• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ହତ୍ୟା ଧମକ । ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ କେହି ଦୁର୍ବୃତ୍ତ ହତ୍ୟା ଧମକ ଦେବା ପରେ ଆଲୋଡନ ସୃଷ୍ଟି ହୋଇଛି । ସୁପାରୀ କିଲର ସମେତ ୩ ଜଣ କାରରେ ଆସି ତାଙ୍କୁ ହତ୍ୟା କରିବେ ବୋଲି ଫୋନ କରି ଧମକ ଦିଆଯାଇଛି । 8093899088ରୁ ଧମକ ଆସିଥିବା ଜଣାପଡ଼ିଛି । ଏହାସହ ବିଧାୟକଙ୍କୁ ଅଭିଯୁକ୍ତ ଟଙ୍କା ଦାବି କରିଥିବା ସୂଚନା ମିଳିଛି । ଏନେଇ ବିଧାୟକ ବାଲେଶ୍ଵର ଏସପିଙ୍କୁ ଜଣାଇବା ପରେ ଛାନଭିନ୍‌ ଆରମ୍ଭ ହୋଇଛି ।

ଗତକାଲି ସକାଳା ୮.୩୦ ସମୟରେ ଜଣେ ବ୍ୟକ୍ତି ବିଧାୟକଙ୍କୁ ଫୋନ କରିଥିଲେ । ସେ ଅନୁଗୋଳ ଜିଲ୍ଲା ବଅଁରପାଳ ଅଞ୍ଚଳର ବୋଲି କହିଥିଲେ । ୩ ଜଣ ବ୍ୟକ୍ତି ବିଧାୟକଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିବା କହିଥିଲେ । ହେଲେ ସେ ଏ କାମ କରିବେ ନାହିଁ ବୋଲି କହିବା ସହ ୩ ଜଣଙ୍କୁ ଅଟକ ରଖିଥିବା ନେଇ ବିଧାୟକଙ୍କୁ ଫୋନ କରି ଜଣାଇଥିଲେ । ବିଧାୟକ ଚାହିଁଲେ ତିନି ଜଣଙ୍କୁ ସାଙ୍ଗରେ ନେଇ ବସ୍ତା ଆସିବେ ବୋଲି କହିବା ସହିତ କିଛି ଅର୍ଥ ଦାବି କରିଥିଲେ ।

ଅନ୍ୟପଟେ ବିଧାୟକ ଏକ ସ୍ଥାନକୁ ଡକାଇ ସେଠାରେ ହିଁ ଅର୍ଥ ଦେବେ ବୋଲି କହିଥିଲେ । ମାତ୍ର ସଂପୃକ୍ତ ବ୍ୟକ୍ତି ଜଣକ ଅର୍ଥ ପଠାଇବା ପାଇଁ ବିଧାୟକଙ୍କୁ ବାରମ୍ବାର ଫୋନ କରିଥିଲେ, କିନ୍ତୁ ଟଙ୍କା ନେବା ପାଇଁ ଦେଇଥିବା ଠିକଣାକୁ ଆସିନଥିଲେ । ଏ ସଂକ୍ରାନ୍ତରେ ବିଧାୟକ ଗତକାଲି ଏସପି ସୁଧାଂଶୁ ମିଶ୍ରଙ୍କୁ ସୂଚନା ଦେଇଥିଲେ । ଏସପି ତଦନ୍ତ କରି ଯାଜପୁରରୁ ଦୁଇଜଣ ଦୁର୍ବୁତ୍ତଙ୍କୁ ଧରି ପଚାରାଉଚରା କରୁଛନ୍ତି ।

ତେବେ ଏ ସମ୍ପର୍କରେ ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତାଙ୍କର କୌଣସି ବ୍ୟକ୍ତିଗତ କିମ୍ବା ରାଜନୈତିକ ଶତ୍ରୁ ନାହାନ୍ତି । କାହିଁକି ତାଙ୍କୁ ହତ୍ୟା ଧମକ ଦିଆଯାଉଛି, ତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

(ରିପୋର୍ଟ- ଅଜିତ୍‌ କୁମାର ଦାସ, ଜଳେଶ୍ୱର)