/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656427462.jpg)
Ardhendu Das
କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଏକ ଘରୋଇ ଟେଲିଭିଜନ୍ ଚ୍ୟାନେଲ୍ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ EOWର ରେଡ୍ । ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଚଢ଼ଉ କରିଛନ୍ତି EOW ତଦନ୍ତକାରୀ ଅଧିକାରୀ । ଅଭିଯୋଗ ଅନୁସାରେ ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଥର ନୋଟିସ୍ ପରେ ବି ସେ ହାଜର ହୋଇନଥିଲେ ।
ଏହାପରେ ଆଜି ତାଙ୍କ ଘରେ ସର୍ଚ୍ଚ କରିଛି ତଦନ୍ତକାରୀ ଟିମ୍ । ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂହ ଚାୱଲା ଅର୍ଦ୍ଧେନ୍ଦୁଙ୍କ ନାଁରେ EOWରେ ଅଭିଯୋଗ କରିଛନ୍ତି । ଅକ୍ଟୋବର ୨୦୨୦ରେ ଚ୍ୟାନେଲ ପାଇଁ ୯୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଗଗନଦୀପଙ୍କଠୁ କିଣା ଯାଇଥିଲା । ଏବାବଦକୁ ମାତ୍ର ୧୦ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇ ୬ ମାସରେ ପଇସା ଦେବାକୁ କହିଥିଲେ ଅର୍ଦ୍ଧେନ୍ଦୁ । ହେଲେ ଏବେ ଯାଏଁ ବଳକା ଟଙ୍କା ନମିଳିବାରୁ ତାଙ୍କ ନାଁରେ EOWରେ ଏତଲା କରିଛନ୍ତି ଗଗନଦୀପ ।
ସେପଟେ ଅଭିଯୋଗ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଦ୍ଧେନ୍ଦୁ । ଚ୍ୟାନେଲ କାମରେ ସେ ବାହାରେ ଅଛନ୍ତି, EOWର ସମନ୍ ପାଇ ତୁରନ୍ତ ଚିଠି ଲେଖି ଜଣାଇଥିଲେ । ରଥଯାତ୍ରା ପରେ ଦେଖା କରିବେ ବୋଲି କହିଥିଲେ । ହେଲେ EOW ପୁଣି ତାଙ୍କୁ ସମନ୍ କରିଥିଲା । ଏନେଇ ତାଙ୍କ ଓକିଲ EOWକୁ ଜଣାଇଥିଲେ । ଏହାସତ୍ତ୍ୱେ EOW ଆଜି ଭୋର୍ ୪ଟାରେ ରେଡ୍ କରିବା ଆଶ୍ଚର୍ଯ୍ୟଜନକ । ଏହାସହ କେବେ କାହାକୁ ଠକିବା ତାଙ୍କ ଉର୍ଦ୍ଦେଶ୍ୟ ନୁହେଁ ବୋଲି ଅର୍ଦ୍ଧେନ୍ଦୁ ଦୋହରାଇଛନ୍ତି ।
ସେହିପରି ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଏବାବଦରେ ନିସିତ ବହୁବାର ଅର୍ଦ୍ଧେନ୍ଦୁଙ୍କୁ ଟଙ୍କା ମାଗିବା ପରେ ଗାଳିଗୁଳଜ ଓ ଧମକ ଦିଆଯାଇଥିବା ଅଭିଯୋଗ କରି ପୁରୀ ଘାଟ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ମାମଲାରେ ତଦନ୍ତ କରୁଛି । ସେପଟେ ଏହି ଅଭିଯୋଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)