• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଲକାନଗିରି: ଆଦିବାସୀ ଇଲାକାରେ ଡିଜିଟାଲ୍ ଜୁଆ । ମାଲକାନଗିରି ସହରରେ ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ । ସୁରାଗ୍ ପାଇବା ପରେ ମାଲକାନଗିରି ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାସହ ସେମାନଙ୍କ ଠାରୁ ପୋଲିସ ଜବତ କରିଛି ନଗଦ ୮ ଲକ୍ଷ ଟଙ୍କା ।

ଖାଲି ସେତିକି ନୁହେଁ ଅନଲାଇନ ଟ୍ରାଞ୍ଜକ୍ସନରୁ ହେଉଥିବା ବ୍ୟାଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଜବତ ମଧ୍ୟ କରିଛି ପୋଲିସ । କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କଠାରୁ ମୋବାଇଲ, ଏଟିଏମ୍ କାର୍ଡ, ବ୍ୟାଙ୍କ ପାସବୁକ ସହ ଆଇପିଏଲ ବେଟିଂ ନେଇ ନଥିପତ୍ର ଗୁଡିକୁ ଜବତ କରିଛି ପୋଲିସ । ଏହି ଆଇପିଏଲ ବେଟିଂର ଚେର ଛତିଶଗଡ଼ ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ ଖାଉଛନ୍ତି ବୁକିମାନେ । ପୋଲିସ ୪ ବୁକି ତଥା ମିଡଲମ୍ୟାନ୍‌ଙ୍କୁ  ଗିରଫ କରିଥିବା ବେଳେ ମୁଖ୍ୟ ବୁକିକୁ ପୋଲିସ ଠାବ କରିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ ଖେଳାଯାଇଛି । ଏଥିରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକତା ନାଇଟ୍‌ ରାଇଡର୍ସ ସାମ୍ନାସାମ୍ନି ହୋଇଥିଲେ । ମ୍ୟାଚ୍‌ଟି ଆରମ୍ଭରୁ ସଂଘର୍ଷପୁର୍ଣ୍ଣ ରହିଥିଲା । ଏଥିରେ ଚେନ୍ନାଇ ୪ର୍ଥ ଥର ଲାଗି IPL ଚାମ୍ପିଅନ୍ ହୋଇଛି । କେକେଆରକୁ ୨୭ ରନ୍‌ରେ ହରାଇଛି ଚେନ୍ନାଇ ।

ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା । ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ ଆବଶ୍ୟକ ଥିଲା । ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ୍ ଉଥାପ୍ପା ଓ ମୋଇନ୍ ଅଲୀ ଦମଦାର ଖେଳ ପ୍ରଦର୍ଶନ କରି ଦଳ ପାଇଁ ରନ୍ ବର୍ଷା କରିଥିଲେ ।  ଅନ୍ୟପଟେ ୯ ୱିକେଟ୍‌ ହରାଇ ୧୬୫ ରନ୍‌ରେ ସୀମିତ ରହିଥିଲା କୋଲକାତା । କେକେଆର ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ।