• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ ପରେ ବଲାଙ୍ଗିରରେ ବି ମଧ୍ୟାହ୍ନ ଭୋଜନ ଚାଉଳରେ ମହାଦୁର୍ନୀତିର ଗନ୍ଧ । ଜିଲ୍ଲାର ସବୁ ବ୍ଲକରେ ଜାନୁଆରୀରୁ ଜୁନ୍ ଯାଏଁ ଚାଉଳ କୋଟା ଗାଏବ । ଆଶ୍ଚର୍ଯ୍ୟର କଥା ଗୋଦାମରୁ ଚାଉଳ ଉଠିଛି, କିନ୍ତୁ ସ୍କୁଲରେ ପହଞ୍ଚିନି । ଜିଲ୍ଲା ଦାୟିତ୍ୱରେ ଥିବା ଏକମାତ୍ର ଟ୍ରାନ୍ସପୋର୍ଟ ଏଜେଣ୍ଟ, କେବଳ ଜୁଲାଇ ମାସର ଚାଉଳ ଦେଇ ପିଛିଲା କୋଟା ଚାଉଳକୁ ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି । ଏହି ମହାଦୁର୍ନୀତିରେ ପ୍ରାୟ ୧୫ ରୁ ୨୦ ହଜାର କ୍ୱିଣ୍ଟାଲ ଚାଉଳ ଗାଏବ ହୋଇଥିବା କୁହାଯାଉଛି ।

ସେପଟେ ବିଭିନ୍ନ ସ୍କୁଲ ଚାଉଳ ପାଇନଥିବା ଅଭିଯୋଗ କରିବା ପରେ ଜିଲ୍ଲା ଶିକ୍ଷାଧିକାରୀ କେବଳ ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟ ଏଜେଣ୍ଟକୁ ଚିଠି ଖଣ୍ଡେ ଲେଖି ଚୁପ୍ ବସିଛନ୍ତି । ହେଲେ ଏତେ ଚାଉଳ ଗଲା କୁଆଡ଼େ, ତାର ଖୋଳତାଡ଼ ନାହିଁ । ଆସନ୍ତୁ ଜାଣିବା ମଧ୍ୟାନ୍ନ ଭୋଜନ ମହାଦୁର୍ନୀତି ପାର୍ଟ-୨ ।

ଜୁଲାଇ କୋଟା ମିଳିଲା, ହେଲେ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ କୋଟା ଗାଏବ ? ଗୋଦାମରୁ ଉଠିଲା, କିନ୍ତୁ ସ୍କୁଲରେ ପହଞ୍ଚିବା ବଦଳରେ ରାସ୍ତା ମଝିରୁ ଗଲା କୁଆଡ଼େ ? କୋରାପୁଟ ପରେ ମଧ୍ୟାନ୍ନ ଭୋଜନ ମହାଦୁର୍ନୀତିର ଆଉ ଏକ ଗୁମର ଖୋଲିଛି ବଲାଙ୍ଗିରରେ । ଗୋଟିଏ କି ଦୁଇଟି ନୁୁହଁ, ସବୁ ବ୍ଲକ୍‌କୁ ମାଡ଼ିଛି ଦୁର୍ନୀତିର ଲମ୍ବା ଚେର ।

ରସିଦ ଦେଖିଲେ ଜଣାପଡ଼ୁଛି, ପାଟଣାଗଡ଼ ବ୍ଲକ ଡିଆଡୁମ୍ବେର ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏଇ ଜୁଲାଇ ମାସରେ ଜିଲ୍ଲାରେ ଏମଡିଏମ୍ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଏଜେଣ୍ଟଠୁ ଗ୍ରହଣ କରିଛନ୍ତି ୬୫୦ କେଜି ଚାଉଳ । ତେବେ ସମସ୍ୟା ହେଉଛି, ଏଜେଣ୍ଟ ମହାଶୟ ସ୍କୁଲକୁ କେବଳ ଜୁଲାଇ କୋଟା ବାବଦ ଚାଉଳ ଦେଇ କାମ ସାରି ଦେଇଛନ୍ତି । କିନ୍ତୁ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ କୋଟା ଉଭାନ । କେବଳ ଡିଆଡୁମ୍ବେର ନୁହେଁ, ପୁରା ଜିଲ୍ଲାର କୌଣସି ଗୋଟିଏ ହେଲେ ସ୍କୁଲକୁ ପହଞ୍ଚିନି ୬ ମାସର କୋଟା । ତେବେ ପ୍ରଶ୍ନ ଉଠୁଛି, ଗୋଦାମରୁ ଉଠିବା ପରେ ଚାଉଳ ପହଞ୍ଚିଲା କେଉଁଠି ?

 

ଜିଲ୍ଲାରେ ମଧ୍ୟାନ୍ନ ଭୋଜନ ଚାଉଳ ଯୋଗାଣରେ ହୋଇଥିବା ଏ ବଡ଼ ଧରଣର ହେରଫେର ସମ୍ପର୍କରେ ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ କରିବାରୁ ଖବର ପହଞ୍ଚିଥିଲା ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ । ଆଉ ଜିଲ୍ଲା ଶିକ୍ଷାଧିକାରୀ ଏ ଘଟଣା ସମ୍ପର୍କରେ ଗତ ଜୁନ୍ ୯ ତାରିଖରେ ସଂପୃକ୍ତ ଟ୍ରାନ୍ସପୋର୍ଟ ଏଜେଣ୍ଟକୁ କଡ଼ା ଚିଠି ବି ଲେଖିଛନ୍ତି । ଯାହାର କପି ସାମ୍ନାକୁ ଆସିଛି । ତେବେ କଥା ହେଉଛି, କେବଳ ଚିଠି ଲେଖି ଡିଇଓ ଚୁପ୍ ବସି ଯାଇଛନ୍ତି ।

ସେପଟେ ନା ସ୍କୁଲରେ ବାକିଆ ଚାଉଳ ପହଞ୍ଚିଛି ନା ଚଳୁ ହୋଇଥିବା ଚାଉଳ ସମ୍ପର୍କରେ ଖୋଳତାଡ଼ ହୋଇଛି । ଏପଟେ ଘୋଟାଲା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କ ଖୋଜ ଖବର ନାହିଁ । ତେଣେ ଜିଲ୍ଲାର ଡିଇଓ କିମ୍ବା କୌଣସି ବିଇଓ କ୍ୟାମେରା ସାମନାରେ କିଛି କହିବାକୁ ନାରାଜ୍ ।