• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍‌ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି । ବିଜେଡିର ବିଧାୟକ, ନେତା, ମନ୍ତ୍ରୀଙ୍କ ମଧ୍ୟରେ ଛନ୍‌କା, ବଢୁଛି ବଡ଼ବଡିଆଙ୍କ ହାର୍ଟବିଟ୍ । କାରଣ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଫାସରେ ନେତାଠୁ ଅଫିସର୍ ଅନେକ ଫସିଥିବାରୁ ବଢିଛି ସେମାନଙ୍କ ଚିନ୍ତା । ପୂର୍ବରୁ ଇଡି କମିଶନରେଟ୍ ପୋଲିସଠାରୁ ଅର୍ଚ୍ଚନା ମାମଲାର FIR କପି ମାଗିଥିଲା । ଏ ଭିତରେ ପୋଲିସ୍ ଦୁଇଟି ଏତଲା କପି ଇଡିକୁ ଦେଇସାରିଛି । ଆଉ ବିଭିନ୍ନ ଦିଗ ଉପରେ ଆରମ୍ଭ କରିଛି ତଦନ୍ତ ।

ଠିକ୍ ଏହି ସମୟରେ ସେଣ୍ଟ୍ରାଲ୍ ଏଜେନ୍ସି ତଦନ୍ତ କରିବ, ସବୁ ଧରା ପଡିବେ ବୋଲି ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଅନେକଙ୍କ ନିଦ ହଜାଇ ଦେଇଛି । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମର୍ଥନ କରି ବିଜେପି ନେତା ବାବୁ ସିଂ କହିଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ ହେଲେ ସମସ୍ତଙ୍କ ମୁଖା ଖୋଲିଯିବ । ସେପଟେ କଂଗ୍ରେସ କହିଛି ଇଡି ତଦନ୍ତ ରାଜନୈତିକ ଉଦ୍ଦେଶ୍ୟରେ ନହେଉ । ଆଉ ଗୋଟିଏ ଦଳର ନେତାଙ୍କୁ ଫସା ନଯାଉ । ଯେଉଁମାନେ ଏହି ମାମଲାରେ ଜଡ଼ିତ ସେମାନଙ୍କ ମୁଖା ଖୋଲୁ ବୋଲି ଦାବି କରିଛି କଂଗ୍ରେସ୍ । ସେପଟେ ବିଜେଡି କହିଛି ଉପନିର୍ବାଚନ ଶେଷ ମୁହୂର୍ତ୍ତରେ ଏ କଥା ଉଠାଇବା ହତାଶା ଭାବର ପରିଚୟ ।

ସେପଟେ କମିଶନରେଟ୍ ପୋଲିସଠାରୁ ସବୁ ତଥ୍ୟ ପାଇଲା ପରେ ଇଡି, ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ଅର୍ଚ୍ଚନା ନାଗଙ୍କ କଳାଟଙ୍କାର ସାମ୍ରାଜ୍ୟ, ବ୍ଳାକମେଲିଂ କରି ବେଆଇନ୍ ଭାବେ ଆଦାୟ କରିଥିବା କୋଟି କୋଟି ଟଙ୍କାର ଲିଙ୍କ୍ କାଢ଼ିବାକୁ ଚେଷ୍ଟା କରୁଛି । ଖାସ୍ କରି ଅର୍ଚ୍ଚନା ସହ ଜଡିତ ଥିବା ଲୋକଙ୍କଠାରୁ ପ୍ରମାଣ ଯୋଗାଡରେ ଲାଗିଛି ଇଡି । ରାଜ୍ୟର ସବୁଠୁ ବଡ୍ ସେକ୍ସ ସ୍କାଣ୍ଡାଲ କୁହାଯାଉଥିବା ଏହି ମାମଲାରେ ଅର୍ଚ୍ଚନା ନାଗ ଓ ତା ସ୍ୱାମୀ ଜବବନ୍ଧୁ ଚାନ୍ଦ ଏବେ ଜେଲ୍‌ରେ । କିନ୍ତୁ କମିଶନରେଟ୍ ପୋଲିସ୍ ଏ ମାମଲାରେ କେତେ ଦୂର ଆଗେଇଲାଣି, କେଉଁ କେଉଁ ନେତାଙ୍କ ଲିଙ୍କ୍ ରହିଛି ଓ କାହା ସାହାଯ୍ୟରେ ଅର୍ଚ୍ଚନା ଏତେ ବଡ଼ ରାକେଟ୍ ଚଳାଇଥିଲା ସେ ସଂପର୍କରେ ପଦୁଟିଏ ବି କହିନାହିଁ ।