• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୮ ବର୍ଷ ପରେ ବନ୍ଧାହେଲା ହତ୍ୟାକାରୀ । ଚେନ୍ନାଇରେ ହତ୍ୟା, ଧରାପଡିଲା ବ୍ରହ୍ମପୁରରୁ । ଅଭିଯୁକ୍ତ ଜଣକୁ ଶାଶୁ ହତ୍ୟା ମାମଲାର ଧରିଛି ଚେନ୍ନାଇ ପୋଲିସ । ଅଭିଯୁକ୍ତ ହେଲେ ବ୍ରହ୍ମପୁର ଅଞ୍ଚଳର ହରିହର ପାଟ୍ଟଯୋଶୀ।

ପାରିବାରିକ କଳହରୁ ସେ ଚେନ୍ନାଇରେ ତାଙ୍କ ଶାଶୁ ରମାଙ୍କୁ ୧୯୯୮ ମସିହା ଅଗଷ୍ଟ ୯ ତାରିଖରେ ହତ୍ୟା କରିବା ସହ ପତ୍ନୀ ଓ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ରହିଥିଲା। ଏନେଇ ଚେନ୍ନାଇର ଆଡମ୍ବକ୍କାମ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ହରିହର ଫେରାର ଥିଲା ।

ସୂଚନା ଅନୁଯାୟୀ, ୧୯୯୪ ମସିହାରେ ହରିହର ଚେନ୍ନାଇରେ ଏକ ବିଜ୍ଞାପନ କମ୍ପାନୀର ପ୍ରିଣ୍ଟିଂ ପ୍ରେସ୍‌ରେ କାମ କରୁଥିଲା। ସେହି ସମୟରେ ଇନ୍ଦିରାଙ୍କ ସହ ପ୍ରେମ ହୋଇଥିଲା । ଉଭୟ ୧୯୯୪ ଜୁଲାଇ ୧୪ରେ ପ୍ରେମ ବିବାହ କରିଥିଲେ। ବିବାହର କିଛି ମାସ ପରେ ଉଭୟ ଅଲଗା ହୋଇ ରହିବା ସହ ସ୍ଥାନୀୟ ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ନେଇ ମାମଲା ରୁଜୁ ହୋଇଥିଲା ।

ମାମଲା କୋର୍ଟରେ ବିଚାରାଧିନ ଥିବା ବେଳେ ତାଙ୍କ ଶାଶୁଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ହରିହର । ପରେ ୨୦୦୧ରେ ଦ୍ୱିତୀୟ ବିବାହ କରିଥିଲା ହରିହର । ପୋଲିସଠାରୁ ବର୍ତ୍ତିବା ପାଇଁ ସବୁବେଳେ ହରିହର ବିଭିନ୍ନ ଘର ବଦଳାଉଥିଲା । ଏହା ପୂର୍ବରୁ ଚେନ୍ନାଇ ପୋଲିସ ବହୁଥର ଚଢ଼ାଉ କରିଥିଲେ ବି ବିଫଳ ହୋଇଥିଲା ।

ସପ୍ତାହ ପୂର୍ବେ ଚେନ୍ନାଇ ଅଡାମ୍ବକ୍କାମ ଥାନାରୁ ଏକ ଟିମ୍ ଆସି ଏସପିଙ୍କୁ ସାକ୍ଷାତ କରିବା ପରେ ହରିହରକୁ ଧରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା । ଗୋସାଇଁ ନୂଆଗାଁ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠିତ ହୋଇଥିଲା । ହରିହରକୁ ଧରିବାକୁ ଗୋସାଇଁ ନୂଆଗାଁ ସ୍ଥିତ ଏକ ଭଡ଼ାଘରେ ପୋଲିସ ଚଢାଉ କରିବା ବେଳେ ସେ ଖସିଯାଇଥିଲା । ପରେ ବ୍ରହ୍ମପୁର ରେଳଷ୍ଟେସନ ନିକଟରୁ ପୋଲିସ ତାକୁ ଗିରଫ କରିଛି ।