• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସାମ୍ରାଜ୍ୟ ସାରା ରାଜ୍ୟରେ ଚହଳ ପକାଇଥିଲା। ବଡ଼ ବଡ଼ିଆଙ୍କୁ ହନିଟ୍ରାପ୍ କରି ସେମାନଙ୍କଠୁ ବଡ଼ ରକମର ଟଙ୍କା ଆଦାୟ କରିବା ଅଭିଯୋଗ ଅର୍ଚ୍ଚନାଙ୍କ ନାଁରେ ରହିଛି । ଏହି ବ୍ଲାକମେଲିଂ ରାକେଟ୍ ଏତେ ବଡ଼ ଥିଲା ଯେ, ଏଥିରେ ନେତା, ମନ୍ତ୍ରୀ, ପ୍ରଶାସକ, ସିନେମା ପ୍ରଯୋଜକଙ୍କ ନାଁ ବି ସାମ୍ନାକୁ ଆସିଥିଲା । ଦିନ କେଇଟାରେ ରାଜଧାନୀରେ ବିରାଟ ବିଲଡିଂ, ଆଲିଶାନ୍ ଇନଟେରିୟର, ବଡ଼ ବଡ଼ କାର୍ ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜିଥିଲେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ।

ସିନେମା ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ ଏତଲା ହେବା ପରେ କମିଶନରେଟ୍ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଥିଲେ। ଆଳୁ ଖୋଳୁ ଖୋଳୁ ମହାଭାରତ ଭଳି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଧିରେ ଧିରେ ଫିଟିଥିଲା। ପୋଲିସ୍ ପରେ ଅର୍ଚ୍ଚନାଙ୍କ ମାମଲାରେ ଇଡି ବି ତଦନ୍ତ କରିଥିଲା। ଗତ ବର୍ଷ ଅକ୍ଟୋବରରେ ଅର୍ଚ୍ଚନା ଗିରଫ ହୋଇଥିଲେ। ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ତାଙ୍କ ନାଁରେ ମାମଲା ଚାଲୁ ରହିଛି। ଅର୍ଚ୍ଚନାଙ୍କ ସ୍ୱାମୀଙ୍କ ନାଁରେ ବି ମାମଲା ଚାଲିଥିବା ବେଳେ ସେ ପୂର୍ବରୁ ଜାମିନରେ ଆସିଛନ୍ତି।

ତେବେ ଜେଲ୍‌ରେ ବାହାରିବା ପରେ ମୁହଁ ଖୋଲିବେ କି ଅର୍ଚ୍ଚନା ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ? କାରଣ ଆଜି ଜେଲରୁ ବାହାରିବା ପରେ କିଛି ଏମିତି ଇସାରା ଦେଇଛନ୍ତି ଅର୍ଚ୍ଚନା ନାଗ । ୧୪ ମାସ ପରେ ଆଜି ଭୁବନେଶ୍ୱର ଝାରପଡ଼ା ଜେଲରୁ ଜାମିନରେ ବାହାରିଛନ୍ତି। ଜେଲରୁ ବାହାରିବା ପରେ ନିଜ ପୁରୁଣା ଶୈଳୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା। ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ କହିଥିଲେ, ସବୁ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିବେ। କୋର୍ଟଙ୍କ ଉପରେ ଭରସା ଅଛି।

ପୂର୍ବରୁ ଅର୍ଚ୍ଚନା କହିଥିଲେ ସେ ମୁହଁ ଖୋଲିଲେ ଓଡ଼ିଶା ଦୋହଲି ଯିବ। ସେ ପ୍ରଶ୍ନରେ ଅର୍ଚ୍ଚନା କହିଛନ୍ତି, ସମସ୍ତଙ୍କ ବିଶ୍ୱାସକୁ ରଖିବି, ମୁଣ୍ଡ ନୁଆଁଇବା ପିଲା ସେ ନୁହଁନ୍ତି । କୋର୍ଟକୁ ସବୁ କହିବା ପରେ ସେ କାର୍ଯ୍ୟାନୁଷ୍ଠାନ ନେବେ। ତାସହ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି ଦୋହରାଇଛନ୍ତି ଅର୍ଚ୍ଚନା । ତେଣୁ କିଛି ଦିନ ଧରି ଯେଉଁ ଚର୍ଚ୍ଚା ଥମି ଯାଇଥିଲା ତାହା ପୁଣି ଉଠିବ କି ବୋଲି ଆକଳନ କରାଯାଉଛି। ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଖଣ୍ଡଗିରି, ନୟାପଲ୍ଲୀ ଥାନାରେ ଚାଲିଥିବା ମାମଲାରେ ଜାମିନ୍ ମିଳିଥିଲା। 

ତେବେ ଅର୍ଚ୍ଚନାଙ୍କ ଜାମିନ ପାଇଁ କିଛି ସର୍ତ୍ତ ରଖାଯାଇଛି। ସେଗୁଡ଼ିକ ହେଲା ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାର ହାଇକୋର୍ଟରେ ଦର୍ଶାଇଛନ୍ତି ଅର୍ଚ୍ଚନା। ଜାମିନର ସର୍ତ୍ତ ଅନୁଯାୟୀ ତଳ କୋର୍ଟରେ ପାସପୋର୍ଟ ଦାଖଲ କରିବା ସହ ବାହାରକୁ ଯିବା ପାଇଁ କୋର୍ଟଙ୍କ ଅନୁମତି ଆବଶ୍ୟକ। ମାମଲାର ବିଚାର ସମୟରେ ନିୟମିତ ଭାବେ ତଳ କୋର୍ଟରେ ଉପସ୍ଥିତ ରହିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି। ଏହାଛଡା ସାକ୍ଷୀ ମାନଙ୍କୁ ପ୍ରଭାବିତ ନକରିବା ଓ ସମାନ ଧରଣର ଅପରାଧରେ ସାମିଲ ନହେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି।