• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରିମାଣ୍ଡରେ ବିରଞ୍ଚି ସାହୁ ।

  • ୪ ଦିନ ଧରି ହେବେ ଜେରା ।

  • OSSC କାର୍ଯ୍ୟାଳୟରେ ପଶିଲା ଭିଜିଲ୍ଲାନ୍ସ ।

ଭୁବନେଶ୍ୱର: କୁବେର କିରାଣୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ସହ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ର ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଛି ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନ ହେଉଛି, OSSC ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ତ ? ସବୁ ଯୋଗ୍ୟ ପ୍ରାର୍ଥୀ ପାଉଥିଲେ ତ ଚାକିରି ? ଜଣଙ୍କ ପରେ ଜଣେ ଆଶାୟୀ ସାମ୍ନାକୁ ଆସି OSSC ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଏଭଳି ପୁଳା ପୁଳା ଅଭିଯୋଗ ଆଣୁଛନ୍ତି ।

କିରାଣୀରୁ କୋଟିପତି ବନିଥିବା ବିରଞ୍ଚି ସାହୁଙ୍କ ଗିରଫଦାରୀ ପରେ ସ୍କାନରରେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ । ସିଧାସଳଖ ଭାବେ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଉଠିଛି ପ୍ରଶ୍ନ । ଆଉ ଏହି ପ୍ରଶ୍ନ ଉଠାଉଛନ୍ତି ଜଣଙ୍କ ପରେ ଜଣେ ଆଶାୟୀ । ଚିନ୍ମୟ ରାଉତ ୨୦୧୦ରେ ଜୁନିଅର୍ ଆସିଷ୍ଟାଣ୍ଟ ଲିଖିତ ପରୀକ୍ଷା ଦେଇଥିଲେ । ମୋଟ ମାର୍କ ରହିଥିଲା ୧୭୭.୨୫ । SEBC ବର୍ଗରେ କଟ୍ ଅଫ୍ ମାର୍କ ମାଗିଥିଲେ ବି ସେତେବେଳେ ତାଙ୍କୁ ଦିଆଯାଇନଥିଲା । ଚିନ୍ମୟଙ୍କ ଜଣେ ବନ୍ଧୁଙ୍କୁ ଦିଆଯାଇଥିବା କଟ୍ ଅଫ୍ ମାର୍କରେ ବି ରହିଛି ସାଂଘାତିକ ତଥ୍ୟ । ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, SEBC ବର୍ଗରେ ନିଯୁକ୍ତି ପାଇଥିବା କଟ୍ ଅଫ୍ ମାର୍କ ହେଉଛି ୧୭୫ । ଏବେ ଚିନ୍ମୟ ଅଭିଯୋଗ କରିଛନ୍ତି ତାଙ୍କଠାରୁ କମ୍ ମାର୍କ ରଖିଥିବା ପିଲା ଚାକିରି ପାଇଛନ୍ତି । ହେଲେ ତାଙ୍କୁ ମିଳିଲାନି । ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ହୋଇଛି ।

କୋଟିପତି ପିଏସ୍ ବିରଞ୍ଚି ସାହୁ ଓ OSSCର ନିଯୁକ୍ତି ପ୍ରକ୍ରିୟା ଉପରେ ପୁଳା ପୁଳା ପ୍ରଶ୍ନ ଉଠୁଥିବା ବେଳେ ମଙ୍ଗଳବାର ଷ୍ଟାଫ୍ ସିଲେକ୍ସନ୍ କମିଶନ୍ କାର୍ଯ୍ୟାଳୟରେ ପହଞ୍ଚିଛି ଭିଜିଲାନ୍ସ ଟିମ୍ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ୨ ଜଣିଆ ଟିମ୍ । ଅଫିସରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ ସହ ତଥ୍ୟ ସଂଗ୍ରହ କରିଛନ୍ତି । OSSC ଅଧ୍ୟକ୍ଷ ଏବଂ ସଚିବଙ୍କ ସହ ଘନ ଘନ ଆଲୋଚନା କରିଛନ୍ତି ଭିଜିଲାନ୍ସ ଟିମ୍ । ଗିରଫ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଚାମ୍ବରରୁ ମଧ୍ୟ କିଛି ଫାଇଲ୍ ଏବଂ ଦସ୍ତାବିଜ ଜବତ କରିଛନ୍ତି ।

ପ୍ରଥମେ ସସ୍ପେଣ୍ଡ, ତାପରେ ଚାକିରିରୁ ବିଦା । ଆଉ ଏବେ ଘନ ଘନ ଯାଞ୍ଚ । ଗିରଫଦାରିର ୫ ଦିନ ପରେ OSSC ଅଫିସରେ ଛାନବିନ କରିଛି ଭିଜିଲାନ୍ସ । ତେବେ ପ୍ରଶ୍ନ ଉଠୁଛି, ବିରଞ୍ଚିଙ୍କ ବିରୋଧରେ କେବଳ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ କରି ଦାୟିତ୍ୱ ଛଡାଇଦେବ କି ଭିଜିଲାନ୍ସ ? ବିରଞ୍ଚିଙ୍କୁ ଗିରଫ ପରେ ଥଣ୍ଡା ପଡିଯିବନି ତ ତଦନ୍ତ ? ନା ବିରଞ୍ଚିଙ୍କ ପାଖକୁ ଆସୁଥିବା କୋଟି କୋଟି ଟଙ୍କାର ଉତ୍ସ ଓ ଏଥିରେ କେଉଁ ବଡ଼ବାବୁମାନେ ସଂପୃକ୍ତ ଜାଣିବାକୁ କରାଯିବ ଉଦ୍ୟମ । ଅନ୍ୟପଟେ ଆଜି ବିରଞ୍ଚି ସାହୁଙ୍କୁ ଏବେ ୪ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । OSSC କାରବାର ସଂପର୍କରେ ପଚରାଉଚରା କରିବ ଭିଜିଲାନ୍ସ ।