• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ହାତୀ ମୃତ ଅଭିଯୋଗ । ଢେଙାନାଳ ମହାବିରୋଡ଼ ରେଂଜ ଘାଘରାମୁଣ୍ଡା ଖେସେରା ଜଙ୍ଗଲରୁ ମାଈହାତୀର ମୃତଦେହ ଉଦ୍ଧାର । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବୟସ ୨୫ବର୍ଷ ହେବ ଅନୁମାନ କରାଯାଉଛି । ଆଜି ଭୋରରେ ସ୍ଥାନୀୟ ଗ୍ରାମବାସୀ ବିଲକୁ ଚାଷକାମ ପାଇଁ ଯାଉଥିବା ବେଳେ, ହାତୀ ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗର ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

ତେବେ ଶବ ବିବେଚ୍ଛେଦ ରିପୋର୍ଟ ଆସଲେ ହାତୀ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ବନବିଭାଗ କହିଛି । ଗତକାଲି ଅନୁଗୁଳ ଜଗନ୍ନାଥପୁରରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡ଼ି ହାତୀର ମତ୍ୟୁ ହୋଇଥିଲା । ସେହିପରି ଗତ ୨୫ ତାରିଖରେ କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ତାର ଲାଗି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା । ହାତୀ ମୃତ୍ୟୁ ଘଟଣା ଏବେ ନିତିଦିନିଆ ଘଟଣା ପାଲଟିଥିବା ବେଳେ, ବନବିଭାଗର କାର୍ଯ୍ୟକାରିତା ଉପରେ ଉଠୁଛି ପ୍ରଶ୍ନ ।

କିଛି ଦିନ ପୂର୍ବରୁ କେନ୍ଦୁଝର ଜିଲ୍ଲା ସଦର ରେଞ୍ଜରେ ବିଦ୍ୟୁତ୍‌ ତାର ଲାଗି ୨ ହାତୀଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି, କିପରି ଓ କେଉଁ ପରିସ୍ଥିତିରେ ହାତୀ ୨ଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲେ ସେନେଇ ଖୋଳତାଡ଼ କରିଥିଲେ ।

ଗତ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟ କହୁଛି, ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯ଶହ ୭୬ଟି ହାତୀ ଥିଲେ। ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କ ଜୀବନ ଯାଇଛି। ୧୪ ହାତୀ ଶୀକାରି ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ୍‌ ଧକ୍କାରେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ କାରଣରୁ ଯାଇଛି ୮୫ ହାତୀଙ୍କ ଜୀବନ। ତେବେ ୪୭ ହାତୀଙ୍କ ମୃତ୍ୟୁର କାରଣ ଖୋଜି ପାଉନି ବନ ବିଭାଗ।

ଏତେ ସଂଖ୍ୟାକ ହାତୀ ମୃତ୍ୟୁକୁ ନେଇ ବନ ବିଭାଗକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ବିଭାଗରେ ମାତ୍ରାଧିକ ଦୁର୍ନୀତି କାରଣରୁ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର। ହାତୀ ମୃତ୍ୟୁ ପାଇଁ ବିଭାଗକୁ ଉତ୍ତରଦାୟୀ ରଖାଯିବା ଓ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।