Advertisment

ଜେଲ୍ ଗଲେ ଜଟଣୀର ଯନ୍ତ୍ରୀ ମାଡାମ୍, ପାରାଦୀପ ଇଲିସି ଓ ବାଳକାଟୀ ଖାସି ପାଇଁ କରୁଥିଲେ ଡିମାଣ୍ଡ

ସପ୍ତାହ ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ତିନି ତିନି ଜଣ ବଡ଼ ବାବୁ। ପ୍ରଥମେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ, ପରେ ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର ଏବଂ ଏବେ ପାଳି ପଡିଛି ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Vigilance Raid

ଦୟା ନଦୀ ଛଟା ଚିଙ୍ଗୁଡିକୁ ଗୋଟା ପୋହଳା । ବାଳକାଟି ମଟନ ସହ ପାରାଦୀପ ଇଲିସି । ଫାଇଲରେ ଦସ୍ତଖତ ହେଉ ଅବା ବିଲ୍ ପାସ୍, ସହକାରୀ ଯନ୍ତ୍ରୀ ମାଡାମଙ୍କର ଥିଲା ପୁଳା ପୁଳା ଡିମାଣ୍ଡ । ପ୍ରଥମେ ତୁଣ୍ଡକୁ ଟିକେ ଦେଶୀ ଆମିଷ ପରେ ପକେଟକୁ ପିସି । ନହେଲେ ଆଗକୁ ଯିବାକୁ ଦେଉନଥିଲେ ଫାଇଲ୍ । ଭିଜିଲାନ୍ସ ଜାଲରେ ପଡି ବନ୍ଧା ହୋଇଥିବା ଜଟଣୀ ବ୍ଲକ୍ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତିଙ୍କ ବିରୋଧରେ ଖୋଲିବାରେ ଲାଗିଛି ଅଭିଯୋଗର ଲମ୍ବା ଫର୍ଦ୍ଦ ।

Advertisment

ବର୍ଷ ବର୍ଷ ଧରି ଚାଲିଥିଲା ପିସି କାରବାର । ଲାଂଚ ନେବାରେ କୁଆଡେ ଧୁରନ୍ଧର ଥିଲେ । ଆଉ ଶେଷରେ ଏ ଲାଞ୍ଚଖୋର ମନୋବୃତ୍ତି ଯୋଗୁଁ ପଡିଛନ୍ତି ଭିଜିଲାନ୍ସ ହାବୁଡରେ । ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖଣ୍ଡଗିରିସ୍ଥିତ ଘରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ।

ଖାଲି ମଟନ, ମାଛ କି ଚିଙ୍ଗୁଡ଼ି ନୁହେଁ, ତଟକା ପନିପରିବା, ଛେନା ପୋଡ଼ ଏପରିକି ରାଜ୍ୟର ଯେଉଁଠି ଯାହା ପ୍ରସିଦ୍ଧ ଠିକାଦାରଙ୍କ ଠାରୁ ସେସବୁ ଝଡ଼ାଉଥିଲେ ଯନ୍ତ୍ରୀ ମାଡାମ୍ । କଥା କଥାରେ ପିସି ମାଗୁଥିଲେ । ଠିକାଦାରଙ୍କ ସହ ସହକାରୀ ଯନ୍ତ୍ରୀଙ୍କ ବାର୍ତ୍ତାଳାପର ଏକ ଅଡିଓ ବି ଏବେ ଭାଇରାଲ ହେଉଛି।

Advertisment

ସହକାରୀ ଯନ୍ତ୍ରୀଙ୍କର ଲାଞ୍ଚ କାରବାର ସାମ୍ନାକୁ ଆସିବା ପରେ ଏବେ ଖୋଳତାଡ଼ ଚାଲିଛି ତାଙ୍କର ସଂପତ୍ତିବାଡିର । ମାଡାମଙ୍କର ଉଭା କେତେ ପୋତା କେତେ ତା’ର ଖୋଳତାଡ଼ କରୁଛି ଭିଜିଲାନ୍ସ । ଭୁବନେଶ୍ବରର ନୟାପଲ୍ଲୀ ଓ ଖଣ୍ଡରିରି ସମେତ ଜଟଣୀ ଅଫିସରେ ଚଢାଉ ହୋଇଛି। ଭିଜିଲାନ୍ସ ଟିମ୍ ବିଭିନ୍ନ ଫାଇଲ ପତ୍ର ଯାଞ୍ଚ କରିବା ସହ ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରିଛନ୍ତି । ତେବେ ଏ ସଂପର୍କରେ ଇଂଜିନିୟର ନିବେଦିତା ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଲାଂଚ କାରବାର ହେଉ ଅବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ, ଭିଜିଲାନ୍ସ ଜାଲରେ ଗତ ସପ୍ତାହ ଭିତରେ ପଡିଲେଣି ଏକାଧିକ ବଡ଼ ମାଛ । ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀ ସୁନୀଲ କୁମାର ରାଉତ ହୁଅନ୍ତୁ ଅବା ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, କାହାର ୩୪ ପ୍ଲଟ୍ ତ କିଏ ଅର୍ଜିଥିଲେ ରାଜଧାନୀରେ ବିରାଟ କୋଠା ସାଙ୍ଗକୁ ୫୨ଟି ପ୍ଲଟ୍ ଓ ଅମାପ ସମ୍ପତ୍ତି। ପୂର୍ବରୁ ବି ଅନେକ ଧରାପଡିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଭିଜିଲାନ୍ସ ଧରିବା ପରେ ବି କାହିଁକି ଖସିଯାଉଛନ୍ତି ଅଧା ବାବୁ ?

Assistant Engineer Vigilance Raid
Advertisment
Advertisment