• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭୁବନେଶ୍ୱର ଡବଲ ମର୍ଡରର ପର୍ଦ୍ଦାଫାସ ।

  • ପୁଅ-ସ୍ତ୍ରୀଙ୍କୁ ସ୍ୱାମୀର ହତ୍ୟା ପଛରେ ଋଣଭାର ।

  • ଶୈଳଶ୍ରୀବିହାର ଛୁରାମାଡ ପଛରେ ବି ଆର୍ଥିକ ଦୁଶ୍ଚିନ୍ତା ।

ଭୁବନେଶ୍ୱର (ରିପୋର୍ଟ-ଆଲୋକ ମହାନ୍ତି): ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ଭାର । ପ୍ରତିଦିନ ଧାର ଟଙ୍କା ମାଗିବାକୁ ଲୋକେ ଘରକୁ ଆସୁଥିଲେ । ମାନସିକ ଦୁଶ୍ଚିନ୍ତା ଏତେ ହୋଇଥିଲା ଯେ, ଶେଷରେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିଲେ ସ୍ୱାମୀ । ଭୁବନେଶ୍ୱର କଳିଙ୍ଗ ନଗର ଡବଲ ମର୍ଡର ପଛରେ ଆର୍ଥିକ ସମସ୍ୟାର ଖିଅ ପାଇଛି କମିଶନରେଟ୍ ପୋଲିସ । ଡିସିପି କହିଛନ୍ତି, ପୋଲିସ ଆଗରେ ଅଭିଯୁକ୍ତ ସବୁ ଦୋଷ ସ୍ୱୀକାର କରିଛି ।

ସୋମବାର ଅପରାହ୍ନ । ସ୍ତ୍ରୀ ଓ ପୁଅକୁ ମାରିବାକୁ ସବୁ ଯୋଜନା କରିସାରିଥିଲେ ଅବନ୍ତୀ । ଥାଳିରେ ପରଷଯାଇଥିବା ଖାଦ୍ୟରେ ମିଶାଇଥିଲେ ନିଦ ଔଷଧ । ମା-ପୁଅ ଖାଉଥିବା ବେଲେ ପାଖରେ ବସି ସବୁ ଦେଖୁଥିଲେ । ଏହାପରେ ଉଭୟଙ୍କୁ ନିଦ ହୋଇଯାଇଥିଲା । ହେଲେ ଶୋଇନଥିଲେ ସ୍ୱାମୀ । ରାତି ପ୍ରାୟ ୩ଟାରେ ପ୍ରଥମେ ସ୍ତ୍ରୀଙ୍କ ବେକକୁ ଏକ ଓଢଣୀରେ ଭିଡି ହତ୍ୟା କରିଥିଲେ । ପରେ ୯ ବର୍ଷର ପୁଅର ବେକକୁ ବି ଓଢ଼ଣୀରେ ଚାପି ଧରିଥିଲେ ଜୀବନ ଚାଲିଯିବା ଯାଏ ।

ଉଭୟଙ୍କୁ ହତ୍ୟା କରିବା ପରେ ନିଜେ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବି ପାରିନଥିଲେ । ଦିନ ୧୦ଟାରେ ଘର ଛାତ ଡେଇଁ ଚାଲିଯାଇଥିଲେ । ରାସ୍ତାରେ ଶାଳକଙ୍କୁ ମେସେଜ୍ କରି ଜଣାଇଥିଲେ ହତ୍ୟାକାଣ୍ଡର ପୁରା କାହାଣୀ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସାଇଣ୍ଟିଫିକ୍ ଟିମ୍‌ର ଯାଂଚ ଏବଂ ଅଭିଯୁକ୍ତ ସ୍ୱାମୀର ସ୍ୱୀକାରୋକ୍ତି ପରେ ଭୁବନେଶ୍ୱର କଳିଙ୍ଗନଗର ଡବଲ ମର୍ଡର ଘଟଣା ଉପରୁ ପରଦା ହଟାଇଛି ପୋଲିସ । ଅଭିଯୁକ୍ତ ଅବନ୍ତୀ ମଙ୍ଗରାଜ ଗିରଫ ହୋଇଛନ୍ତି । ଡିସିପି କହିଛନ୍ତି, ଅତ୍ୟଧିକ ଋଣଭାର ଯୋଗୁଁ ସ୍ତ୍ରୀ ଓ ପୁଅଙ୍କୁ ହତ୍ୟା କରିଛି ସ୍ୱାମୀ ଅବନ୍ତୀ । ଅଭିଯୁକ୍ତ ବି ସ୍ୱୀକାର କରିଛି ଯେ, ସେ ବିଭିନ୍ନ ଯାଗାରୁ ଲୋନ୍ କରିଥିଲେ । ଧାର ଦେଇଥିବା ଲୋକ ତାଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ । ତେଣୁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ ।

ଏପଟେ ରାଜଧାନୀର ଶୈଳଶ୍ରୀ ବିହାରରେ ଘରେ ପଶି ମା-ଝିଅଙ୍କୁ ଛୁରାମା଼ଡ ଘଟଣା ପଛରେ ବିି ଆର୍ଥିକ ସମସ୍ୟାର କାରଣ ପାଇଛି ପୋଲିସ । ହସପିଟାଲରୁ ଡିସଚାର୍ଜ ହେବା ପରେ ଅଭିଯୁକ୍ତ ରୁପେଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଡିସିପି କହିଛନ୍ତି, ଘଟଣାରେ ଅଭିଯୁକ୍ତ ରୂପେଶର ବୟାନରେ ତାଳମେଳ ରହୁନି । ତେଣୁ ତା କଥା ବିଶ୍ୱାସଯୋଗ୍ୟ ହେଉନି । ଘର ତିଆରି ପାଇଁ ୧୮ ଲକ୍ଷ ଟଙ୍କା ଋଣ କରିଥିଲେ ରୂପେଶଙ୍କ ପତ୍ନୀ ଆଉ ଟଙ୍କା ପରିଶୋଧ ଚାପରେ ଥିଲେ ରୂପେଶ । ତେଣୁ ଲୁଟ୍ ଉଦ୍ଦେଶ୍ୟରେ ସେ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ କାରଣ ସ୍ପଷ୍ଟ ହେଲେ ରୂପେଶଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି ।