Advertisment

ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।

author-image
Satyendu Shekher Mishra
Crime

Crime

ୟେ ଏମିତି ଏକ ଅପରାଧ, ବାଣପୁରରେ ନା କେହି କେବେ ଦେଖିଛନ୍ତି ନା ଶୁଣିଛନ୍ତି । ସକାଳେ ସାଙ୍ଗ ହୋଇ ବୁଲୁଥିବା ବନ୍ଧୁକୁ ସଂଧ୍ୟାରେ ତଣ୍ଟି ଚିପି ହତ୍ୟା । ଆଉ ସେହି ଅପରାଧକୁ ଲୁଚାଇବାକୁ ଯାଇ ମୁଣ୍ଡ ଜାମିନ୍‌ର ମିଛ ନାଟକ, ଗତ ଦୁଇ ଦିନ ହେଲା ହୁଲସ୍ତୁଲ କରିଛି ସାରା ଅଞ୍ଚଳକୁ । କାହିଁକି ଓ କେମିତି ମାରିଲା ନିଜ ସାଙ୍ଗ ଆଶୁତୋଷ ମହାପାତ୍ରକୁ ? କାହିଁକି ରଚିଥିଲା ଅପହରଣର ମିଛ ନାଟକ ? ଆଜି କ୍ରାଇମ୍‌ସିନ୍‌ ରିକ୍ରିଏସନ୍‌ବେଳେ ପୋଲିସକୁ ତଥ୍ୟ ଦେଇଛି ୨୫ ବର୍ଷିୟ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ।

Advertisment

ନିଜର ନିର୍ମାଣାଧିନ ଘରେ ପ୍ରଥମେ ଆଶୁତୋଷକୁ ମଦ ପିଆଇ ନିଶାରେ ଚୁର୍ କରାଇବା ଏବଂ ଦିନ ତମାମ ବାହାରେ ରହି ସଂଧ୍ୟାରେ ହତ୍ୟା କରିବାର ଦୃଶ୍ୟ ବର୍ଣ୍ଣନା କରିଛି ଆଶୀର୍ବାଦ । ଆଉ ପରେ ଘର ପାଖ କୂଅରେ ଗୋଡ଼ ବାନ୍ଧି ଆଶୁତୋଷଙ୍କ ମୃତଦେହ ସହ ମୋବାଇଲ୍‌କୁ ପକାଇଦେଇଥିଲା ଅଭିଯୁକ୍ତ । ଗତକାଲି ମୃତଦେହକୁ ଉଦ୍ଧାର କରିଥିବା ପୋଲିସ ଆଜି କ୍ରାଇମସିନ୍ ରିକ୍ରିଏସନବେଳେ ଆଶୁତୋଷଙ୍କ ମୋବାଇଲ୍‌କୁ ସେହି କୂଅ ଭିତରୁ ଜବତ କରିଛି । ଆସନ୍ତାକାଲି ଏହାକୁ ଫରେନ୍ସିକ୍ ଲ୍ୟାବକୁ ପଠାଇବ ।

ଏବେ ଆସନ୍ତୁ ଜାଣିବା, କେମିିତି କିଡ୍‌ନାପ୍‌ର ମିଛିମିଛିକା ଡ୍ରାମା କରିଥିଲା ଅଭିଯୁକ୍ତ ଆଶୀର୍ବାଦ । ଓଟିଭି ହାତରେ ଲାଗିଥିବା ଏକ ହ୍ୱାଟ୍ସଆପ୍ ଚାଟ୍‌ର ସ୍କ୍ରିନ୍‌ସଟ୍‌ରୁ ଜଣାପଡ଼ିଛି, ଜାନୁୟାରୀ ୨୩ରେ ଆଶୁତୋଷକୁ ବନ୍ଦୀ କରି ପ୍ରଥମେ ଆଶୁତୋଷଙ୍କ ବାପାଙ୍କୁ ମେସେଜ୍ ଜରିଆରେ ୫ ଘଣ୍ଟା ଭିତରେ ୫ ଲକ୍ଷ ଟଙ୍କା ମାଗିଥିଲା ଆଶୀର୍ବାଦ । ପୋଲିସକୁ କହିଲେ, ପୁଅକୁ ଫେରିପାଇବାର ଆଶା ଛାଡ଼ିଦେବାକୁ ଚାଟ୍ ମାଧ୍ୟମରେ ବି ଧମକ ଦେଇଥିଲା ।

Advertisment

ଆଶୁତୋଷଙ୍କ ବାପା, ଟଙ୍କା କେଉଁଠି ପହଞ୍ଚାଇବି ବୋଲି ରିପ୍ଲାଏ ବି ଦେଇଛନ୍ତି । ତେବେ ଟଙ୍କା ନୁହେଁ, ଆଶୀର୍ବାଦର ଦୁର୍ବଳ ମୁହୁର୍ତ୍ତର ଚିତ୍ର ସବୁକୁ ଆଶୁତୋଷ ଏହି ମୋବାଇଲ୍‌ରେ ରଖି ବାରମ୍ବାର ବ୍ଲାକମେଲିଂ କରୁଥିବାରୁ ମୁଳୁ ମାଇଲେ ଯିବ ସରି ନ୍ୟାୟରେ ଆଶୁତୋଷକୁ ହତ୍ୟା ପାଇଁ ଯୋଜନା କରିଥିଲା ଏବଂ ହତ୍ୟା ପରେ ତଦନ୍ତକୁ ବାଟବଣା କରିବା ପାଇଁ ଆଶୀର୍ବାଦ ରଚିଥିଲା ମୁଣ୍ଡ ଜାମିନ୍‌ର ମିଛ ନାଟକ । ଏନେଇ ପୋଲିସ ଆଗରେ ବଖାଣିସାରିଛି ଅଭିଯୁକ୍ତ ।

ତେବେ ଜଣେ ଅଭ୍ୟାସଗତ ଅପରାଧୀ ନହୋଇ ବି ୨୫ ବର୍ଷିୀୟ ଆଶୀର୍ବାଦ ଏଭଳି ଷଡ଼ଯନ୍ତ୍ରର ବ୍ଲୁ ପ୍ରିଣ୍ଟ ତିଆରି କରିପାରିଲା କେମିତି ? ନିଜ ସାଙ୍ଗକୁ ବନ୍ଦ ଘରେ ତଣ୍ଟିଚିପି ହତ୍ୟା ମାମଲାରେ ଆଶୀର୍ବାଦ ସହ ଆଉ କିଏ ସଂପୃକ୍ତ ? ଏଭଳି ପ୍ରଶ୍ନ ଭିତରେ ଏବେ ସାମ୍ନାକୁ ଆସିଛି ୫ ବର୍ଷ ତଳେ ଜଣେ ମହିଳାଙ୍କୁ ହାତଗୋଡ଼ ବାନ୍ଧି ହତ୍ୟାକାଣ୍ଡ ମାମଲା । କାରଣ ଯେଉଁ ଘରେ ଆଶୁତୋଷଙ୍କୁ ବନ୍ଦୀ ରଖାଯାଇଥିଲା, ସେହି ଘର ପାଖରୁ ୨୦୧୮ରେ ମିଳିଥିଲା ସଂପୃକ୍ତ ମହିଳାଙ୍କ ମୃତଦେହ । ଆଜିକୁ ୫ ବର୍ଷ ବିତିଯାଇଛି । ଅଥଚ ହତ୍ୟାର କାରଣ ଓ  ଅଭିଯୁକ୍ତ ସଂପର୍କରେ ଟେର୍ ପାଇନଥିଲା ବାଣପୁର ପୋଲିସ । ସେହି ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।

(ରିପୋର୍ଟ- ଶକ୍ତିପ୍ରସାଦ ମହାପାତ୍ର, ବାଲୁଗାଁ)

Murder Balugaon
Advertisment
Advertisment