଜାଲିଆତି ନେଇ ଓଟିଭିରେ ପ୍ରସାରିତ ଖବରରେ ମୋହର ମାରିଲା ବଲାଙ୍ଗିର ପୋଲିସ। ଏସ୍.ପି କହିଛନ୍ତି ଜବତ ପରିମାଣରେ ଜାଲିଆତି ହୋଇଛି । ଏହାର ତଦନ୍ତ ଚାଲିଛି । ଅର୍ଥାତ କୋଟିଏରୁ ଅଧିକ ଟଙ୍କା ଜବତ କରିଥିଲେ ବି କଣ୍ଟାବାଞ୍ଜି ଏସ୍‌ଡିପିଓ ଜାଲିଆତି କରି ଜବତ ତାଲିକାରେ ୫୮ ଲକ୍ଷ ୫୨ ହଜାର ଟଙ୍କା ଦର୍ଶାଇଥିଲେ ମିଡିଆ ଆଗରେ । କେବଳ ଏତିକି ନୁହେଁ, ଗିରଫ ହୋଇଥିବା ତେଲେଙ୍ଗାନାର ଇଟାଭାଟି ମାଲିକଙ୍କୁ ଜୁଆଡ଼ି ବୋଲି ଦର୍ଶାଇଥିଲେ ଏସ୍‌ଡିପିଓ । ତେବେ କାହିଁକି ଏଭଳି ଜାଲିଆତି ? ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପିଙ୍କ ସ୍କାନର୍‌ରେ କଣ୍ଟାବାଞ୍ଜି ଏସ୍ଡ଼ିପିଓ ।

କଣ୍ଟାବାଞ୍ଜି ଏସ୍‌ଡିପିଓ ଗତକାଲି ଛାତି ଫୁଲାଇ ବର୍ଣ୍ଣନା କରିଥିଲେ କେମିତି ହୋଇଥିଲା ରେଡ୍ । କେମିତି ଧରିଥିଲେ ୭ ଜୁଆଡିଙ୍କୁ । ୫୮ ଲକ୍ଷରୁ ଅଧିକ ଟଙ୍କା କେମିତି ଜବତ କରିଥିଲା ପୋଲିସ, ମିଡିଆ ଆଗରେ ତାହା ବର୍ଣ୍ଣନା କରିଥିଲେ । କେବଳ ଏତିକି ନୁହେଁ ଆଇନ ତାବାଟରେ ଯିବ, ପୋଲିସ ତଦନ୍ତ ବାଟବଣା ହେବ ନାହିଁ ବୋଲି ଦମ୍ଭୋକ୍ତି ଶୁଣାଇଥିଲେ ଏସ୍‌ଡିପିଓ ହୃଷିକେଶ ମେହେର । କିନ୍ତୁ ଏସ୍‌ଡିପିଓଙ୍କ ତଥ୍ୟ ଆଉ ତାଙ୍କ ଭୂମିକା ଏବେ ବିବାଦର କାଠଗଡ଼ାରେ । 

ମିଡିଆ ସାମ୍ନାରେ ପୋଲିସ ଥାନା ଟେବୁଲ ଉପରେ ଥୁଆ ହୋଇଥିବା ପୁଳା ପୁଳା ଜବତ ନୋଟ୍‌କୁ ଏସ୍ଡ଼ିପିଓ ଦର୍ଶାଇଥିଲେ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା । ଆଉ ଗିରଫ ୭ ଅଭିଯୁକ୍ତଙ୍କୁ ଜୁଆଡ଼ି ବୋଲି ଦର୍ଶାଇଥିଲେ ଏସ୍‌ଡିପିଓ । ତେବେ ପୋଲିସର ଏଭଳି ତଥ୍ୟକୁ ନେଇ ଗତକାଲି ପ୍ରଶ୍ନ ଉଠାଇଥିଲା ଓଟିଭି । ଏହି ଖବର ପରେ ଯାଞ୍ଚ ପାଇଁ ବିଳମ୍ବିତ ରାତିରେ ଥାନାକୁ ଯାଇଥିଲେ ଅତିରିକ୍ତ ଏସ୍‌ପି । ଧରାପଡ଼ିଥିଲା ଏସ୍‌ଡିପିଓଙ୍କ ମିଛ । ଥାନାରେ ଥିବା ଏକ ବ୍ୟାଗ୍ ଭିତରରୁ ମିଳିଲା ଆହୁରି ୧୩ ଲକ୍ଷ ଟଙ୍କା । ତେବେ ଏ ସମ୍ପର୍କରେ କିନ୍ତୁ ଓଟିଭିକୁ ଅତିରିକ୍ତ ଏସ୍‌ପି କୌଣସି ପ୍ରତିକ୍ରିୟା ଦେଇନଥିଲେ । ହେଲେ ଆଜି ସକାଳେ ବଲାଙ୍ଗିର ଏସ୍.ପି ସ୍ୱୀକାର କରିଥିଲେ ଜବତ ଟଙ୍କା ପରିମାଣରେ ଜାଲିଆତି ହୋଇଛି ।

ସେପଟେମ୍ବର ୧୫, ସମୟ ରାତି ପ୍ରାୟ ୨ଟା । ତେଲେଙ୍ଗାନାର ୭ଜଣ ଲୋକ ଆସି କଣ୍ଟାବାଞ୍ଜି ଅନ୍ନପୂର୍ଣ୍ଣା ଲଜ୍‌ରେ ରହୁଥିବା ନେଇ କଣ୍ଟାବାଞ୍ଜି ଆଇ.ଆଇ.ସିଙ୍କ ଠାରୁ ଖବର ପାଇ ପହଞ୍ଚିଥିଲେ ଏସ୍‌ଡିପିଓ ହୃଷିକେଶ ମେହେର । ରୁମ୍ ନମ୍ବର ୫ ଓ ୭ରେ ରେଡ୍ କରି ୭ ଜଣ ଅଭିଯୁକ୍ତଙ୍କ ସହିତ ଏକ ବ୍ୟାଗକୁ ଥାନାକୁ ନେଇଥିଲେ ଏସ୍‌ଡିପିଓ । ଆଉ କହିଥିଲେ ୭ ଜୁଆଡ଼ିଙ୍କୁ ଧରିବା ସହ ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛୁ । କିନ୍ତୁ ପୋଲ ଖୋଲିଦେଲେ ହୋଟେଲ ମ୍ୟାନେଜର । ସେମାନେ ଜୁଆଡ଼ି ନୁହଁନ୍ତି ବରଂ ଇଟାଭାଟି ମାଳିକ । ସବୁବର୍ଷ ଭଳି ଏବର୍ଷ ବି ଶ୍ରମିକ ଚାଲାଣ ପାଇଁ ଆସିଥିଲେ ।

ଏହାପରେ ଏସ୍.ଡି.ପି.ଓଙ୍କ ଭୁମିକାକୁ ନେଇ ଉପୁଜିଥିଲା ଆଶଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଲଜରୁ ପୋଲିସ ୧ କୋଟି ୭ ଲକ୍ଷ ଟଙ୍କା ଜବତ କରିଛି । ତେବେ ବଳକା ଟଙ୍କା ଏବେ କେଉଁଠି ? କାହିଁକି ଦାଦନ ଚାଲାଣକାରୀଙ୍କୁ ଜୁଆଡ଼ି ଦର୍ଶାଇଥିଲେ ଏସ୍‌ଡିପିଓ ? ଏଭଳି ନାନା ପ୍ରଶ୍ନ ଭିତରେ ବଲାଙ୍ଗିର ଏସ୍‌ପି କହିଛନ୍ତି, ଅତିରିକ୍ତ ଏସ୍‌ପିଙ୍କ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ।