• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି । ବିନା କାରଣରେ ଫୋନ୍ କରି ଚାଲିଛନ୍ତି ଇମର୍ଜେନ୍‌ସି ନମ୍ବରକୁ । ଜୀବନ ମୃତ୍ୟୃର ଘଡ଼ିସନ୍ଧି ମୁହୁର୍ତ୍ତରେ କୌଣସି ବ୍ୟକ୍ତିଟିଏ ଆମ୍ବୁଲାନ୍ସ ଖଣ୍ଡେ ପାଇବା ପାଇଁ ଫୋନ୍ କରୁଥିବା ୧୦୮ ନମ୍ବରକୁ ଫୋନ୍ କରି କେତେବେଳେ ମହିଳା କର୍ମଚାରୀଙ୍କ ସହ କରୁଛନ୍ତି ଆପତ୍ତିଜନକ କଥାବାର୍ତ୍ତା ତ କେତେବେଳେ ମନକୁ ଯାହା ଆସିଲା, ଗପିବାକୁ ଚେଷ୍ଟା କରୁଛନ୍ତି ଫେକ୍ କଲର୍ । ଆଶ୍ଚର୍ଯ୍ୟର କଥା ହେଉଛି, କିଛି ଛୋଟ ପିଲା ବି କଲ୍ କରି ୟ୍ୟାଡୁ ସ୍ୟାଡୁ କଥାବାର୍ତ୍ତା କରୁଛନ୍ତି ।

୧୦୮ ପାଇଁ କୁହାଯାଇଛି ପ୍ରତ୍ୟେକଟି ଫୋନ୍ କଲ୍‌କୁ ଗୁରୁତ୍ୱର ସହ ବିଚାର କରି ସେବା ଉଦ୍ଦେଶ୍ୟରେ ପଦକ୍ଷେପ ନିଅ । ଏହି ଲକ୍ଷ୍ୟ ନେଇ ଜିକିତ୍ସା ହେଲଥ କେୟାର ଲିମିଟେଡ୍ ପକ୍ଷରୁ ୧୦୪ ଏବଂ ୧୦୮ ଜରିଆରେ ଯୋଗାଇ ଦିଆଯାଉଛି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା । କିନ୍ତୁ ସଂସ୍ଥାର କହିବା କଥା, ୧୦୮ ନମ୍ବରରେ ଦୈନିକ ପ୍ରାୟ ୧୦ ହଜାର ଫୋନ୍ କଲ୍ ଆସେ । ଦୁର୍ଭାଗ୍ୟଜନକ କଥା ହେଉଛି, ସେହି ୧୦ ହଜାର କଲ୍ ମଧ୍ୟରୁ ୭ ଶହ ହେଉଛି ଫେକ୍ କଲ । ଅର୍ଥାତ କିଏ ନିଶାସକ୍ତ ଅବସ୍ଥାରେ କଲ୍ କରି ୧୦୮ ସେବାର ଧଜ୍ଜିଆ ଉଡ଼ାଉଛି ତ ଆଉ କିଏ ଜରୁରୀକାଳୀନ ସେବା ପାଇଁ ଉଦ୍ଧିଷ୍ଟ ଆମ୍ବୁଲାନ୍ସକୁ ମିଛରେ ଡକାଉଛି ।

ଗତ ନଭେମ୍ବର ୧୦ ତାରିଖ ଦିନ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଛି ୯ ବର୍ଷ । ରାଜ୍ୟରେ ୧୧ ଶହ ୨୪ଟି ଆମ୍ବୁଲାନ୍ସ ସହ ବୋଟ୍ ଆମ୍ବୁଲାନ୍ସ ସେବା ଯୋଗାଉଛି । କିନ୍ତୁ, ଜରୁରୀକାଳୀନ ସେବା ଯୋଗାଉଥିବା ନମ୍ବରର ଦୁରୁପଯୋଗ କରାଯିବା ସହ ଛୋଟ ଛୋଟ ପିଲାଙ୍କୁ ଅଭିଭାବକ ମୋବାଇଲ୍ ଧରାଇଦେଉଛନ୍ତି । ଜିକିତ୍ସା ହେଲ୍ଥ କେୟାର କହିଛି, ଏନେଇ ଅନେକ ଥର ଥାନାରେ ଏତଲା ବି ଦିଆଯାଇଛି । କିନ୍ତୁ ଫଳ ଶୂନ ।

ତେବେ ଏ ସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରିନି । ହେଲେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଏହି ଫୋନ୍ କଲ୍‌ର ବ୍ୟବସ୍ଥା ଥିବାବେଳେ ଆମେ ତାର ଏଭଳି ଅପବ୍ୟବହାର କରିବା କଣ ଠିକ୍ ? ଥରେ ଭାବନ୍ତୁ ଆପଣଙ୍କ ଏଭଳି ବଦ୍‌ମାସି ଯୋଗୁଁ ଫୋନ୍ ଏନ୍‌ଗେଜ୍ ରହିଲେ ଜୀବନମୃତ୍ୟୁ ସହ ଜୁଝୁଥିବା ଜଣେ ରୋଗୀକୁ ଠିକ୍ ସମୟରେ ଆମ୍ବୁଲାନ୍ସ ନମିଳିପାରେ, ଏପରିକି ତାଙ୍କର ଜୀବନ ବି ଯାଇପାରେ । ଏକଥାକୁ ସମସ୍ତେ ଚିନ୍ତା କରିବା ଉଚିତ ।

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)