Advertisment

ଚର୍ଚ୍ଚାରେ ବୈପାରୀଗୁଡାର କୁବେର ଥାନା ବାବୁ ! ଘର ନା ନୋଟ ଗୋଦାମ ?

ବସ୍‌ରେ ଘରକୁ ଯିବା ବେଳେ ପାଖରୁ ମିଳିଲା ନଗଦ ୨ଲକ୍ଷ ୭୦ ହଜାର । ଘରୁ ଠାବ ନୋଟ୍ ଭଣ୍ଡାର । ୩୭ ଲକ୍ଷ ନଗଦ ଜବତକୁ ନେଇ ତାଜୁବ୍ ଭିଜିଲାନସ୍ ।

author-image
Satyendu Shekher Mishra
Baipariguda IIC

Baipariguda IIC

ଥାନା ବାବୁଙ୍କ ଘରେ ନୋଟ୍ ଭଣ୍ଡାର । ଏତେ ଯେ, ଗଣି ଗଣି ହାଲିଆ । ସମ୍ପତ୍ତି ଏତେ...ଠାବ କରୁ କରୁ ନୟାନ୍ତ । ମାତ୍ର ୫ ମାସ ହେବ ଆଇଆଇସି ପୋଷ୍ଟକୁ ଯାଇଥିବା ଜଣେ ପୁଲିସ ବାବୁଙ୍କ ଘରେ ଟଙ୍କାର ପାହାଡ଼କୁ ଦେଖି ଆପଣଙ୍କ ମୁଣ୍ଡ ବି ଘୂରେଇ ଦେଇପାରେ । ହଁ, ଆମେ ସେଇ କରିତକର୍ମା, ବୈପାରୀଗୁଡ଼ା ଥାନାର କୁବେର ଆଇଆଇସି ସୁଶାନ୍ତ ଶତପଥୀଙ୍କ କଥା କହୁଛୁ।

Advertisment

ବୈପାରୀଗୁଡ଼ାରୁ ବସରେ କଟକ ଆସୁଥିବା ବେଳେ ଗତରାତିରେ ଭିଜିଲାନସ ଟିମ୍ ସୁଶାନ୍ତଙ୍କୁ କାବୁ କରିବା ପରଠୁ ମିଳି ଚାଲିଛି ପୁଳା ପୁଳା ଟଙ୍କା । ସେଇ ବସରୁ ତାଙ୍କ ପାଖରୁ ପ୍ରଥମେ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା, ପରେ ଅଫିସ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଓ ବୈପାରୀଗୁଡ଼ା କ୍ୱାଟର୍ସରୁ ୩ ଲକ୍ଷ...ଆଉ ତା ପରେ କଟକ ବକ୍ସିବଜାର ସ୍ଥିତ ସରକାରୀ ବାସଭବନରୁ ଠାବ ହୋଇଛି ଟଙ୍କା ଗୋଦାମ । ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା।

ମିଳିଥିବା ସୂଚନା ଅନୁଯାୟୀ ରେଡ୍ ପାଇଁ କାଲି ରାତି ଗୋଟାଏରେ ଭିଜିଲାନସର ୬ ଜଣିଆ ଟିମ୍ ପଶିଥିଲେ । ହାତରେ ନୋଟ୍ ଗଣିବା ସମ୍ଭବ ନହେବାରୁ ମେସିନରେ ଗଣାହେଲା । ଗଣି ଗଣି ଆଜି ଦିନ ସାଢ଼େ ଦୁଇଟାରେ ଟଙ୍କା ବସ୍ତା ଧରି ବାହାରିଲା ଟିମ୍।

Advertisment

ତେବେ ବଡ଼ କଥା ହେଉଛି ୧୯୯୯ରେ କନେଷ୍ଟବଳରୁ ଚାକିରି ଜୀବନ ଆରମ୍ଭ କରିଥିବା ଏ କରିତକର୍ମା ଥାନା ବାବୁ ଜଣକ ବିବାଦର ଗନ୍ତାଘର ବି । କୁହାଯାଉଛି ତାଙ୍କ ନାଁରେ ଅନେକ ଅଭିଯୋଗ। ଏପରିକି ୨୦୧୧ରେ ଜଗତସିଂହପୁର ନାଉଗାଁ ଥାନାରେ ଏସଆଇ ଥିଲାବେଳେ ଜଣେ ମଦ 
ବ୍ୟବସାୟୀଙ୍କୁ ଖଲାସ କରିବା ଅଭିଯୋଗରେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ହୋଇଛି।

ତେବେ ୨୦୦୮ରୁ ସବ୍ ଇନିସପେକ୍ଟର ଥିବା ସୁଶାନ୍ତ ଗତ ଜୁନ ମାସରେ ଆଇଆଇସିକୁ ପଦୋନ୍ନତି ପାଇ ପ୍ରଥମେ କୋରାପୁଟ ପୋଲିସ ହେଡକ୍ବାର୍ଟର ଆଉ ପରେ ବୈପାରୀଗୁଡ଼ାରେ ଥାନାଧିକାରୀ ଭାବେ ଜଏନ୍ କରିଥିଲେ । ହେଲେ ଏଠି ପ୍ରଶ୍ନ ସୁଶାନ୍ତଙ୍କ ପାଖରୁ ଜବତ ଏ ଟଙ୍କା ଏଇ ୪-୫ ମାସର ଅସତ୍ ଅର୍ଜନ ନା କେବର ? ଯଦି ବୈପାରୀଗୁଡ଼ା ଥାନାଧିକାରୀ ବେଳର ଏ ଉପୁରି, ତାହେଲେ କେଉଁ ଉତ୍ସରୁ ଆସୁଥିଲା ଏ ଟଙ୍କା ? ଏ ଅଞ୍ଚଳକୁ ଚୋରା ଗଂଜେଇ କାରବାରର ହବ୍ କୁହାଯାଉଥିଲା ବେଳେ, ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କରୁ ଆସିନି ତ ଏ ବିପୁଳ ନଗଦ ଅର୍ଥ ?

ଭିଜିଲାନସ ପକ୍ଷରୁ ଏସବୁର ଖୋଳତାଡ଼ ଚାଲିଛି। ତେବେ ନଗଦ ଅର୍ଥ ବାଦ୍ ଆଇଆଇସିଙ୍କ ଆଉ କେଉଁଠୁ କେତେ ବେଆଇନ ସଂପତ୍ତି ଜବତ ହୋଇଛି ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ। 

ସବୁଠୁ ବଡ଼ କଥା ହେଉଛି ସୁଶାନ୍ତ ତାଙ୍କର ଏସବୁ ବିବାଦୀୟ କାମ ଭଳି ଏକ ଫିଲ୍ମରେ ଭିଲେନଗିରି ବି କରିଛନ୍ତି। ଥ୍ୟାଙ୍କ ୟୁ ଭଗବାନ ଫିଲ୍ମ ସହ କିଛି ଆଲବମରେ ବି ଅଭିନୟ କରିଛନ୍ତି ଏ ଥାନା ବାବୁ। ତେବେ ଏ ପୂରା ଘଟଣାରେ ଆଇଆଇସି ସୁଶାନ୍ତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Vigilance
Advertisment
Advertisment