• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରିମାଣ୍ଡରେ ଆସିବେ ହନିଟ୍ରାପ୍ କପୁଲ୍ ନାଗ-ଚାନ୍ଦ । ଫିଟିବ ନାଗ ସାମ୍ରାଜ୍ୟର ଭାନୁମତୀ ପେଡ଼ି । ତଥ୍ୟ ଆଦାୟ ପାଇଁ ପ୍ରସ୍ତୁତ ହେବାକୁ ଥିବା ପ୍ରଶ୍ନରେ ଯେମିତି ତ୍ରୁଟି ନରହେ, ସେଥିପାଇଁ ଇଡି ଚଳାଇଛି ଗ୍ରାଉଣ୍ଡୱାର୍କ । ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ପ୍ରଶ୍ନବାଣରେ ଛନ୍ଦିବାକୁ ଇଡି ପ୍ରସ୍ତୁତ କରୁଛି ବ୍ଲୁ-ପ୍ରିଣ୍ଟ ।

ସେହି ପ୍ରସ୍ତୁତି କ୍ରମରେ ବିଜ୍‌ନେସ୍ ପାର୍ଟନରଙ୍କଠୁ ଅନୁଗତଙ୍କ ଯାଏଁ ଘାଣ୍ଟିଚାଲିଛି ଦିନ ତମାମ । ସମୟ ସକାଳ ପ୍ରାୟ ସାଢ଼େ ୭ । ଆଜି ଦ୍ୱିତୀୟ ଥର ପାଇଁ ଇଡି ଅଫିସରେ ହାଜର ହୋଇଥିଲେ ହନିଟ୍ରାପ୍‌ର ମୁଖ୍ୟ ସୂତ୍ରଧର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା । ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଭିଯୋଗ ଆଧାରରେ ଇଡି ଆଜି ଶ୍ରଦ୍ଧାଞ୍ଜଳିକୁ ଦ୍ୱିତୀୟ ଥର ଜେରା କରିଛି ।

କେମିତି ହେଉଥିଲା ବ୍ଲାକମେଲ୍ ଓ ଆର୍ଥିକ କାରବାର ? କାହା ମାଧ୍ୟମରେ ଟଙ୍କା ଆସୁଥିଲା ଅର୍ଚ୍ଚନା ପାଖକୁ ? ଆଦାୟ ଅର୍ଥରୁ ଶ୍ରଦ୍ଧାଞ୍ଜଳିଙ୍କ ଭାଗ କେତେ ରହୁଥିଲା ? ଯଦି ସେ ଅର୍ଚ୍ଚନା, ଜଗବନ୍ଧୁ ଆଉ ଖଗେଶ୍ୱର୍ ଦ୍ୱାରା ବ୍ଲାକମେଲ୍‌ର ଶିକାର ହୋଇ ମୋହରା ସାଜୁଥିଲେ, ତେବେ ଏତେ ବିଳମ୍ବରେ ଏତଲା ଦେବା ପଛର ରହସ୍ୟ କଣ ? ଏମିତି କିଛି ସମ୍ଭାବ୍ୟ ପ୍ରଶ୍ନ ପଚାରି ଇଡି ତଥ୍ୟ ହାତେଇଥିବା ସୂଚନା ମିଳିଛି ।

ନାଗ ସାମ୍ରାଜ୍ୟର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍‌ରେ ଥିବା ED ଖୁଆଡ଼କୁ ଆଜି ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଆସିଛନ୍ତି । କୁହାଯାଉଛି, ଅର୍ଚ୍ଚନା କୁଆଡ଼େ ଯାଉଥିଲା ? କାହା ସହ ମିଶୁଥିଲା ? କିଏ କିଏ ଆସୁଥିଲେ ସତ୍ୟ ବିହାର ସ୍ଥିତ ବିଳାସମୟ କୋଠାକୁ ? ତାହାର ସବୁ ତଥ୍ୟ ଚନ୍ଦନ ପାଖରେ ରହିଛି । ତେଣୁ ସମନ ପାଇଥିବା ଚନ୍ଦନ ଆଜି ଇଡି ଅଫିସରେ ହାଜର ହୋଇ ଏସବୁର କିଛି ଗୁପ୍ତ ତଥ୍ୟ ଦେଇଥିବା ଚର୍ଚ୍ଚା ହେଉଛି ।

ନାଗ-ଚାନ୍ଦଙ୍କ ଅନୁଗତ ଓ ଘନିଷ୍ଠ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର ଓ ଚନ୍ଦନକୁ ଧରି ନାଗ ସାମ୍ରାଜ୍ୟର ତଥ୍ୟ ରେକର୍ଡ କରିଛି ଇଡି । କାରଣ ଇଡି ଖୁଆଡ଼କୁ ଆଗକୁ ଆସିବେ ଅର୍ଚ୍ଚନା ଓ ଜଗବନ୍ଧୁ । ଆସନ୍ତା ୩୦ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଇଡି ରିମାଣ୍ଡ ଆବେଦନ କରିବାକୁ ପ୍ରସ୍ତୁତି ଚଳାଇଛି । ତାପୂର୍ବରୁ ଏହି ନିକଟ ସଂପର୍କୀୟଙ୍କଠାରୁ ତଥ୍ୟ ହାତେଇ ଇଡି ଏକ ଖସଡ଼ା ପ୍ରସ୍ତୁତ କରୁଥିବା କୁହାଯାଉଛି ।

ସିନେ ପ୍ରଯୋଜକ, ବ୍ୟବସାୟୀ ଓ ୩ ଅନୁଗତଙ୍କୁ ଏବେ ଜେରା କରି ଆଉ କିଛି ପ୍ରଭାବଶାଳୀଙ୍କ ନାଁ ପାଇଛି ଇଡି । ଯେଉଁଥିରେ ରହିଛନ୍ତି ସୁନା ବ୍ୟବସାୟୀ, ଖଣି ବ୍ୟବସାୟୀ ଏବଂ ହୋଟେଲ୍ ବ୍ୟବସାୟୀ । ଏପରିକି ନେତା, ସରକାରୀ ବାବୁଙ୍କ ନୂଆ ନାଁ ବି ଚର୍ଚ୍ଚା ହେଉଛି । କାରଣ ସତ୍ୟବିହାରରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିକୁ ନେଇ ବହୁ ଚାଞ୍ଚଲ୍ୟକର ତଥ୍ୟ ପାଇଛି ଇଡି । ଯେଉଁ ବ୍ୟକ୍ତିଙ୍କଠୁ ଜମି କିଣିଥିଲେ, ସେହି ବ୍ୟକ୍ତିଙ୍କୁ ବି ଇଡି ନୋଟିସ୍ କରିଛି । ତେଣୁ ଆଗକୁ ଏଭଳି ଅନେକ ବ୍ୟକ୍ତିଙ୍କ ଇଡି ଅଫିସରେ ଧାଡ଼ି ଲାଗିପାରେ ବୋଲି ଚର୍ଚ୍ଚା ହେଉଛି ।