ବିଶ୍ୱ ହାତୀ ଦିବସ ଆସିଲେ, ମଣିଷର ମନେପଡ଼େ ସାଥୀଙ୍କ ସୁରକ୍ଷା କଥା। ଚିଡିଆଖାନାରେ ଭଲ ଖାଇବାକୁ ଦିଆଯାଏ। ଫଟୋ ଉଠାଯାଏ। ବାକି ୩୬୪ ଦିନ ନିଜ କଥା ନିଜେ ବୁଝନ୍ତି ହାତୀ। କେବେ ମଣିଷ ସହ ଲଢ଼େଇ କରି ତ ଆଉ କେବେ ଶିକାରୀ ଗୁଳିରେ ଅକାଳରେ ଚାଲିଯାଉଛି ଗଜରାଜଙ୍କ ଜୀବନ। ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
ରିପୋର୍ଟ ଅନୁସାରେ ଏକ ଚିତ୍ରାରେ ଦେଖାଦେଇଥିଲା ଯେ ବିଶ୍ୱ ହାତୀ ଦିବସ ଉପଲକ୍ଷେ ନନ୍ଦନକାନନ କର୍ତ୍ତୃପକ୍ଷ ହାତୀକୁ ମନଭରି ସୁସ୍ୱାଦୁ ଫଳ ଖୁଆଉଛନ୍ତି। କିନ୍ତୁ ଏକ ଚିତ୍ର ଦେଖାଦେଇଛି ଠିକ୍ ଏହାର ବିପରୀତ। ଢେଙ୍କାନାଳ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍ର ପୋଖରୀ ପଙ୍କରେ ପଡ଼ି ଜୀବନ ହାରିଛି ୪ ବର୍ଷର ହାତୀଛୁଆ। ଏଇ ଗୋଟିଏ ଉଦାହରଣ ନୁହେଁ, ହାତୀ ମୃତ୍ୟୁର ମାଳମାଳ ଘଟଣା ଏବେ ସାମ୍ନାକୁ ଆସୁଛି। କେଉଁଠି ଶିକାରୀ ଗୁଳିରେ ଛଟପଟ ହୋଇ ହାତୀର ଜୀବନ ଯାଉଛି ତ ଆଉ କେଉଁଠି ମାଟି ତଳୁ କେବଳ କଙ୍କାଳ ବାହାରୁଛି।
ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟ କହୁଛି, ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯ଶହ ୭୬ଟି ହାତୀ ଥିଲେ। ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କ ଜୀବନ ଯାଇଛି। ୧୪ ହାତୀ ଶୀକାରୀ ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ୍ ଧକ୍କାରେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ କାରଣରୁ ଯାଇଛି ୮୫ ହାତୀଙ୍କ ଜୀବନ। ତେବେ ୪୭ ହାତୀଙ୍କ ମୃତ୍ୟୁର କାରଣ ଖୋଜି ପାଉନି ବନବିଭାଗ।
ଏତେ ସଂଖ୍ୟାକ ହାତୀ ମୃତ୍ୟୁକୁ ନେଇ ବନବିଭାଗକୁ ଦାୟୀ କରିଛନ୍ତି ବିଶେଷଜ୍ଞ। ବିଭାଗରେ ମାତ୍ରାଧିକ ଦୁର୍ନୀତି କାରଣରୁ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର। ହାତୀ ମୃତ୍ୟୁ ପାଇଁ ବିଭାଗକୁ ଉତ୍ତରଦାୟୀ ରଖାଯିବା ଓ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ରାଜ୍ୟରେ ହାତୀ ମୃତ୍ୟୁ ବଢି ଚାଲିଥିବା ବେଳେ ଆଠଗଡ଼ ବନଖଣ୍ଡ ଚିନ୍ତା ବଢ଼ାଇଛି। ଗତ ୩ ବର୍ଷରେ କେବଳ ଏହି ଅଞ୍ଚଳରେ ଯାଇଛି ୧୬ ହାତୀଙ୍କ ଜୀବନ। ଗତ ୪ ମାସର ଚିତ୍ର ଆହୁରି ଉଦ୍ବେଗଜନକ। ୪ ମାସରେ ଶିକାରୀ ଗୁଳିରେ ୨ଟି ହାତୀର ଜୀବନ ଯାଇଥିବା ବେଳେ ମାଟି ତଳୁ ଉଦ୍ଧାର ହୋଇଛି ୪ କଙ୍କାଳ। ପିସିସିଏଫ୍ଙ୍କ ମତରେ ହାତୀ-ମଣିଷ ବିବାଦ ହିଁ ରାଜ୍ୟରେ ହାତୀ ମୃତ୍ୟୁର ସବୁଠୁ ବଡ଼ କାରଣ, କିନ୍ତୁ ହାତୀ ମୃତ୍ୟୁରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ଅକ୍ଷମଣୀୟ ଅପରାଧ।
ଗତ ୩ ଦଶନ୍ଧିର ତଥ୍ୟ ଦେଖିଲେ, ରାଜ୍ୟରେ ଉତ୍କଟ ରୂପ ନେଇଛି ହାତୀ ମୃତ୍ୟୁ ହାର। ୧୯୯୦ରୁ ୨୦୦୦ ମଧ୍ୟରେ ବାର୍ଷିକ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ସଂଖ୍ୟା ଥିଲା ୪୬। ତେବେ ୨୦୧୦ରୁ ୨୦୨୦ ଭିତରେ ବାର୍ଷିକ ହାତୀ ମୃତ୍ୟୁ ହାର ୭୮ରେ ପହଞ୍ଚିଛି, ଯାହାକି ରାଜ୍ୟରେ ହାତୀଙ୍କ ସୁରକ୍ଷା ଉପରେ ଲଗାଇଛି ବିରାଟ ପ୍ରଶ୍ନ ଚିହ୍ନ।
(ରିପୋର୍ଟ : କଟକରୁ ଦେବାଶିଷ ମହାନ୍ତିଙ୍କ ସହ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ କପିଳେନ୍ଦ୍ର ପ୍ରଧାନ)