Advertisment

ସିବିଆଇକୁ ମିଳିଛି କି ଗୁରୁତ୍ୱପୂର୍ଣ୍ଣ ସୁରାଗ ? ସିଗନାଲ JE ଅମୀର ଖାନଙ୍କୁ ୬ ଘଣ୍ଟାର ଜେରା

ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍‌ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ ।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Train Tragedy

Odisha Train Tragedy

ବାହନଗା ଟ୍ରେନ୍ ଟ୍ରାଜେଡି ନେଇ ରେଲୱେ ସିଗନାଲ୍ ଜେଇ ଅମୀର ଖାନଙ୍କୁ ସିବିଆଇର ଘନ ଘନ ଜେରା । ଗତକାଲି ସିଲ୍ କରିଥିବା ସୋରସ୍ଥିତ ଭଡ଼ାଘରେ ଆଜି ଅମୀରଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ସିବିଆଇ। ଏପଟେ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାହାନଗା ଗସ୍ତ କରି ଦୁର୍ଘଟଣା ସମୟରେ ସ୍ଥାନୀୟ ଲୋକଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣଇବା ସହ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ସିବିଆଇକୁ ମିଳିଛି କି ଗୁରୁତ୍ୱପୂର୍ଣ୍ଣ ସୁରାଗ? ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍‌ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ । ଗତକାଲି ଅମୀରଙ୍କ ସୋରସ୍ଥିତ ଭଡ଼ାଘର ସିଲ୍ କରିଥିଲା ସିବିଆଇ। ଆଜି ସକାଳ ୧୦ଟାରେ ଅମୀରଙ୍କୁ ଭଡ଼ାଘରକୁ ନେଇ ପଚରାଉଚୁରା କରିଛି ସିବିଆଇ। ବାହାନଗା ଟ୍ରେନ୍ ଟ୍ରାଜେଡି ସମ୍ପର୍କରେ ତାଙ୍କଠାରୁ ତଥ୍ୟ ଓଗାଳିବାକୁ ଚଳାଇଛି ଚେଷ୍ଟା। ଭଡ଼ାଘରେ ପ୍ରାୟ ୬ ଘଣ୍ଟା ଜେରା ପରେ ଅମୀରଙ୍କୁ ସାଥିରେ ନେଇ ଫେରିଥିଲା ସିବିଆଇ।

ଅମୀରଙ୍କଠାରୁ ସିବିଆଇକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ସେପଟେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ମୁହଁ ଖୋଲିଛନ୍ତି ସିଗନାଲ୍ ଜେଇ ଅମୀର ଖାନ୍। ଏପଟେ ଏ ଘଟଣାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରୁ ସାମାନ୍ୟ ପରଦା ଉଠାଇଛନ୍ତି ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଜନସମ୍ପର୍କ ଅଧିକାରୀ। କହିଛନ୍ତି, ଘଟଣା ପରଠାରୁ ଷ୍ଟେସନର କୌଣସି କର୍ମଚାରୀ ଫେରାର ନାହାନ୍ତି। ଉଭୟ ସିଆରଏସ୍ ଓ ସିବିଆଇ ତଦନ୍ତ କରୁଛନ୍ତି । ଆବଶ୍ୟକ ସ୍ଥଳେ ଷ୍ଟେସନର କୌଣସି କମର୍ଚାରୀଙ୍କୁ ବି ପଚରାଉଚୁରା କରୁଛନ୍ତି ତଦନ୍ତକାରୀ ଟିମ୍। 

Advertisment

ଏସବୁ ଭିତରେ ବାହାନଗା ଟ୍ରେନ୍ ଦୁର୍ଘଟଣାର ୧୮ ଦିନ ପରେ ଆଜି ପୁଣି ଥରେ ବାହାନଗା ଗସ୍ତ କରିଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣା ପରେ ୫୦ ଘଣ୍ଟା ଧରି ଚାଲିଥିବା ରେସକ୍ୟୁ ଅପରେସନରେ ବାହାନଗାବାସୀଙ୍କ ଅକୁଣ୍ଠ ସହଯୋଗ ଲାଗି କୃତଜ୍ଞତା ଜଣାଇବା ସହ ସେବା କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏ ଅବସରରେ ବାହାନଗାର ବିକାଶ ଲାଗି ୨ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳମନ୍ତ୍ରୀ। ବାହାନଗା ଗାଁର ବିକାଶ ଲାଗି ଏମ୍ପିଲାଡ୍ ରୁ ତୁରନ୍ତ ୧ କୋଟି ଟଙ୍କା ସହାୟତା ଦେବାକୁ ମନ୍ତ୍ରୀ କହିଥିବା ବେଳେ ରେଲୱେ ପାଣ୍ଠିରୁ ବାହାନଗା ମେଡିକାଲ ପାଇଁ ୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। 

ସିଗନାଲ ପ୍ୟାନେଲ ଅଚଳ ଥିବାରୁ ଏବେ ବାହାନଗା ଷ୍ଟେସନରେ ଅଟକୁନି ଟ୍ରେନ୍ । ଏବେ ସିଗ୍ନାଲ ପ୍ୟାନେଲ କାମ ଚାଲିଛି, ଏସବୁ କାମ ସରିବା ପରେ ଷ୍ଟେସନରେ ଟ୍ରେନ ଅଟକିବା ସହ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବ ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳପଥ ସିପିଆରଓ।

Train Accident CBI
Advertisment
Advertisment