Advertisment

ଟାଟା ପାୱାରର ଭୁଲ ପାଇଁ ବଳି ପଡ଼ିଲେ କି କର୍ମଚାରୀ ?

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପଛର କାରଣକୁ ନେଇ ଚର୍ଚ୍ଚା । କଂପାନୀକୁ ଦାୟୀ କରି ବର୍ଷିଲା ଉପଭୋକ୍ତା ମହାସଂଘ ।

author-image
Satyendu Shekher Mishra
undefined

Tata Power

ଟାଟା ପାଓ୍ୱାରର ଭୁଲ ପାଇଁ ବଳି ପଡ଼ିଲେ କି କର୍ମଚାରୀ ? ବିଜୁଳି ବିଲ୍ ବିଭ୍ରାଟ ପାଇଁ ଦାୟୀ କିଏ ଆଉ କିଏ ଭୋଗିଲା ଫଳ ? ଭଞ୍ଜନଗର ଅଂଚଳରେ ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ପରେ ଏବେ ଉଠିଛି ଏମିତି ପ୍ରଶ୍ନ ।

Advertisment

ସୂଚନା ଅନୁସାରେ ଅଭିଯୁକ୍ତ ଗୋବିନ୍ଦ ସେଠୀଙ୍କ ବିଜୁଳି ବିଲ୍ ଜୁନ ମାସ ଅପେକ୍ଷା ଜୁଲାଇରେ ପ୍ରାୟ ୫୦ ଟଙ୍କା ଅଧିକ ଆସିବାରୁ ଆରମ୍ଭ ହୋଇଥିଲା ବଚସା। ଯାହା ନେଇଥିଲା ହତ୍ୟାର ରୂପ। ପ୍ରଶ୍ନ ଉଠୁଛି କାହିଁକି ବାରମ୍ୱାର ହେଉଛି ବିଜୁଳି ବିଲରେ ବିଭ୍ରାଟ। ତେଣୁ ହତ୍ୟା ଘଟଣା ପଛରେ ବିତରଣ କଂପାନୀ ଟାଟା ପାଓ୍ୱାରକୁ ଦୋଷ ଦେଇଛନ୍ତି ଶକ୍ତି ସମୀକ୍ଷକ ଏବଂ ଉପଭୋକ୍ତା ମହାସଂଘ। ଶକ୍ତି ସମୀକ୍ଷକଙ୍କ ମତରେ ବିଜୁଳି ବିଲ ବିଧି ବ୍ୟବସ୍ଥାକୁ ବିତରଣ କଂପାନୀ ମାନୁ ନଥିବାରୁ ଏମିତି ବିଭ୍ରାଟ ହେଉଛି।

ସପ୍ଲାଏ କୋଡ ଅନୁସାରେ ବିଲିଂ ଡେଟ ପରିବର୍ତ୍ତନ ହୋଇ ପାରିବନି, ହେଲେ ବିତରଣ କଂପାନୀ ତାକୁ ମାନୁ ନାହାନ୍ତି। ଯେଉଁଥି ପାଇଁ ତାରିଖ ପରିବର୍ତ୍ତନ ହେବା ସହ ସ୍ଲାବରେ ବି ପରିବର୍ତ୍ତନ ହେଉଛି।

Advertisment

ବିଜୁଳି ବିଲ୍ ବିଭ୍ରାଟ ଟାଟା ପାଓ୍ୱାର ପାଇଁ କୌଣସି ନୂଆ କଥା ନୁହେଁ, ନିତି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଏମିତି ଅଭିଯୋଗ। ଏଇ ଯେମିତି ବାଲେଶ୍ୱର ଖଇରା ବ୍ଲକ ତେନ୍ତୁଳିଆଗାଁର ବଳରାମ ମହାନ୍ତି। ତାଙ୍କ ଅଭିଯୋଗ, ଘରେ ମାତ୍ର ୪ ଟି ବଲ ଆଉ ୨ଟି ଫ୍ୟାନ ହେଲେ ବିଜୁଳି ବିଲ ଗତମାସ ଆସିଥିଲା ୮୦୦ ଆଉ ଚଳିତ ମାସ ଆସିଛି ୭୦୦। ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ସେମିତି ଆଉ ଜଣେ ଉପଭୋକ୍ତା ହେଲେ ଖଲ୍ଲିକୋଟ ଅଞ୍ଚଳର ଉପଭୋକ୍ତା ରାଜେନ୍ଦ୍ର ମହାରଣା। ଘରର ବିଜୁଳି ବିଲ ଆଗରୁ ୨୦୦ରୁ ୨୫୦ ଆସୁଥିଲା। ହେଲେ ଗତ ଦୁଇ ମାସ ହେବ ୧୫୦୦ରୁ ୧୮୦୦ ଆସୁଛି।

ବିଜୁଳି ବିଲ ବିଭ୍ରାଟର ଏମିତି ସ୍ଥିତିରେ ଭଞ୍ଜନଗର ଘଟଣା ପରେ ନିଜକୁ ଅସୁରକ୍ଷିତ ମଣିଲେଣି ବିଦ୍ୟୁତ କର୍ମଚାରୀ। ନିଜ ପାଇଁ ସୁରକ୍ଷା ଦାବି କରି ଆଜି ବ୍ରହ୍ମପୁର ସ୍ଥିତ ଟାଟା ପାଓ୍ୱାର କାର୍ଯ୍ୟାଳୟ ଘେରାଉ କରିଥିଲେ ମିଟର ରିଡିଂ କର୍ମଚାରୀ ମାନେ ।

ତେବେ ଏନେଇ ବିତରଣ କଂପାନୀ ଟାଟା ପାଓ୍ୱାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତକ ଲକ୍ଷ୍ମୀ ନାରାୟଣଙ୍କ ପରିବାରକୁ କ୍ଷତିପୂରଣ ସହ ୧୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରର ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ଏମିତି ଘଟଣା କେମିତି ନ ଘଟିବ ସେ ନେଇ ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହବୈଠକ କରି ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବ।

TATA Power Power Cut
Advertisment
Advertisment