• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଣି ଥରେ ମୁହଁ ଖୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ପୀଡ଼ିତା ଖୋଦ୍ ଅଂଜନା ମିଶ୍ର । କହିଛନ୍ତି, ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି । କିଛି ପ୍ରଭାବଶାଳୀ ବ୍ୟକ୍ତି, ପରଦା ପଛରେ ରହି ତାକୁ ବଂଚାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି ।

୨୦୨୧ରେ ପୁଣେରୁ ଗିରଫ କରାଯାଇଥିବା ବିବନ ବିରୋଧରେ ଶୀଘ୍ର ଶୁଣାଣି ଆରମ୍ଭ କରାଯାଇ, ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କର ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ରକ୍ଷା କରିବାକୁ ହେଉଛି କି ଷଡ଼ଯନ୍ତ୍ର ? ପରଦା ପଛରେ ରହି କିଏ ବିବନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି ? ବିବନକୁ ଗିରଫ କରାଯିବାର ୨ ବର୍ଷରୁ ଅଧିକ ସମୟ ହୋଇଥିଲେ ବି ତା ନାଁରେ ଚାର୍ଜଫ୍ରେମ୍ ହେଉନଥିବାରୁ ଏପରି ସନ୍ଦେହ ପ୍ରକାଶ କରିଛନ୍ତି ପୀଡ଼ିତା ଅଞ୍ଜନା ମିଶ୍ର ।

ସେ ପ୍ରଶ୍ନ କରିଛନ୍ତି, ବିବନ ଧରା ପଡ଼ିଥିବା ସତ୍ତ୍ୱେ କାହିଁକି ତା ବିରୋଧରେ ହେଉନି ଶୁଣାଣି ? କିଛି ପ୍ରଭାବଶାଳୀ ବ୍ୟକ୍ତି ପରଦା ପଛରେ ରହି ଶୁଣାଣିକୁ ବିଳମ୍ବିତ କରୁଛନ୍ତି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଞ୍ଜନା ।

୨୦୨୧ ଫେବ୍ରୁଆରୀ ୨୨ ତାରିଖରେ ମହାରାଷ୍ଟ୍ର ପୁଣେରୁ ଧରା ପଡ଼ିଥିଲା ବିବନ । ଏକ ଅତ୍ୟନ୍ତ ଗୋପନୀୟ ଓ ସ୍ୱତନ୍ତ୍ର ଅପରେସନ ସାଇଲେଣ୍ଟ ଭାଇପର୍ ଜରିଆରେ ତାକୁ ଗିରଫ କରିଥିଲା ପୋଲିସ । ସେତେବେଳର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରେସମିଟରେ ଏହା ଖୁଲାସା କରିବା ପରେ ୨୦ ବର୍ଷ ତଳର ଲୋମହର୍ଷଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଥିଲା । ଅଞ୍ଜନା ସନ୍ଦେହ କରୁଛନ୍ତି, ନିଶ୍ଚିତ ଭାବେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ବିବନକୁ ସୁରକ୍ଷା ଦେଇ ଲୁଚାଇ ରଖିଥିଲେ ।

ନ ହେଲେ ସେ ୨୨ ବର୍ଷ ଧରି ଲୁଚି ପାରିନଥାନ୍ତା । ସେହି ଷଡ଼ଯନ୍ତ୍ରକାରୀର ଚେହେରା ସାମ୍ନାକୁ ଆଣିବା ପାଇଁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ମଧ୍ୟ ଲେଖିଥିଲେ ଅଞ୍ଜନା । ସେହି ପ୍ରଭାବଶାଳୀ ଷଡ଼ଯନ୍ତ୍ରକାରୀଙ୍କ ନାଁ ସିବିଆଇ ସାମ୍ନାକୁ ଆଣୁ ବୋଲି ସେ ଦାବି କରିଛନ୍ତି ।

୧୯୯୯ ଜାନୁଆରୀ ୯ ତାରିଖରେ କଟକ ବାରଙ୍ଗ ନିକଟରେ ଅଞ୍ଜନା ମିଶ୍ରଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସେତେବେଳେ ଧରାପଡ଼ିଥିଲେ ୨ ଜଣ । ଉଭୟଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । କିନ୍ତୁ ପୋଲିସ ନଜରରୁ ଖସି ଯାଇଥିଲା ବିବନ ବିଶ୍ୱାଳ ।

ନାଁ ବଦଳାଇ ପାଇପ୍ ମିସ୍ତ୍ରୀ ଭାବେ କାମ କରି ପୁଣେରେ ସେ ଲୁଚିଥିଲା । ପ୍ରାୟ ୨ ବର୍ଷ ତଳେ ତାକୁ ଗିରଫ କରାଯିବା ସତ୍ତ୍ୱେ ବିଚାର ପ୍ରକ୍ରିୟା କିନ୍ତୁ ଆଶାନୁରୂପ ଭାବେ ଆଗେଇ ପାରିନାହିଁ । ବିବନ ଏବେ ଝାରପଡ଼ାରେ ଜେଲ୍ ରେ ବନ୍ଦୀ ଜୀବନ କାଟୁଛି ।

କଟକରୁ ଗୌତମ ପଣ୍ଡା, ଏବଂ ଭୁବନେଶ୍ୱରରୁ କ୍ୟାମେରାପର୍ସନ ଅବଦୁଲ ଅଜିଜଙ୍କ ସହିତ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି