/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631706485.jpg)
ଥାନା ଗାଡ଼ି ଧରି ଚମ୍ପଟ ମାରିଥିବା ଯୁବକ
ଢେଙ୍କାନାଳ: ଥାନାରୁ ପୋଲିସ ଗାଡ଼ି ଧରି ଛୁ ! ଜେରା ହେବାକୁ ଆସିଥିବା ଜଣେ ବ୍ୟକ୍ତି ଢେଙ୍କାନାଳ ଟାଉନ୍ ଥାନା ପରିସରରୁ ଥାନା ଗାଡ଼ି ଧରି ଫେରାର। କୌଣସି ଏକ ମାମଲାରେ ଗଁଦିଆ ବାଇଁଶିଆ ଗାଁର ଧର୍ମେନ୍ଦ୍ର ସ୍ୱାଇଁଙ୍କୁ ଟାଉନ ଥାନା ପୋଲିସ ଜେରା ପାଇଁ ଆଣିଥିଲା। ତେବେ ପୋଲିସ ଗାଡ଼ିରେ ଚାବି ଥିବାବେଳେ ସମସ୍ତ କର୍ମଚାରୀ ଥାନା ଭିତରେ ଥିଲେ। ଏହାର ସୁଯୋଗ ନେଇ ଧର୍ମେନ୍ଦ୍ର ଗାଡ଼ିଟିକୁ ଧରି କଟକ ଆଡ଼େ ଫେରାର ହୋଇ ଯାଇଥିଲେ। ତେବେ ଟାଉନ ଥାନା ପୋଲିସ ପିଛା କରି ଖୁଣ୍ଟୁଣି ଥାନା ଅଞ୍ଚଳରୁ ତାଙ୍କୁ କାବୁ କରିଥିଲା। ଏହାପରେ ତାଙ୍କୁ ଥାନାକୁ ଅଣାଯାଇଛି।
ମଙ୍ଗଳବାର ରାତିରେ ଟାଉନ୍ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ସେ ମାନସିକ ବିକୃତ ବୋଲି ଜାଣିବାକୁ ପାଇଥିଲା ପୁଲିସ। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଧର୍ମେନ୍ଦ୍ର ଥାନା ଗାଡ଼ି ଧରି ଚମ୍ପଟ ମାରିଥିଲେ। ଏହା ପରେ ହତବାକ ହୋଇଯାଇଥିଲା ପୁଲିସ। ଗାଡ଼ିଟି କଟକ ଅଭିମୁଖେ ଯାଉଥିବା ଦେଖି ସବୁ ଥାନାକୁ ଆଲର୍ଟ କରାଯାଇଥିଲା। ଏପରିକି ଟାଉନ୍ ଥାନାର ପାଟ୍ରୋଲିଂ ଗାଡ଼ି ପିଛା କରିଥିଲା। ଶେଷରେ ଖୁଣ୍ଟୁଣି ଥାନା ଅଞ୍ଚଳରୁ ଗାଡ଼ିକୁ କାବୁ କରିବାରେ ସଫଳ ହୋଇଥିଲା।
ଧର୍ମେନ୍ଦ୍ରଙ୍କୁ ଟାଉନ୍ ଥାନାରେ ଏବେ ଜେରା ଚାଲିଛି। ସେ ପ୍ରକୃତରେ ମାନସିକ ବିକାର ଗସ୍ତ ନା ଅଭିନୟ କରୁଛି, ତାହା ଉପରେ ଯାଞ୍ଚ ଚାଲିଛି ବୋଲି ପୁଲିସ କହିଛି। ତେବେ ଯାହା ହେଉନା କାହିଁକି ଥାନା ପରିସରରୁ ଗାଡ଼ି ଧରି ଚମ୍ପଟ ମାରିବା ଘଟଣା ଆଜି ଦିନ ତମାମ ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)