Advertisment

ପଣପଣା ସମବାୟ ସମିତି ଦୁର୍ନୀତି ! ୭ ବର୍ଷ ପରେ ବି ଜମାକାରୀଙ୍କୁ ମିଳୁନି ଟଙ୍କା

ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ ।

author-image
Satyendu Shekher Mishra
Fraud

Fraud

ଗୁରୁ ପ୍ରସାଦ ମହାନ୍ତି। ବୟସ ୮୦ ଛୁଇଁଲାଣି। ଚାକିରି ସମୟରେ ବଡ କଷ୍ଟରେ ୧୬ ଲକ୍ଷ ଟଙ୍କା ସଂଚିଥିଲେ। ଘର ଖଣ୍ଡିଏ କରିବା ଆଶାରେ ବାଲେଶ୍ୱର ବାହାନଗା ବ୍ଳକ୍ ପଣପଣା ସେବା ସମିତିରେ ଟଙ୍କା ଜମା କରିଥିଲେ। ହେଲେ ୨୦୧୭ରେ ସମିତିର ସବୁ ଜମା ଟଙ୍କା ନେଇ ଛୁ ମାରିଛନ୍ତି ତତକାଳୀନ ସମ୍ପାଦକ ଓ କର୍ମଚାରୀ। ଏବେ ଏକ ଛୋଟିଆ ପାନ ଦୋକାନ ସାଜିଛି ତାଙ୍କ ସାହା ଭରସା।

Advertisment

ସେହିଭଳି ଗାଁର ସୁକାନ୍ତି ମଲିକଙ୍କ ଅବସ୍ଥା ଆହୁରି ଦୟନୀୟ । ଆ ତା ଘରେ ବାସନ ମାଜି ବଡ କଷ୍ଟରେ ପରିବାର ଚଳାଉଛନ୍ତି। ସ୍ୱାମୀ ଥିଲା ବେଳେ ସମିତିରେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ଏବେ ଯେତେ ଧାଇଁଲେ ବି ନିଜ ଟଙ୍କା ଆଉ ମିଳିପାରୁନି। କେବଳ ଏହି ଦୁଇ ଜଣ ନୁହଁନ୍ତି, ଟଙ୍କା ପାଇଁ କାହାର ଝିଅ ବାହାଘର ଅଟକିଛି ତ କିଏ ଟଙ୍କା ହରେଇବା ଚିନ୍ତାରେ ଆରପାରିକୁ ଚାଲି ଗଲାଣି। 

ବର୍ଷ ବର୍ଷ ଧରି ଜମାକାରୀ ଏଦୁଆରରୁ ସେ ଦୁଆର ନେହୁରା ହେଉଥିଲେ ବି କାହାର ଯେମିତି ଏଥିପ୍ରତି ନିଘା ନାହିଁ। ଶେଷରେ ନିଜ ଜମା ଟଙ୍କା ଫେରସ୍ତ ଦାବିରେ ଜମାକାରୀ ପଣପଣା ସେବା ସମିତି କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ମଧ୍ୟ ଦେଇଛନ୍ତି। 

Advertisment

୨୦୧୭ରେ ପଣପଣା ସେବା ସମବାୟ ସମିତିରେ ହୋଇଥିଲା ହରିଲୁଟ୍। ତତ୍କାଳୀନ ସମିତି ସମ୍ପାଦକ ପ୍ରଦୀପ୍ତ ଦାଶ ଏବଂ କିଛି କର୍ମଚାରୀ, ଜମାକାରୀଙ୍କ ଟଙ୍କା ହଡ଼ପ କରିଥିବା ହୋଇଥିଲା ଅଭିଯୋଗ। ବାଲେଶ୍ୱର ଭିଜିଲାନ୍ସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ତଦନ୍ତ ସମୟରେ ୪ ହଜାର ୭୫ ଜମାକାରୀଙ୍କ ୪ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡିଥିଲା।

ପରେ ବିଭାଗୀୟ ଅଧିକାରୀ ଏବଂ ତତ୍କାଳୀନ ଜିଲ୍ଲାପାଳ ମଧ୍ୟ ଲୋକଙ୍କୁ ଟଙ୍କା ଫେରସ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏପରିକି କର୍ପସ୍ ଫଣ୍ଡରୁ ଜମାକାରୀଙ୍କୁ ଟଙ୍କା ମିଳିବା ନେଇ ଘୋଷଣା ହୋଇଥିଲା। ହେଲେ ୬ ବର୍ଷ ବିତିଯାଇଥିଲେ ବି ନିଜ କଷ୍ଟ ଉପାର୍ଜିତ ଜମା ଟଙ୍କାକୁ ଅନାଇ ବସିଛନ୍ତି ଜମାକାରୀ।

Fraud
Advertisment
Advertisment