• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘରେ କଷ୍ଟରେ ଛଟପଟ ହେଉଥିବା ସ୍ୱାମୀକୁ ଜେଲ୍‌ରେ ଥିବା ସ୍ତ୍ରୀର ଧମକ । ଭଦ୍ରକ ଜିଲ୍ଲା କାରାଗାରରୁ ଆସିଛି ଏଭଳି ଅଭିଯୋଗ । ଭଦ୍ରକ ସାବରଙ୍ଗ ଥାନା ଅଧିନ ବେନ୍ତାନ ପଞ୍ଚାୟତ ଭବାନୀବିନ୍ଧା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ରକରି ପ୍ରଫୁଲ ମାହାନାଙ୍କ ସ୍ତ୍ରୀ କମଳି ମାହାନା ତାଙ୍କ ସ୍ୱାମୀ ଉପରେ ଗରମ ତେଲ ଢାଳିବା ଅଭିଯୋଗରେ ଜେଲରେ ଅଛନ୍ତି ।

ସୂଚନା ଅନୁସାରେ ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ । ତାଙ୍କୁ ବଞ୍ଚାଇବାକୁ ଚିତ୍କାରକରି ବାରମ୍ବାର କହୁଥିଲେ । ପ୍ରଫୁଲ୍ଲଙ୍କ ପାଟି ଶୁଣି ପରେ ଅନ୍ୟ ଘରେ ଶୋଇଥିବା ପରିବାର ଲୋକେ ନିଦରୁ ଉଠି ଆସିଥିଲେ । ପ୍ରଫୁଲଙ୍କ ଦେହରେ ଗରମ ତେଲ ପଡ଼ିଥିବା ଦେଖିଥିଲେ । ତେଣୁ ସେ ଯନ୍ତ୍ରଣାରେ ଛଟପଟ ହେବା ଦେଖି ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା ।

ପରିବାର ଲୋକେ ଏନେଇ ସାବରଙ୍ଗ ଥାନାରେ ଅଭିଯୋଗ ପରେ ମେଡିକାଲରୁ କମଳୀ ମାହାନାଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ସେ ଭଦ୍ରକ ଜିଲ୍ଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବରେ ଅଛନ୍ତି । ସେ ସେଠାରେ ରହି ନିଜ ସ୍ୱାମୀଙ୍କ ଭଲ ମନ୍ଦ ଓ ସ୍ୱାସ୍ଥ୍ୟବସ୍ଥା ବୁଝିବା ପରିବର୍ତ୍ତେ ଓଲଟି ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଵୁଢା ବାପା ଓ ପରିବାର ଲୋକେ ପ୍ରଫୁଲ୍ଲଙ୍କ ଚିକିତ୍ସା ସହ ତାଙ୍କ ୧୦ ବର୍ଷ ପୁଅର ଦାୟିତ୍ୱ ନେଉଛନ୍ତି ।

ଜେଲର ଚାରିକାନ୍ଥ ଭିତରେ ରହି ଜେଲର ଫୋନରେ ନିଜ ସ୍ୱାମୀକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଜେଲର କୋଡ ଅନୁସାରେ ଜଣେ ଅଭିଯୁକ୍ତ ଦିନକୁ ତାଙ୍କ ପରିବାର କିମ୍ୱା ଓକିଲଙ୍କ ସହ ୪ ମିନିଟ ପାଇଁ କଥା ହେବାର ନିୟମ ରହିଛି ।

ତେବେ ପତ୍ନୀ କମଳି ମହାନା ଏହାର ଅପବ୍ୟବହାର କରି ଜେଲ୍ ଫୋନ୍‌ରୁ ନିଜ ସ୍ୱାମୀକୁ ଧମକ ଦେଇଥିବା ପ୍ରଫୁଲଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୋଗର ସତ୍ୟାସତ୍ୟ ନେଇ ଯାଞ୍ଚ ହେବ ବୋଲି କହିଛନ୍ତି ଭଦ୍ରକ ଜେଲର ।

  • Reported by:
  • Partha Sarathi nayak