• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

 

ପୁଣି କଲେଜରେ ରାଗିଂ । ମିଳି ମିଶିକି ପିଟିଲେ । ନିର୍ଧୁମ ପିଟିଲେ । ଶେଷରେ ଥାନାର ଦ୍ୱାରସ୍ତ ହେଲେ ମାଡ଼ ଖାଇଥିବା ଛାତ୍ର । ଏଭଳି ଏକ ଅମାନବୀୟ କାଣ୍ଡ ଘଟିଛି ବଲାଙ୍ଗିର ସଇଁତଳା ପି.ଏସ୍. କଲେଜରେ । କଲେଜର ଜଣେ ଛାତ୍ର ରାଗିଂ ଅଭିଯୋଗ ଆଣିଛନ୍ତି ।

କିଛି ଜୁନିଅର ଛାତ୍ର ଓ ଅଣଛାତ୍ର ମିଶି ଜଣେ ଛାତ୍ରକୁ କଲେଜ ବାହାରକୁ ଡାକି ନିସ୍ତୁକ ମାଡ଼ ମାରିଛନ୍ତି । ଏହାସହ ମାଡ଼ ମାରିବାର ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି । ଆଉ ଭିଡିଓକୁ ଭାଇରାଲ ମଧ୍ୟ କରିଛନ୍ତି । ଭିଡିଓ ଭାଇରାଲ୍ ପରେ ପୀଡ଼ିତ ଛାତ୍ର ଏନେଇ ସଇଁତଳା ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ମୋବାଇଲ୍‌କୁ ଧମକପୂର୍ଣ୍ଣ କଲ୍‌ ଆସୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।

ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ତେବେ କଲେଜ ଅଧ୍ୟକ୍ଷ କହିଛନ୍ତି ଘଟଣାଟିକୁ ରାଗିଂର ରୂପ ଦେବା ଠିକ୍ ନୁହେଁ । ଏହା କଲେଜ ବାହାରେ ହୋଇଛି ଏବଂ ଏହା ଏକ ମାରପିଟ୍ ଘଟଣା । ତଥାପି ଛାତ୍ର ଜଣକ ଅଭିଯୋଗ କରିଥିବାରୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆଧାରରେ ସଂପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ଅନ୍ୟପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନାଯୋଗ୍ୟ, ରାଗିଂ ରୋକିବା ପାଇଁ ସରକାର କିଛି ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ବାରମ୍ବାର ଦାବି ହେଉଛି । ହେଲେ ଏଥିପ୍ରତି କେହି କର୍ଣ୍ଣପାତ ମଧ୍ୟ କରୁନାହାନ୍ତି । ବାରମ୍ବାର ବିଭିନ୍ନ କଲେଜରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ । ରାଗିଂ ଘଟଣାର କିଛି ଦିନ ପର୍ଯ୍ୟନ୍ତ ମାହୋଲ ଗରମ ରହିଥିବା ବେଳେ ସରକାର କିଛି ବୟାନ୍‌ ଦେଇଥାନ୍ତି ଆଉ ମାହୋଲ ଥଣ୍ଡା ହୋଇଗଲେ କଲେଜ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେବେ ଏମିତି ପରିସ୍ଥିତିରେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ ।