• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାରା ଦେଶରେ ହଇଚଇ ସୃଷ୍ଟି କରିଛି ବେଙ୍ଗଲୁରୁରେ AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା । ତେବେ ମାମଲାରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇ ଅତୁଲଙ୍କ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ଅତୁଲଙ୍କ ପତ୍ନୀ ହେଉଛନ୍ତି ନିକିତା ସିଂହାନିଆ । ଅତୁଲଙ୍କ ପତ୍ନୀ ନିକିତାଙ୍କ ସମେତ ତାଙ୍କ ମାଆ ଏବଂ ଭାଇ ମଧ୍ୟ ଗିରଫ ହୋଇଛନ୍ତି । ଗୁରୁଗ୍ରାମରୁ ଉଠାଇ ଆଣିଛି ବେଙ୍ଗଲୁରୁ ପୋଲିସ୍ । ସୂଚନା ଅନୁସାରେ ଗତ କିଛିଦିନ ତଳେ ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିଲେ ଅତୁଲ ।

ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି । ମୃତ ଅତୁଲଙ୍କ ଭାଇ ବିକାଶ କୁମାର ବେଙ୍ଗଲୁରୁର ମାରାଥଲି ଥାନାରେ ଏତଲା ଦେଇଥିଲେ । ବିକାଶଙ୍କ ଏତଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଏନଏସର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକେଇବା ଭଳି ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: ସ୍ତ୍ରୀ ମାନେ ସାବଧାନ, ପରକୀୟା ପ୍ରୀତି ପାଇଁ ସ୍ୱାମୀ କରୁଛନ୍ତି ହତ୍ୟା !

ଅତୁଲ ସୁଭାଷ , ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ଓ ଦେଢ ଘଣ୍ଟାର ଭିଡିଓ ମେସେଜ୍ ଛାଡି ଜୀବନ ହାରିଛନ୍ତି । ଆସେଞ୍ଚର ଭଳି ପ୍ରତିଷ୍ଠିତ ଆଇଟି କଂପାନୀରେ ଚାକିରୀ କରୁଥିବା ସତ୍ତ୍ୱେ ତାଙ୍କ ପତ୍ନୀ ନିକିତା ଏକାଥରକେ ଛାଡ଼ପତ୍ର ସେଟେଲମେଣ୍ଟ ପାଇଁ ଦାବି କରୁଥିଲେ ୩ କୋଟି ଟଙ୍କା, ଯାହାକୁ ନେଇ ମାନସିକ ଚାପରେ ରହୁଥିଲେ ଅତୁଲ । ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।

କୁହାଯାଉଛି- କେବଳ ପତ୍ନୀଙ୍କ ନିର୍ଯାତନା, ମିଛ ମାମଲା, କି ମାନସିକ ଚାପ ନୁହେଁ । ନାରୀ ପ୍ରତି ସମ୍ବେଦନଶୀଳ, ଅଥଚ ପୁରୁଷ ପ୍ରତି ଉଦାସୀନ ଆଇନ ବ୍ୟବସ୍ଥାରେ ଅତିଷ୍ଠ ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି ଅତୁଲ । ଅତୁଲଙ୍କ ଦେଢ଼ ଘଣ୍ଟାର ଏହି ଶେଷ ଭିଡିଓ ଓ ୨୪ ପୃଷ୍ଠାର ଶେଷ ଚିଠି ସାମ୍ନାକୁ ଆସିବା ପରେ, ତେଜିଛି ଜଷ୍ଟିସ୍ ଫର୍ ଅତୁଲ ସୁଭାଷ ନାରା । ଇଏ କେବଳ ଗୋଟିଏ ଘଟଣାର ପ୍ରତିବାଦ ନୁହେଁ, ଇଏ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ।

ସେପଟେ ଗତ କିଛିଦିନ ତଳେ ସୁପ୍ରିମକୋର୍ଟ ଏ ସମ୍ପର୍କରେ କଡ଼ା ଟିପ୍ପଣୀ ଦେଇଥିଲେ । ନିରୀହଙ୍କୁ ହଇରାଣ କରିବା ପାଇଁ ଯୌତୁକ-ନିରୋଧୀ ଆଇନର ଦୁରୁପଯୋଗ ବନ୍ଦ ହେଉ ବୋଲି କହିଥିଲେ ସର୍ବୋଚ୍ଚ ଅଦାଲତ । ଅନ୍ୟ ଏକ ମାମଲାର ଶୁଣାଣିରେ ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଏନ୍. କୋଟିଶ୍ୱରଭଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, - ମହିଳାମାନେ ସ୍ୱାର୍ଥସାଧନ ପାଇଁ ସ୍ୱାମୀ ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଆଇନର ଦୁରୁପଯୋଗ କରୁଥିବା ଘଟଣା ବୃଦ୍ଧି ପାଉଛି ।

ବୈବାହିକ ବିବାଦ ଭଳି ମାମଲାରେ IPC 498A ଭଳି ଦଫାକୁ ବ୍ୟକ୍ତିଗତ ପ୍ରତିଶୋଧ ହାସଲର ହତିଆର ଭାବେ ବ୍ୟବହାର କରାଯାଉଛି । ମହିଳାଙ୍କୁ ଘରୋଇ ହିଂସାରୁ ସୁରକ୍ଷା ଦେବା ପାଇଁ ତିଆରି ହୋଇଥିବା ଆଇନକୁ ଅସ୍ତ୍ର କରି, କିଛି ମହିଳା ନିଜ ଅଯୌକ୍ତିକ ଦାବି ପୂରଣ ପାଇଁ ସ୍ୱାମୀ ଓ ତାଙ୍କ ପରିବାରଲୋକଙ୍କୁ ବାଧ୍ୟ କରୁଛନ୍ତି ।

ଏଭଳି ଅପରାଧିକ ମାମଲାରେ କୌଣସି ବ୍ୟକ୍ତିର ସକ୍ରିୟ ସମ୍ପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ କିମ୍ବା ନିର୍ଦ୍ଦିଷ୍ଟ ଅଭିଯୋଗ ନଥିଲେ, କେବଳ ସାମାନ୍ୟ ନାଁକୁ ଆଧାର କରି ତାଙ୍କୁ ମାମଲା ସହ ଯୋଡ଼ିବା ତୁରନ୍ତ ବନ୍ଦ ହେବା ଦରକାର । ବୈବାହିକ କଳହରୁ ପାରିବାରିକ ବିବାଦ ଉପୁଜିଲେ ସ୍ୱାମୀଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଏଥିରେ ଛନ୍ଦିଦେବା କିଛି ନୂଆ କଥା ନୁହେଁ ବୋଲି ନିଜ ନ୍ୟାୟିକ ଅଭିଜ୍ଞତାକୁ ଆଧାର କରି କହିଛନ୍ତି ଖଣ୍ଡପୀଠ ।

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

OTV is now on Whatsapp

Join and get latest news update delivered to you via whatsapp

Join Now