• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଡଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ ପଇଁତରା ମାରୁଛି ପୋଲିସ । ହେଲେ କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଅପରାଧୀ । ଗତକାଲି ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଆଜି ପୋଲିସ ୮ ଜଣଙ୍କୁ ଗିରଫ କରିଛି । ଆହୁରି ଅନେକ ଫେରାର ଅଛନ୍ତି । ଏକ ଗ୍ୟାରେଜରେ ବସିବାକୁ କେନ୍ଦ୍ର କରି ପ୍ରଥମେ ଗଣ୍ଡଗୋଳ ଓ ପରେ ସଂଘବନ୍ଧ ଆକ୍ରମଣ ହୋଇଥିଲା ।

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ଏମାନେ କେବିଏନ ଗ୍ରୁପର ସଦସ୍ୟ ବୋଲି ଜଣାପଡିଛି । ଏମାନେ ସେହି ଅସାମାଜିକ ଯୁବକ, ଯିଏ ଗତକାଲି ରାତିରେ ରାଜଧାନୀର ଛାତି ଉପରେ ଆତଙ୍କ ଖେଳାଇଥିଲେ । ବିଚ୍ ରାସ୍ତାରେ ମାରଣାସ୍ତ୍ର ଧରି ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ।

ଆଜି ରାଜ୍ୟ ବାହାରକୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସମସ୍ତଙ୍କୁ ଧରିଛି ପୋଲିସ । ସେମାନଙ୍କ ଠାରୁ ଖଣ୍ଡା ଏବଂ କାରକୁ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ଗତକାଲି ରାତି ପ୍ରାୟ ୯ଟା । ରାଜଧାନୀର ହାଇସିକ୍ୟୁରିଟି ଜୋନ ଏୟାରପୋର୍ଟ ଛକ ନିକଟରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ହାତରେ ଖଣ୍ଡା ଧରି ୨୦-୩୦ ଜଣ ଆସାମାଜିକ ଯୁବକ ଦୁଇ ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ଆକ୍ରମଣରେ ମଦନ ମହାରଣା ଓରଫ ଶିବାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଏସସିବିରେ ଚିକିତ୍ସା ଚାଲିଛି ।

ଖଟି ପାଇଁ ଜାଗା ମାଗି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦାଦାଗିରି ଓ ଭୟର ବାତାବରଣ ସୃଷ୍ଟି କରୁଥିବା ଏକ ଭିଡିଓ ପୋଲିସ ହାତରେ ଲାଗିଛି । ଆଉ ସେହି ଭିଡ଼ିଓରେ ରହିଛି ଗିରଫ ଅଭିଯୁକ୍ତ କାହ୍ନା । କେବଳ ସେ ନୁହେଁ, ଗିରଫ ୮ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଅପରାଧୀ ଗୋଷ୍ଠୀ କେବିଏନ୍ ଗ୍ରୁପରେ ସାମିଲ ଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ବଡଦିନ ଓ ନୂଆବର୍ଷ ପାଇଁ ପୋଲିସ ପାଟ୍ରୋଲିଂ କଡାକଡି କରୁଥିବା ବେଳେ ବେଧଡକ ଆତଙ୍କ ଖେଳାଉଛନ୍ତି ଅସାମାଜିକ ଯୁବକ ଓ ଅପରାଧୀ । ଯାହା କମିଶନରେଟ୍ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

  • Reported by:
  • ATULYA BOUT