• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା । ୨୦୨୧ରୁ ୨୦୨୨ ମଧ୍ୟରେ ୧୦ ଲକ୍ଷ ଟଙ୍କା ପୈଠ କରିଛନ୍ତି ବ୍ୟାଙ୍କ ଆକାଉଣ୍ଟରେ । ହେଲେ କେଉଁ ସ୍ୱାର୍ଥରେ ? ସକାଳ ୯ଟାରୁ ୮ ଘଣ୍ଟା ଧରି ଘାଣ୍ଟିଥିଲା ଇଡି । ସେଠାରୁ ବାହାରିବା ପରେ ଅମୀୟ କହିଛନ୍ତି, ଅର୍ଚ୍ଚନାକୁ ମୁଁ ଫେସବୁକରୁ ଚିହ୍ନିଛି । ୨ଟି କିସ୍ତିରେ ୭ ଲକ୍ଷରୁ ଅଧିକ ଟଙ୍କା କେବଳ ମେଡ଼ିକାଲ୍ ବାବଦକୁ ଦେଇଛି ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନା ନାଗଫାଶରେ ଫସିଥିଲେ ଆଉ ଜଣେ ବ୍ୟବସାୟୀ ! ଇଡିରେ ହାଜର ହେଲେ ଅମୀୟକାନ୍ତ

କେବଳ ଅମୀୟକାନ୍ତ ନୁହଁନ୍ତି, ସମନ ପାଇଥିବା ସିନେ ପ୍ରଯୋଜକ ଅକ୍ଷୟ ପରିଜା ବି ଆଜି ହାଜର ହୋଇଛନ୍ତି ଇଡିରେ । କାରଣ ସେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ବିରୋଧରେ ୩ କୋଟି ଟଙ୍କା ପାଇଁ ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ଦିଗରେ ତଥ୍ୟ ଆଦାୟ କରିବା ସହ ଆର୍ଥିକ କାରବାର ହୋଇଛି ନା ନାହିଁ ସେନେଇ ଇଡ଼ି ଅକ୍ଷୟଙ୍କୁ ପଚରାଉଚରା କରିଥିବା କୁହାଯାଉଛି ।

ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାରେ ଅକ୍ଷୟ ପରିଜା ଓ ଅମୀୟକାନ୍ତଙ୍କ ଭଳି ବହୁ ପ୍ରଭାବଶାଳୀଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ତାମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ ସମନ ପାଇଥିବା ୧୫ ଜଣଙ୍କ ଆଜିଠୁ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ତାଲିକାରେ ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରାର ନାଁ ବି ରହିଛି । କୁହାଯାଉଛି, ଶ୍ରଦ୍ଧାଞ୍ଜଳି କାଲି ଇଡ଼ିରେ ହାଜର ହୋଇପାରେ ।

ଅନ୍ୟପକ୍ଷରେ ଗିରଫଦାରି ଭୟରେ ଶ୍ରଦ୍ଧାଞ୍ଜଳି ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ପୁରା ଘଟଣାରେ ପୋଲିସର ଆଭିମୁଖ୍ୟକୁ ନେଇ ଏବେ ଚର୍ଚ୍ଚା । କୁହାଯାଉଛି, ଇଡ଼ିକୁ ସମ୍ପୂର୍ଣ୍ଣ ସହଯୋଗ କରୁନି କମିଶନରେଟ୍ ପୋଲିସ । ଖଗେଶ୍ୱରକୁ ଜେଲରୁ କୋର୍ଟ ଏବଂ କୋର୍ଟରୁ ଜେଲ୍ ନେବା ଯାଏଁ କେବଳ ଏସକର୍ଟ ଦେଉଛନ୍ତି ସିଆରପିଏଫ୍ ଯବାନ ।

ଅର୍ଚ୍ଚନାର ଏଣ୍ଡେଭର୍ କାର୍ ଜବତ ବେଳେ ବି ପୋଲିସ ସହଯୋଗ କରିନଥିବା କୁହାଯାଉଛି ।

କାରକୁ କିଏ ଆଣି ଥୋଇଥିଲା, ତାର ସିସିଟିଭି ଫୁଟେଜ୍ ପାଇଁ ଇଡ଼ି ପକ୍ଷରୁ ପୋଲିସକୁ କୁହାଯାଇଥିଲେ ବି ଅନ୍ଧାରରେ କିଏ ପାର୍କିଂ କଲା ଜଣାପଡୁନି ବୋଲି ପୋଲିସ କହୁଛି । ସେହିପରି ନାଗ-ଚାନ୍ଦ ଦମ୍ପତିଙ୍କ ଠାରୁ ଜବତ ସାମଗ୍ରୀର ତାଲିକା ଇଡ଼ି ମାଗିଥିଲେ ବି କମିଶନରେଟ୍ ପୋଲିସ ବିଳମ୍ବ କରୁଥିବା କୁହାଯାଉଛି । ସମାନ ଦଫାରେ ଛନ୍ଦି ହୋଇଥିବା ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରର ଗିରଫଦାରୀ କ୍ଷେତ୍ରରେ ବି ପୋଲିସର ଭୂମିକାକୁ ନେଇ ନାନା ଚର୍ଚ୍ଚା ହେଉଛି ।

କାରଣ ଅର୍ଚ୍ଚନାକୁ ଗିରଫ କରିଥିଲେ ବି ଜଗବନ୍ଧୁକୁ ବାନ୍ଧିବାରେ ବିଳମ୍ବ କରିଥିଲା ପୋଲିସ । ଖଗେଶ୍ୱରର ତ ପୋଲିସ ପତ୍ତା ହିଁ ପାଇପାରିନଥିଲା । ତେବେ ଏ ନେଇ କମିଶନରେଟ୍ ପୋଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ ।