• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା ।

  • ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ ।

  • କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।

ଭୁବନେଶ୍ୱର: ୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା । ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି । ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ସେହିଭଳି ଗତ ଜୁଳାଇ ୨୯ ତାରିଖରେ ମଧ୍ୟ ଜଣେ ଚିଟ୍‌ଫଣ୍ଡ ଲୁଟେରାକୁ ଗିରଫ କରିଥିଲା ପୋଲିସ । ୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ ହୋଇଥିଲା । ଅଭିଯୁକ୍ତକୁ ଗିରଫ କରିଥିଲା ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର ଜୈନ । ତାଙ୍କ ଘର ରାଜସ୍ଥାନର ବିକାନରରେ । ୨୦୧୦ରୁ ୨୦୧୩ ମଧ୍ୟରେ ସେ ଓଡିଶାରେ ଇଣ୍ଟର ଓସେନ ବିଦେଶ ଲିମିଟଡ ନାମରେ ଏକ କମ୍ପାନୀ ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ ।

ଜମା ଅର୍ଥ ଦ୍ୱିଗୁଣିତ ହେବା ଲୋଭ ଦେଖାଇ ଲୋକଙ୍କଠାରୁ ବିଭିନ୍ନ ସ୍କିମରେ ଡିପୋଜିଟ୍‌ କରାଇଥିଲେ । ହେଲେ ମାଚ୍ୟୁରିଟି ପୂର୍ବରୁ କମ୍ପାନୀ ବନ୍ଦ କରି ୨୦୧୩ ମସିହାରୁ ଫେରାର ଥିଲେ । ତାଙ୍କ ବିରୁଦ୍ଧରେ ୨ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ତାକୁ ଗିରଫ କରାଯାଇଥିବା EOW ସୂଚନା ଦେଇଥିଲା । ବରେଲିରୁ ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିଲା ପୋଲିସ ।

ତେବେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଛନ୍ତି । ସେମାନେ ନିଜର ଜୀବନର ସବୁ ସଞ୍ଚୟ ହରାଇଥିଲେ ବି ଏବେ ସୁଦ୍ଧା ତାଙ୍କୁ ନ୍ୟାୟ ମିଳିପାରି ନାହିଁ । ସେପଟେ ସରକାର ମଧ୍ୟ ଚୁପ୍‌ ବସିଛନ୍ତି କହିଲେ ଚଳେ । ଗରିବ ଓ ମଧ୍ୟବିତ ଲୋକମାନଙ୍କୁ ଟଙ୍କା ଦ୍ୱିଗୁଣା ହେବାର ଲୋଭ ଦେଖାଇ, ଲକ୍ଷ ଲକ୍ଷ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟିଛନ୍ତି ଏହି ଚିଟ୍‌ଫଣ୍ଡ ଲୁଟେରା ମାନେ । ବାରମ୍ବାର ଆନ୍ଦୋଳନ, ବିକ୍ଷୋଭ କରିବା ସହ ସ୍ଥାନୀୟ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରି ନାହିଁ ।

ଲୋକଙ୍କୁ ନ୍ୟାୟ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ସବୁ କମିଟି ଗଠନ କରାଯାଇଥିଲା ତାହା ମଧ୍ୟ ଏବେ ଶିଥିଳ ପ୍ରାୟ ଜଣାପଡ଼ୁଛି । ତେବେ ଆଗକୁ ସେହି ଗରିବ କ୍ଷତିଗ୍ରସ୍ତଙ୍କ ଅବସ୍ଥା କ’ଣ ହେବ, ତାଙ୍କୁ ନ୍ୟାୟ ମିଳିବ କି ନାହିଁ ତାହା ସମୟ କହିବ ।