• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧଳା ଜହରର ଅବାଧ କାରବାର ଓଡ଼ିଶା ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଓଡ଼ିଶାରେ ପ୍ରସ୍ତୁତ ହୁଏନି ବ୍ରାଉନସୁଗାର, ମାତ୍ର ବାଲେଶ୍ୱର ଜିଲ୍ଲାର ଅରଡ଼ ବଜାର ଓ ଜଳେଶ୍ୱର ସହରରେ ବିପୁଳ ପରିମାଣରେ ବିକ୍ରି ହେଉଛି । ଏମିତିକି ଏହା କୁଟୀର ଶିଳ୍ପରେ ପରିଣତ ହୋଇଛି । ଯୁବ ପିଢୀ ବିଶେଷ କରି କଲେଜ ପଢୁଆ ପିଲା ନିଶାରେ କବଳିତ ରହୁଛନ୍ତି । ବ୍ରାଉନସୁଗାରର ସପ୍ଲାଏ ଚେନକୁ ଭାଙ୍ଗି ପାରିଲେ ନିଶା କାରବାରକୁ ଏକ ପ୍ରକାର ରୋକା ଯାଇପାରିବ ।

ଧଳା ଜହରର ହବ୍ ପାଲଟିଛି ବାଲେଶ୍ବର। ବେଧଡକ୍ ଚାଲିଛି କାରବାର। ରୋକିବାକୁ ଯେମିତି କିହି ନାହିଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଓ ଜଳେଶ୍ୱରରେ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର କାରବାର ହେଉଛି। ଜାତୀୟ ରାଜପଥ ସମେତ ଜଳପଥ ଓ ରେଳପଥ ସାଜିଛି ଏହାର ମାଧ୍ୟମ । ପଶ୍ଚିମବଙ୍ଗର ବନଗାଁ ଅଂଚଳକୁ ଜଳପଥ ଦେଇ ଆସିଥାଏ ବ୍ରାଉନସୁଗାର । ବନଗାଁରୁ ପ୍ରତ୍ୟକ ୨ ଘଣ୍ଟା ଅନ୍ତରରେ ରେଳପଥ ଯୋଗେ ଶିଆଳଦା, ହାୱଡା ମଧ୍ୟଦେଇ ଜଳେଶ୍ୱର ସହର ଭାୟା ଖଡଗପୁର ଦେଇ ଓଡ଼ିଶାକୁ ପ୍ରବେଶ କରିଥାଏ ।

ଅଧିକ ପଢ଼ନ୍ତୁ: କେବେ ବନ୍ଦ ହେବ କଟନି-ଛଟନି ? ୪ ରୁ ୯ କେଜି ଯାଏଁ ଧାନ କାଟୁଛନ୍ତି ମିଲର୍

ଏଥିରେ ଯୁବ ପିଢ଼ି ବିଶେଷ ଭାବରେ ଜଡିତ ହେଉଛନ୍ତି । ନିଶାର ବହୁଳ ବ୍ୟବାହର ଯୋଗୁଁ ଅପରାଧ ବି ବଢୁଛି । ତେବେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ କରୁଛି କଣ ? ବ୍ରାଉନସୁଗାରର ସପ୍ଲାଏ ଚେନକୁ କାହିଁକି ବ୍ରେକ୍ କରାଯାଉନି । ଯୁବ ନେତା ଓ ସମାଜସେବୀଙ୍କ କହିବା କଥା ମାଫିଆମାନେ ଅତ୍ୟାଧୁନିକ ବନ୍ଧୁକ ବ୍ୟବହାର କରୁଛନ୍ତି । ହେଲେ ଅବକାରୀ ହାତରେ ରହିଛି କେବଳ ବାଡ଼ି । ପୋଲିସ ଯାହାବି ପଦକ୍ଷେପ ନେଉଛି ତାହା ସମୁଦ୍ରକୁ ଶଙ୍ଖେ।

ଏପଟେ ବ୍ରାଉନସୁଗାର ମାଫିଆ ସେକ୍ ସମିରୁଦ୍ଦିନ ଓରଫ ଟାକଲୁକୁ ବାନ୍ଧିଛି ଜଳେଶ୍ବର ପୋଲିସ । ଝାଡ଼େଶ୍ବରପୁର ଅଞ୍ଚଳର ଏକ ହୋଟେଲରୁ ତାକୁ ଗିରଫ କରାଯାଇଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ଧଳା ଜହର ମଧ୍ୟ ଜବତ ହୋଇଛି । ପଡ଼ୋଶୀ ବାଂଲାଦେଶ ଓ ନେପାଳରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା ଟାକଲୁ । ଜିଲ୍ଲାରେ ଧଳା ଜହର କାରବାର ଉପରେ ରୋକ ଲଗାଇବାକୁ ବାରମ୍ବାର ଚଢ଼ାଉ ହେଉଛି । ଗତବର୍ଷ ୧୯ଟି ମାମଲା ରୁଜୁ କରି ୨୫ ଜଣକୁ ଗିରଫ କରାଯାଇଛି। ଏବର୍ଷ ମଧ୍ୟ ଗୋଟିଏ ମାସରେ ୪ଟି ମାମଲାରେ ୭ ଜଣ ଗିରଫ ହୋଇଛନ୍ତି । ଗୁଇନ୍ଦା ବିଭାଗ ସଜାଗ ରହିଛି । ସୀମାରେ ବହୁ ଜାଗାରେ ନାକା ପଏଣ୍ଟ ଲାଗିଛି।ଆନ୍ତଃରାଜ୍ୟ ବୈଠକ କରି ଧଳାଜହର କାରବାର ଉପରେ ନଜର ରଖିଛୁ ବୋଲି କହିଛନ୍ତି ବାଲେଶ୍ୱର ଏସପି ।

ଅଧିକ ପଢ଼ନ୍ତୁ: ଝାରପଡ଼ା ଜେଲରେ ଆୟକର ବିଭାଗ, ଠକ ଦମ୍ପତି ହଂସିତା-ଅନୀଲକୁ କଲା ମାରାଥନ ଜେରା

OTV is now on Whatsapp

Join and get latest news update delivered to you via whatsapp

Join Now