Advertisment

ଥମୁନି ଭରତପୁର ଥାନା କଳଙ୍କ; IICଙ୍କ ସହ ୫ କର୍ମଚାରୀଙ୍କୁ ନିଲମ୍ବନ, ତେଜିଲା ରାଜନୀତି

ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।

author-image
Sujit kumar Swain
undefined

Army Major Assaulted

ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଭରତପୁର ଆଇଆଇସିଙ୍କ ସହ ୫ କର୍ମଚାରୀ ନିଲମ୍ବିତ ହେଲେ ସତ, କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି ପୂର୍ବତନ ସେନା କର୍ମଚାରୀ। ଘଟଣାକୁ ନେଇ କ୍ଷୁବ୍ଧ ଥିବା ସେନା କର୍ମଚାରୀ ଆଜି ରାଜରାସ୍ତାକୁ ଓହ୍ଲାଇବା ସହ ଅପରାଧିକ ମାମଲା ରୁଜୁ ଏବଂ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ଏସବୁ ଭିତରେ ପୀଡ଼ିତାଙ୍କୁ ଜାମିନ ପ୍ରଦାନ କରି କ୍ରାଇମବ୍ରାଞ୍ଚ ତଦନ୍ତର ମନିଟରିଂ ନିଜେ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଅପରପକ୍ଷେ ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

Advertisment

ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା। ମାମଲା ସାମ୍ନାକୁ ଆସିବାର ୪୮ ଘଣ୍ଟା ଭିତରେ ରାଜ୍ୟ ସରକାର ବଦଳାଇଦେଲେ ଭରତପୁର ଥାନାର ଟୋଟାଲ୍ ଫ୍ରେମ୍। ଥାନା ବାବୁ ଦୀନକୃଷ୍ଣ ମିଶ୍ର, SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ, ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କଲେ ପୋଲିସ ଡିଜି। ହେଲେ ମେଜର ଗୁରୁବଂଶ ଏବଂ ତାଙ୍କ ବାନ୍ଧବୀଙ୍କୁ ଆଇଆଇସି ଦୀନକୃଷ୍ଣ ମିଶ୍ର ଆଣ୍ଡ କୋ, ଯେଭଳି ରାତିତମାମ ବର୍ବର ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା, ସେହି ପରିମାଣରେ ଶୃଙ୍ଖଳାଗତ ଆକ୍ସନ ସନ୍ତୁଷ୍ଟ କରିପାରିନି ପୂର୍ବତନ ସେନା କର୍ମଚାରୀଙ୍କୁ। ରାଜରାସ୍ତାକୁ ଓହ୍ଲାଇ ନାରାବାଜି କରିଛନ୍ତି ଭେଟେରାନ୍। 

ଯେଉଁଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ସାମିଲ ହୋଇଥିଲେ ବରିଷ୍ଠ ସେନା ଅଧିକାରୀ। ୧୨୦ ବାଟାଲିୟନରୁ ଶୋଭାଯାତ୍ରାରେ ଯାଇ ପୋଲିସ କମିଶନରଙ୍କୁ ଭେଟି ଘଟଣାକୁ ନିନ୍ଦା କରିଛନ୍ତି। ନିଲମ୍ବନ ନୁହେଁ, ବରଂ ଅପରାଧିକ ମାମଲା ରୁଜୁ ସହ ନ୍ୟାୟିକ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ। ସିପିଙ୍କୁ ଭେଟିବା ପରେ ଆଶ୍ବସ୍ତ ପ୍ରକାଶ କରିଥିବା ସଂଘ କହିଛି, ଆଶା ରହିଛି, ଏହି ଘଟଣାରେ ନ୍ୟାୟ ମିଳିବା ସହ ଆଗକୁ ପୋଲିସ ଆଚରଣ ମାର୍ଜିତ ହେବ। 

Advertisment

ଏପଟେ ଭୁବନେଶ୍ବର ଏମ୍ସରେ ମେଜରଙ୍କ ବାନ୍ଧବୀ। କେମିତି ଲହୁଲୁହାଣ ହେବା ସହ ସେଦିନ ରାତିରେ, ଦାନ୍ତ ଭାଙ୍ଗି ପାଟି କ୍ଷତାକ୍ତ ହୋଇଥିଲା । ଆଜି ଆଉ କିଛି ଚିତ୍ର ସାମ୍ନାକୁ ଆସିଛି। ରକ୍ତର ଛିଟା ଲାଗିଛି ସାର୍ଟରେ, ହାତ ଓ ଗୋଡ଼ରେ ନିର୍ଯାତନାର ଦାଗ ଦାଉ ଦାଉ ହୋଇ ଦେଖାଯାଉଛି। ଭଲ ଭାବେ ଚାଲୁପାରୁନଥିବା ତାଙ୍କ ବାପା କହିଛନ୍ତି। ଏବେ ଚିକିତ୍ସାଧିନ ଥିବାରୁ ତାଙ୍କ ବାପାଙ୍କ ସହ ଏମ୍ସକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପଦମ୍ ସିଂ।  

ଅପରପକ୍ଷେ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ହାଇକୋର୍ଟ ଆଜି ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ଦେଇଛନ୍ତି। ତା’ସହ ପୀଡ଼ିତାଙ୍କ ସବୁ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ନିର୍ଦ୍ଦେଶ ଦେବା ସହ କ୍ରାଇମବ୍ରାଞ୍ଚ ତଦନ୍ତର ନିଜେ ହାଇକୋର୍ଟ ମନିଟରିଂ କରିବେ ବୋଲି କହିଛନ୍ତି। ଆଜି ଶୁଣାଣିବେଳେ ହାଜର ହୋଇଥିଲେ କ୍ରାଇବ୍ରାଞ୍ଚର ତଦନ୍ତ ଅଧିକାରୀ ତଥା ଡିଏସପି। 

ନିଲମ୍ବିତ ଥାନାବାବୁ ଦୀନକୃଷ୍ଣ ମିଶ୍ର। ୨୦୨୨ ନଭେମ୍ବରରେ କଟକ ବାଲିଯାତ୍ରା ପଡ଼ିଆରେ ସାଇକେଲ୍ ଷ୍ଟାଣ୍ଡ ନିଲାମଧାରୀଙ୍କ ଠାରୁ ଟଙ୍କା ମାଗୁଥିବାର ଏକ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏଥିପାଇଁ ତାଙ୍କୁ କଟକ ଡିସିପି ହେଡକ୍ବାର୍ଟରକୁ ବଦଳି ବି କରାଯାଇଥିଲା। ତା’ପରେ ତତ୍କାଳୀନ ବିଜେଡି ସରକାର ଭରତପୁର ଆଦର୍ଶ ଥାନାର ଥାନାବାବୁ ଆସନରେ ବସାଇଥିଲେ। ଆଉ ଏବେ ଯେଉଁ ଘଟଣା ଘଟିଛି ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଏମସକୁ ଯାଇ ପୀଡ଼ିତାଙ୍କୁ ଭେଟିଥିବା ବିଜେଡି ପୋଲିସ ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରି ସମାଲୋଚନା କରିଥିବାବେଳେ ପାଲଟା ଜବାବ ରଖିଛି ବିଜେପି। କହିଛି, ପୂର୍ବ ସରକାର ଦୋଷୀଙ୍କୁ ଖସାଇବାକୁ ଉଦ୍ୟମ କରୁଥିଲେ। ମୋହନ ସରକାର ଦୋଷୀଙ୍କ ଉପରେ ଆକ୍ସନ ନେଉଛନ୍ତି।

Police Army Major
Advertisment
Advertisment