Advertisment

ACF ସୌମ୍ୟରଂଜନ ମୃତ୍ୟୁ ମାମଲା; ଗିରଫ ହେବେ କି ପତ୍ନୀ ବିଦ୍ୟାଭାରତୀ ଓ ପୂର୍ବ DFO ?

ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ ।

author-image
Satyendu Shekher Mishra
undefined

ACF

ବନ୍ଧା ହେବେ କି ପୂର୍ବତନ ACF ସୌମ୍ୟରଂଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ? ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷୈୟା ମନ୍ମଥ କୁମ୍ଭଙ୍କୁ ଗିରଫ କରିବ କି ପୋଲିସ ? କାରଣ କୋର୍ଟଙ୍କୁ ନାନା ଆଳ କରି ଦିନ ପରେ ଦିନ ଗଡ଼ାଇ ଚାଲୁଥିବା ବିଦ୍ୟାଭାରତୀଙ୍କ ସହ ୩ ଜଣଙ୍କ ଉପରେ ଏବେ ପଡ଼ିଛି କୋର୍ଟଙ୍କ ଛାଟ। କ୍ଷୁବ୍ଧ ହୋଇଛନ୍ତି ପାରଳାଖେମୁଣ୍ଡି SDJMଙ୍କ କୋର୍ଟ ।

Advertisment

ସୌମ୍ୟରଂଜନଙ୍କ ବାପାଙ୍କ ଦାୟାର ମାମଲା ଆଧାରରେ ଏହି ୩ ଅଭିଯୁକ୍ତଙ୍କ ବିରୋଧରେ ଜାରି କରିଛନ୍ତି ଜାମିନ ବିହୀନ ଗିରଫ ପରୱାନା। କାରଣ ଥରେ କି ଦୁଇ ଥର ନୁହଁ, ଗତ ମେ ୧୬, ୨୭ ଏବଂ ଜୁନ୍ ୧୯ ଓ ୨୩ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବିଚାର ପ୍ରକ୍ରିୟାରେ ସହଯୋଗ ନକରି ନାନା ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ। ଏହାକୁ ନେଇ ଅସନ୍ତୁଷ୍ଟ କୋର୍ଟ ଆସନ୍ତା ୭ ତାରିଖରେ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ, ମାମଲାକୁ ଖାରଜ ପାଇଁ ହୋଇଥିବା ଆବେଦନକୁ ବି କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହାକୁ ନେଇ ଆଶ୍ବସ୍ତ ପ୍ରକାଶ କରିଛନ୍ତି ସୌମ୍ୟରଂଜନଙ୍କ ପରିବାର ଏବଂ ସମ୍ପର୍କିୟ। କହିଛନ୍ତି, ମାମଲାକୁ ଘଣ୍ଟ ଘୋଡ଼ାଇ ଚାଲିଥିଲା ପ୍ରଶାସନ। କିନ୍ତୁ ଆମକୁ ନ୍ୟାୟ ଦେବ କୋର୍ଟ ।

Advertisment

୨୦୨୧ ଜୁଲାଇ ୧୨। ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରରେ ଅତି ରହସ୍ୟଜନକ ଭାବେ ନିଆଁରେ ଜଳିଯାଇ ମେଡ଼ିକାଲରେ ପ୍ରାଣ ହରାଇଥିଲେ ସୌମ୍ୟରଂଜନ । ହେଲେ କାହିଁକି ଏବଂ କିଭଳି ଘଟିଲା ଅଘଟଣ, କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସୌମ୍ୟଙ୍କ ପତ୍ନୀ । ଏପରିକି ଘଟଣାଦିନ ଉପସ୍ଥିତ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥଙ୍କ ବୟାନକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିଲା। ଏହାପରେ ୩ ମାସ ଧରି ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ।

ଶେଷରେ ତତ୍କାଳୀନ DFO ଓ ରୋଷେୟାଙ୍କୁ ଦେଇଥିଲା କ୍ଲିନଚିଟ୍। ତାସହ ଏହା ଏକ ଦୁର୍ଘଟଣା ଓ ଏଥିପାଇଁ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା ତଦନ୍ତକାରି ସଂସ୍ଥା । କିନ୍ତୁ, ନଛୋଡ଼ବନ୍ଧା ଥିବା ସୌମ୍ୟଙ୍କ ବାପା ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତେବେ ମୟୁରଭଞ୍ଜ କପ୍ତିପଦା ଥାନା ଗୌଡ଼ ଗାଁ ଘରେ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଅନୁପସ୍ଥିତ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।  

ଏପଟେ ୨୮ ତାରିଖରୁ NBW ସତ୍ତ୍ୱେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ ନ କରିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ବିଜେପିର ଅଭିଯୋଗ, ଡିଏଫଓଙ୍କ ପଛରେ ରହିଛନ୍ତି ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ। ସେତେବେଳେ ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଡିଏଫଓ ଏବଂ ବିଦ୍ୟାଭାରତୀଙ୍କୁ ସୁରକ୍ଷା ଦେଇଥିଲା ପୋଲିସ। ଆଜି କୋର୍ଟରୁ ନ୍ୟାୟ ମିଳିଥିଲେ ବି ପୋଲିସ ସୌମ୍ୟଙ୍କୁ ନ୍ୟାୟ ଦେବାରେ ବାଧକ ସାଜିଛି। ୨୪ ଘଣ୍ଟା ମଧ୍ୟରେ ଗିରଫ ପାଇଁ ବିଜେପି ଦାବି କରିଛି। ଏନେଇ ମନ୍ତ୍ରୀ ବିକ୍ରମ ଆରୁଖ କିମ୍ବା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । 

Murder Case
Advertisment
Advertisment