• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାରଳାଖେମୁଣ୍ଡି: ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ୧୩ ଜଣଙ୍କୁ ପଚରାଉଚରା ପରେ ଶେଷରେ ପ୍ରଶ୍ନ ଜାଲରେ ଛନ୍ଦିଛି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ । ଡିଏଫ୍ଓଙ୍କୁ ପ୍ରାଥମିକ ତଦନ୍ତ ସମୟରେ ତତ୍କାଳୀନ ଏସ୍‌ପି ତପନ ପଟ୍ଟନାୟକ ଦେଇଥିଲେ କ୍ଲିନ୍‌ଚିଟ୍‌ । ସେହି ଡିଏଫ୍ଓଙ୍କୁ ଆଜି ନନ୍‌ଷ୍ଟପ୍‌ ଜେରା କରିଛି କ୍ରାଇମବ୍ରାଞ୍ଚ ।

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଥିଲା କି ଅନ୍ତରଙ୍ଗ ସମ୍ପର୍କ ? ସୌମ୍ୟଙ୍କୁ ଜାଣିଶୁଣି ନାଇଟ୍ ଡ୍ୟୁଟି ପକାଇବା ସହ ଅନ୍ୟତ୍ର ବଦଳି କରାଯାଇଥିଲା କି ? ଯେଉଁଦିନ ସୌମ୍ୟ ନିଆଁରେ ଜଳିଗଲେ, ସେଦିନ ଡିଏଫ୍ଓଙ୍କ ଭୂମିକା କଣ ଥିଲା ? ଘଟଣାର ଘଣ୍ଟାଏ ପୂର୍ବରୁ ଡିଏଫ୍ଓଙ୍କ ଘରକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାହିଁକି ଯାଇଥିଲେ ? ଏଭଳି ପ୍ରାୟ ୫୦ଟି ପ୍ରଶ୍ନ ପଚାରି ୩ ଘଣ୍ଟା ଧରି ତଥ୍ୟ ଉଗାଳିବାକୁ ଉଦ୍ୟମ କରିଛି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ । କିନ୍ତୁ ସବୁ ପ୍ରଶ୍ନକୁ ଡିଏଫ୍ଓ ଖଣ୍ଡନ କରିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ।

ତେବେ କ୍ରାଇମବ୍ରାଞ୍ଚର ଏହି ତଦନ୍ତ ଭିତରେ ଡିଏଫ୍ଓ ସଂଗ୍ରାମ କେଶରୀଙ୍କ ସତ ମିଛକୁ ନେଇ ଛିଡ଼ା ହୋଇଛି ବଡ଼ ପ୍ରଶ୍ନ । ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ, ସେଦିନ ରାତିରେ ନିଆଁରେ ଜଳିଯାଇଥିବା ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖାଯାଉଥିଲା । ଆଉ ସେଠାରେ ଉପସ୍ଥିତ ଥିଲେ ୨ ଜଣ ଡାକ୍ତର ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର୍ । ଆଉ ସବୁଠାରୁ ବଡ଼ କଥା ହେଲା ଖୋଦ୍ ଡିଏଫ୍ଓ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଅର୍ଥାତ ତାଙ୍କ ଉପସ୍ଥିତିରେ ଲେଖାଯାଥିଲା ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ । ଆଜି ଜେରାବେଳେ ଏ ସମ୍ପର୍କିତ ପ୍ରଶ୍ନକୁ ଡିଏଫ୍ଓ ସ୍ୱୀକାର କରିଛନ୍ତି କ୍ରାଇମବ୍ରାଞ୍ଚ ଆଗରେ । କିନ୍ତୁ ଗଣମାଧ୍ୟମକୁ କହିଛନ୍ତି ସେ ଉପସ୍ଥିିତ ନଥିଲେ । ତାସହ ଗଣମାଧ୍ୟମ ଉପରେ ଗରଗର ହୋଇ ଆଉ କିଛି କହିବେନି ବୋଲି କହି ଏଡାଇଯାଇଥିଲେ ଡିଏଫ୍‌ଓ । ତେବେ ଜମାବନବନ୍ଦୀ ଲେଖାଯିବା ବେଳେ ଡିଏଫ୍‌ଓ-ଇନ୍‌ଚାର୍ଜ ତହସିଲଦାର ଓ ଦୁଇ ଡାକ୍ତର ଥିବା ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଗତ ସାତଦିନ ତଳୁ ତଦନ୍ତ ଭାର ହାତକୁ ନେଇ ଥିବା କ୍ରାଇମବ୍ରାଞ୍ଚ ଇତିମଧ୍ୟରେ ଡିଏଫ୍ଓଙ୍କ ସମେତ ୧୩ ଜଣଙ୍କୁ ପଚରାଉଚରା କରିସାରିଛି । ଏବେ କେବଳ ଫୋକସ୍‌ରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ତେଣୁ ଆବଶ୍ୟକସ୍ଥଳେ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଲାଇଡିଟେକ୍ସନ ଟେଷ୍ଟ କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ଅନ୍ୟପଟେ ମୃତ୍ୟୁର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି ସୌମ୍ୟଙ୍କ ବାପା ।