• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆପାର୍ଟମେଣ୍ଟ ସୁରକ୍ଷା ନେଇ ଚିନ୍ତାରେ ପୋଲିସ କମିଶନର । ଲୁଟତରାଜ ଠାରୁ ଆରମ୍ଭ କରି କ୍ରାଇମ୍ ସିଣ୍ଡିକେଟ ସବୁ ହେଉଛି ଏହିଠାରୁ ଅପରେଟ୍ । ଦୀର୍ଘଦିନ ଧରି ଗୋଟିଏ ପରେ ଗୋଟିଏ ଆପାର୍ଟମେଣ୍ଟରୁ କଳାକନା ବୁଲାଉଛନ୍ତି ଲୁଟେରା । ଏ ପର୍ଯ୍ୟନ୍ତ ଲୁଟେରା ଧରାପଡୁନଥିବାରୁ ସମସ୍ତ ଥାନା ଅଧିକାରୀ, ଏସିପି ଓ ଡିସିପିଙ୍କୁ ତାଗିଦ କରିଛନ୍ତି ପୋଲିସ କମିଶନର । ସେପଟେ ବମିଖାଲ ଅଞ୍ଚଳରୁ ଜଣେ ପେଶାଦାର ସାଇବର ଅପରାଧୀକୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ, ପୁଣି ଥରେ ଆପାର୍ଟମେଣ୍ଟ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ । ଅଧିକାଂଶ ଚୋରିର ସିସିଟିଭି ଫୁଟେଜ ବି ପୋଲିସ ପାଖରେ ଅଛି ।

ତଥାପି ପୋଲିସ ଚୋର ଗ୍ୟାଙ୍ଗର ଟେର ପାଉନି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୋଲିସ କମିଶନର । ସମସ୍ତ ଥାନା ଅଧିକାରୀ ସହ ଏସିପିଙ୍କୁ କରିଛନ୍ତି ତାଗିଦ । ସମସ୍ତ ଆପାର୍ଟମେଣ୍ଟରେ ହୋଇଥିବା ଲୁଟପାଟରେ ଅନେକ ସାମଞ୍ଜସ୍ୟ ରହିଥିବା ସିସିଟିଭିରୁ ଜଣାପଡିଛି । ବାହାର ରାଜ୍ୟର ଲୁଟେରା ଆସି ରାଜଧାନୀରେ ଲୁଟପାଟ କରୁଥିବା ପୋଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ଲୁଟେରାଙ୍କୁ ଧରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ସେପଟେ କେବଲ ଚୋରି ନୁହେଁ କ୍ରାଇମ୍ ସିଣ୍ଡିକେଟ ନେଇ ଆପାର୍ଟମେଣ୍ଟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଲକ୍ଷ୍ମୀସାଗର ଥାନା ବମିଖାଲ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ଜଣେ କୁଖ୍ୟାତ ସାଇବର ଅପରାଧୀକୁ ଦିଲ୍ଲୀ ପୋଲିସ ଗିରଫ କରିବା ପରେ ସମସ୍ତ ଆଶ୍ଚର୍ଯ୍ୟଚକିତ । ସମ୍ବଲପୁର ଅଞ୍ଚଳର ସୌରଭ ଦେହୁରୀ ବମିଖାଲ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ରହି ସାଇବର ଅପରାଧ ଚଳାଇଥିଲେ ।

ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ ଏ ନେଇ ସୁରାକ ପାଇବା ସହ ସୌରଭଙ୍କୁ ଉଠାଇ ନେଇଛି । ଦୀର୍ଘ ଦୁଇବର୍ଷ ଧରି ଏଠି ସୌରଭ ରହୁଥିବା ବେଳେ, ତାଙ୍କ ରହଣି ସହଣି ସମସ୍ତଙ୍କୁ ସନ୍ଦେହ କରୁଥିଲା । ଏବେ ସୁରକ୍ଷା ନେଇ ଆପାର୍ଟମେଣ୍ଟବାସୀ ଚିନ୍ତିତ ଥିବା ବେଳେ ସମସ୍ତ ଆପାର୍ଟମେଣ୍ଟ କମିଟି ସହ ବୈଠକ ଡାକିଛନ୍ତି ପୋଲିସ କମିଶନର ।.

ନା ଲୁଟେରାକୁ ପାଉଛି ନା କ୍ରାଇମ ସିଣ୍ଡିକେଟକୁ ଧରି ପାରୁଛି । ଆପାର୍ଟମେଣ୍ଟରେ ଅପରାଧୀକୁ ଧରିବା ଏବେ କମିଶନରେଟ ପୋଲିସ ପାଇଁ ପାଲଟିଛି ବଡ ଚାଲେଞ୍ଜ...

  • Reported by:
  • CHANDAN PAIKRAY