• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେଡି ନେତା ଧର୍ମେନ୍ଦ୍ର ମୃତ୍ୟୁରେ ଟୁଇଷ୍ଟ ଆଣିଲା ସିସିଟିଭି ଭିଡିଓ ଫୁଟେଜ୍ । ପଡ଼ୋଶୀ ଘରେ ଲାଗିଥିବା ସିସିଟିଭିରୁ ମିଳିଲା ବଡ଼ ସୁରାକ । ରାତି ଅଧରେ ଧର୍ମେନ୍ଦ୍ରଙ୍କ ଘର ପାଚେରୀ କେହି ଡେଉଁଥିବା ସିସିଟିଭିରେ କଏଦ୍ ହୋଇଛି । ରାତି ୧୨ଟା ୧୩ରୁ ୧୪ ମଧ୍ୟରେ ଜଣେ ବ୍ୟକ୍ତି ପାଚେରୀ ଡେଇଁଥିଲେ । ତେବେ ସେହି ବ୍ୟକ୍ତି ଜଣକ କିଏ ଏବେଯାଏଁ ସ୍ପଷ୍ଟ ହୋଇନାହିଁ ।

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଆତ୍ମହତ୍ୟା କରିଥିଲେ ଧର୍ମେନ୍ଦ୍ର ନା ଆଉ କିଛି ? ଚାପରେ ଥିଲେ କି ? ଯଦି, ଚାପରେ ଥିଲେ ତେବେ କିଏ ଦେଉଥିଲା ସେ ଚାପ? ପାରିବାରିକ କଳହ କଣ ଥିଲା ? ଏବେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ପୁରୀ ନିମାପଡ଼ାର ୧୧ ନମ୍ବର ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହଜନକ ଭାବେ ମୃତଦେହ ମିଳିଛି । ଭୁବନେଶ୍ୱର ସ୍ଥିତ ଧର୍ମେନ୍ଦ୍ରଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । କିଛି ଦିନ ପୂର୍ବରୁ ସେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହେବା ସହ ଏକ ଘରୋଇ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଫେସ୍‌ବୁକ୍ ପେଜ୍‌ରେ ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଯେଉଁଥିରେ ସେ ଲେଖିଛନ୍ତି, ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ।

ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସଂପର୍କ ରହିଛି, ଫୋନ୍‌ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ବଡ଼ ସସ୍‌ପେନ୍ସ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ । ତେବେ ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ । ପୋଲିସ୍ ଏବେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

ଅନ୍ୟପଟେ ଜ୍ୱାଇଁ ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ସେ କହିଛନ୍ତି, ଧର୍ମେନ୍ଦ୍ର ଟଙ୍କା ପାଇଁ ମୋ ଝିଅକୁ ମାରପିଟ୍ କରୁଥିଲେ । ତେବେ ଶ୍ୱଶୁର ଆଣିଥିବା ଅଭିଯୋଗ ଉପରେ ଧର୍ମେନ୍ଦ୍ରଙ୍କ ପରିବାର କିମ୍ବା ତାଙ୍କ ସ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଧର୍ମେନ୍ଦ୍ର ସାହୁଙ୍କର ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇ ଥାଇପାରେ । ଏଭଳି କିଛି ସନ୍ଦେହ ପ୍ରକାଶ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ସିଧା ନିଶାନା କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ।