• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ତେଜିଲା ଆନ୍ଦୋଳନ । ଗୋଟିଏ ପଟେ ବିଜେବି କଲେଜ ସାମ୍ନାରେ ରୁଚିକାଙ୍କ ପରିବାର ଓ ବିଭିନ୍ନ ଛାତ୍ର ସଂଗଠନର ଅହୋରାତ୍ର ଧାରଣା, ଅନ୍ୟପଟେ ଏ ପ୍ରସଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା । ସେପଟେ ରାଗିଂ ଅଭିଯୋଗ ଭିତରେ ରୁଚିକାଙ୍କୁ କେଉଁ ତିନି ସିନିୟର ଛାତ୍ରୀ ନିର୍ଯାତନା ଦେଉଥିଲେ, ସେ ନେଇ ଚାଲିଛି ପୋଲିସର ଖୋଳତାଡ଼ ।

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ବିଜେବି କଲେଜ୍ ସାମ୍ନାରେ ଅହୋରାତ୍ର ଧାରଣା ଚାଲିଥିବା ବେଳେ ଏପଟେ ଘଟଣାର ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ଅଚଳାବସ୍ଥା । ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାରକୁ ନ୍ୟାୟ ଦାବିରେ ଗତକାଲିଠୁ ଧାରଣାରେ ବସିଛନ୍ତି ରାଜ୍ୟର ବିଭିନ୍ନ ଛାତ୍ର ସଂଗଠନ । ପୋଷ୍ଟର ଓ ବ୍ୟାନର ସହ ସରକାର ବିରୋଧୀ ନାରାରେ କାଲି ରାତିରୁ କମ୍ପୁଛି କ୍ୟାମ୍ପସ । ନବ ନିର୍ମାଣ ଛାତ୍ର ସଂଗଠନର ଆମରଣ ଅନଶନରେ ଆଜି ସାମିଲ ହୋଇଛନ୍ତି ଛାତ୍ର କଂଗ୍ରେସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ।

ଋଚିକାଙ୍କ ବାପା, ମାଆ ଓ ଭାଇ ବି ଛାତ୍ରଛାତ୍ରୀଙ୍କ ସହ ଧାରଣା ଦେଇଛନ୍ତି । ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ, ଆତ୍ମହତ୍ୟା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଚିହ୍ନଟ ଓ ରାଗିଂ ବନ୍ଦ ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଗଣଧାରଣା ଜାରି ରହିଛି । ଏସବୁ ଭିତରେ ରୁଚିକାଙ୍କ ସୁଇସାଇଡ୍ ନୋଟରେ ଉଲ୍ଲେଖ ଥିବା ତିନି ଜଣ ସିନିୟର କିଏ, ସେମାନଙ୍କ ନିକଟରେ ଏଯାଏଁ ପହଞ୍ଚି ପାରିନି ପୋଲିସ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରୁଚିକାଙ୍କ ପରିବାର ସଦସ୍ୟ । ସେପଟେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ତଦନ୍ତ ଲାଗି ଏକ ୭ ଜଣିଆ କମିଟି ଗଠନ କରିଛନ୍ତି କଲେଜ ଅଧ୍ୟକ୍ଷ । କଲେଜରେ ଅଶାନ୍ତ ପରିବେଶକୁ ନଜରରେ ରଖି ଆଜି ହେବାକୁ ଥିବା +୩ ଶେଷ ବର୍ଷର ସେମିଷ୍ଟର ପରୀକ୍ଷାକୁ ସ୍ଥଗିତ ରଖାଯିବା ସହ କିଛି କ୍ଲାସକୁ ମଧ୍ୟ ବାତିଲ କରାଯାଇଛି ।

ଏପଟେ ଋଚିକା  ଆତ୍ମହତ୍ୟା ଘଟଣା ନେଇ ହୁଲୁସ୍ତୁଲ ବିଧାନସଭା । ଆଜି ପ୍ରଶ୍ନକାଳରେ ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ । ଫଳରେ ପ୍ରଶ୍ନ କାଳ ଚାଲି ନପାରିବାରୁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଏ ମାମଲାରେ ରାଜ୍ୟ ପୋଲିସର ତଦନ୍ତ ଉପରେ ଭରସା ନଥିବା କହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । କଂଗ୍ରେସ ବି ସମାନ ଆଭିମୁଖ୍ୟ ନେଇ ଘଟଣାର ସିବିଆଇ ତଦନ୍ତ ସହ ରାଜ୍ୟର ବିଭିନ୍ନ କଲେଜରେ ଆଣ୍ଟି ରାଂଗି ନିୟମ କଡ଼ାକଡ଼ି ପାଇଁ ଦାବି କରିଛି । ତେବେ ବିରୋଧୀଙ୍କ ଏ ଦାବି ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବେ ବୋଲି କହିଥିଲେ ବାଚସ୍ପତି ।

ରାଗିଂ ପାଇଁ ମେଧାବୀ ଛାତ୍ରୀ ରୁଚିକାଙ୍କ ମୃତ୍ୟୁର ପ୍ରତିବାଦ ଓ ତାଙ୍କ ପରିବାରକୁ ନ୍ୟାୟ ଦାବି କରି ରାଜଧାନୀ, ତାଙ୍କ ଜନ୍ମମାଟି ଆଠଗଡ଼ର କଖଡ଼ି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ ରାଲି କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now