• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ । କେବିଏନ୍ ଗ୍ରୁପ ବିରୋଧରେ ଜବରଦସ୍ତ ଆକ୍ସନ୍ ନେଉଛି ପୋଲିସ । ଗତକାଲି କେବିଏନ୍‌ ଗ୍ରୁପ୍‌ର ସଦସ୍ୟ ରାଜେଶ ଓରଫ ଚେଙ୍ଗ ଘରେ ଚଢ଼ାଉ କରିବା ସହ ଘର ଭାଙ୍ଗି ଖାନ ତଲାସି କରିଥିବା ବେଳେ ଆଜି ଆଉ ଜଣେ ଗ୍ୟାଙ୍ଗ ସଦସ୍ୟ ସଂଜୟ ଘରେ ପଶିଛି ପୋଲିସ । ସଞ୍ଜୟର ନୟାପଲ୍ଲୀସ୍ଥିତ ବ୍ରିଟ୍‌ କଲୋନିରେ ଥିବା ଘରକୁ ଭାଙ୍ଗାଯାଇଛି । ସରକାରୀ ଜାଗାରେ ଘର କରିଥିଲା ସଂଜୟ । ସେଠାରେ ପୋଲିସର ରେଡ୍ ପଡ଼ିଥିଲା ଆଉ ତନ୍ନତନ୍ନ କରି ଯାଞ୍ଚ କରିଥିଲା ପୋଲିସ । ଘରର ସିଲିଂ ଭିତର ଓ ଛାତ ଉପରକୁ ଯାଇ ଯାଞ୍ଚ କରିଛି ପୋଲିସ । ସିଲିଂ ଭାଙ୍ଗିବା ସହ ଚଟାଣ ମଧ୍ୟ ଖୋଳିଛି ପୋଲିସ ।

ଗତାକାଲି ଚେଙ୍ଗ ଘର ଭାଙ୍ଗିବା ପରେ ସେଠାରୁ ମାରଣାସ୍ତ୍ର ଜବତ କରାଯାଇଥିଲା । ଆଜି ସଞ୍ଜୟ ଘରୁ ମଧ୍ୟ ମାରଣାସ୍ତ୍ର ଜବତ କରାଯାଇଛି । ସେମାନେ ନିଜ ଘରେ ମାରଣାସ୍ତ୍ର ରଖିଥିବା ଖବର ପାଇ ପୋଲିସ ଏଭଳି ପଦକ୍ଷେପ ନେଇଛି । ତେବେ ଚେଙ୍ଗ ଓ ସଞ୍ଜୟ ଏବେ ସୁଦ୍ଧା ଫେରାର ଅଛନ୍ତି । କେବିଏନ୍‌ ଗ୍ରୁପ୍‌ର ଭାଇରାଲ ଭିଡିଓରେ ବ୍ୟବହାର ହୋଇଥିବା ମାରଣାସ୍ତ୍ରକୁ ଖୋଜୁଛି ପୋଲିସ୍ । 

ଭୁବନେଶ୍ୱର ଡିସିପିଙ୍କ କହିବାନୁଯାୟୀ କେବିଏନ୍‌ ଗ୍ରୁପ୍‌ର ୨୯ ଜଣଙ୍କ ନାଁରେ ମାମଲା ହୋଇଛି । ଏବେ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ପ୍ରଥମେ ୫ ଜଣଙ୍କୁ ଗିରିଫ କରିଥିବା ବେଳେ ଗତକାଲି ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେମାନେ ହେଲେ କାହ୍ନା ଓ ସାହିଲ ।

ତେବେ ଏହି ଗ୍ରୁପ୍‌ର ଗୋଟିଏ ନୁହେଁ ଏକାଧିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଗୋଟିଏ ଭିଡିଓ ଭାଇରାଲ ହୋଇଥିବା ବେଳେ ସମସ୍ତେ ଆତଙ୍କିତ ହୋଇପଡ଼ିଥିଲେ । ଯାହାକୁ ନେଇ ପୁରା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ପରେ ପୁଣି ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ସବୁଠାରୁ ବଡ଼ କଥା ହେଲା ଏହି ସବୁ ଭିଡିଓରେ ମାରଣାସ୍ତ୍ର ରହିଛି । ଏମିତିକି ବାର୍ଥ ଡେ’ କେକ୍‌ ମଧ୍ୟ ଏକ ବିରାଟ ଖଣ୍ଡାରେ କାଟୁଥିବା ଭିଡିଓ ଭାଇରାଲ ହୋଇଛି ।